ଦାଉ ସାଧୁଛି ରୋଗପୋକ : ମିଳୁନି କୀଟନାଶକ, ଚିନ୍ତାରେ ଚାଷୀ

କୋରେଇ : କୋରେଇରେ ଚାଷୀକୁଳ ଏବେ ଚିନ୍ତାରେ। ମୌସୁମୀର ଲୁଚକାଳି ଖେଳରେ ଅଭାବି ବର୍ଷା ଓ ସରକାରୀ ବିହନ ଗଜା ହେବା ଭଳି ଘଟଣା ଚାଷୀଙ୍କ ମେରୁଦଣ୍ତ ଭାଙ୍ଗିଥିବା ବେଳେ ଏବେ ରୋଗପୋକ ଦାଉ ସାଧୁଛି। ଏଭଳି ପରିସ୍ଥିତିରେ କୀଟନାଶକ ମିଳୁ ନାହିଁ। ସବସିଡି ଔଷଧ ସରକାର ଦେଉନାହାନ୍ତି। ଅଧିକାରୀ ଓ କର୍ମଚାରୀ ଦୋଷ ଲଦାଲଦିରେ ବ୍ୟସ୍ତ। ଏହାକୁ ନେଇ ଚାଷୀ ମହଲରେ ତୀବ୍ର ଅସ‌ନ୍ତୋଷ ଦେଖାଦେଇଛି।

thehindubusinessline.com

ବ୍ଲକ୍ କୃଷି ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୀଟନାଶକ ଔଷଧ ମିଳୁନାହିଁ। ଚଳିତ ବର୍ଷ କୌଣସି ଚାଷୀଙ୍କୁ କୀଟନାଶକ ଦିଆଯାଇନାହିଁ। ଚଳିତ ବର୍ଷ ବ୍ଳକ୍‌ରେ ଥିବା ସୁରଭୀ କେନ୍ଦ୍ର ସମେତ ସ୍ବୀକୃତି ପ୍ରାପ୍ତ କୀଟନାଶକ ଡିଲରଙ୍କ ଜରିଆରେ ଚାଷୀଙ୍କୁ କୀଟନାଶକ ଦେବାପାଇଁ ସରକାର ସ୍ଥିର କରିଥିଲେ। ତଦନୁଯାୟୀ କୋରେଇ ଓ ଦାନଗଦି ବ୍ଲକ୍ ପାଇଁ ଶଙ୍ଖଚିଲାର ମାନସ କୁମାର ସାହୁ ନାମକ ବ୍ୟକ୍ତି ସୁରଭୀ କେନ୍ଦ୍ର ଜରିଆରେ ଚାଷୀଙ୍କୁ କୀଟନାଶକ ଦେବା ପାଇଁ ଗତ ଅଗଷ୍ଟ ମାସରୁ ନିଯୁକ୍ତି ପାଇଛନ୍ତି। ହେଲେ ଅଦ୍ୟାବଧି କୋରେଇର କୌଣସି ଚାଷୀଙ୍କୁ ଔଷଧ ଦିଆଯାଇ ନଥିବା ଜଣାପଡିଛି। ତେବେ ନେଇ ଶ୍ରୀ ସାହୁଙ୍କୁ ଯୋଗାଯୋଗ କରିବାରୁ ସବସିଡି ମୂଲ୍ୟରେ ଔଷଧ ଦେବା ପାଇଁ ଜିଲ୍ଲା ପ୍ରଶାସନ ଯେଉଁ ଚିଠି ଦେବା କଥା ଦେଇ ନଥିବା ସହିତ ବ୍ଲକ୍ କୃଷି ବିଭାଗ ମଧ୍ୟ ଚାଷୀ ଚିହ୍ନଟ ପାଇଁ ତାଲିକା ପ୍ରଦାନ କରିନାହାଁନ୍ତି। ଏପରିକି ଔଷଧ ବିକ୍ରୟ କରିବା ପାଇଁ ବ୍ଳକ୍ ପ୍ରଶାସନକୁ ଏକ ଘର ଯୋଗାଇଦେବା ପାଇଁ ଦିର୍ଘ ୪ ମାସ ଧରି ଅନୁରୋଧ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘର ଯୋଗାଇ ଦିଆଯାଇନାହିଁ।

ସରକାରଙ୍କ ନିୟମ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ତାଲିକା ଦେଲେ ପଞ୍ଜୀକରଣ ନମ୍ବର ଦେଖାଇ ଚାଷୀ ଔଷଧରେ ଥିବା ସର୍ବାଧିକ ମୂଲ୍ୟ ଦେଇ ଔଷଧ ନେବେ। ପରେ ଡାଇରେକ୍ଟ ବେନିଫିଟ୍ ଟ୍ରାନସ୍‌ଫର (ଡିବିଟି) ଜରିଆରେ ମୂଲ୍ୟର ୫୦ ପ୍ରତିଶତ(ସବ୍ସିଡି ମୁଲ୍ୟ) ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ। କୃଷି ବିଭାଗ ଚାଷୀଙ୍କ ତାଲିକା ଦେଇ ନଥିବାରୁ ଔଷଧ ବିକ୍ରିରେ ବିଳମ୍ବ ହେଉଛି। ଏହି ଅଭିଯୋଗକୁ ଖଣ୍ତନ କରିଛନ୍ତି ବ୍ଳକ୍ କୃଷି ବିଭାଗର ଅଧିକାରୀମାନେ। ଔଷଧ ବିକ୍ରୟ ପାଇଁ ଘର ଯୋଗାଇଦେବା ବ୍ଲକ୍ ପ୍ରଶାସନର ଦାୟିତ୍ବ ଏବଂ ଚାଷୀଙ୍କ ତାଲିକା ଦେବା ସମବାୟ ସମିତିର ଦାୟିତ୍ବ ବୋଲି କହି ନିଜ ଉପରୁ ଦୋଷ ଛଡାଇବାକୁ ଚେଷ୍ଟା କରିଛନ୍ତି। ଅଧିକାରୀ ଏବଂ କର୍ମଚାରୀଙ୍କର ପରସ୍ପର ଉପରେ ଏହି ଦୋଷ ଲଦାଲଦିରେ ଛନ୍ଦି ହୋଇ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ।

ସମ୍ବନ୍ଧିତ ଖବର