ସାଇବର ଠକଙ୍କ ଟାର୍ଗେଟ୍‌ରେ ଓଡ଼ିଶା

ଅସହାୟ ପାଲଟିଛି ପୁଲିସ, କୋମାରେ ସାଇବର ସେଲ୍

ଭୁବନେଶ୍ୱର : ଗୋଟିଏ ଦିନରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଓ ଗୁଇନ୍ଦା ଡିଆଇଜି ଅନୁପ ସାହୁଙ୍କର ଜାଲ୍ ଫେସବୁକ୍ ଆକାଉଣ୍ଟ ତିଆରି କଲେ ସାଇବର ଠକ। ଖାଲି ଆକାଉଣ୍ଟ ତିଆରି କଲେନି, ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଲୋକଙ୍କୁ ଟଙ୍କା ମଧ୍ୟ ମାଗିଲେ। ଠକ କେତେଜଣଙ୍କଠାରୁ ଟଙ୍କା ସଂଗ୍ରହ କରିଥିବା ମଧ୍ୟ ସନ୍ଦେହ କରାଯାଉଛି। ଦୁଇଦିନ ତଳେ ଆଇଏଏସ୍ ଅଫିସର୍‌ ଭିନିଲ କ୍ରିଷ୍ଣାଙ୍କ ଇ-ମେଲ୍ ମଧ୍ୟ ହ୍ୟାକ୍ କରାଯାଇଥିଲା। ଏହି ଘଟଣା ନୂଆ ନୁହେଁ, ପୂର୍ବରୁ ଏକାଧିକ ବରିଷ୍ଠ ପୁଲିସ ଅଧିକାରୀ, ଆଇଏଏସ୍ ଅଫିସର୍‌, ଓଏଏସ୍ ଅଫିସର୍‌, ଅଭିନେତା, ଅଭିନେତ୍ରୀ, ସେଲିବ୍ରିଟିଙ୍କର ନକଲି ଆକାଉଣ୍ଟ ତିଆରି ହେଉ କିମ୍ବା ହ୍ୟାକ୍ ହେବାର ନଜିର୍ ମଧ୍ୟ ରହିଛି। ଠକ ପୁଲିସ କମିସନରଙ୍କ ନାଁରେ ଜାଲ୍ ଆକାଉଣ୍ଟ ତିଆରି କରିବାକୁ ପଛାଉ ନାହିଁ।

ସାଇବର ଠକ ଯେତିକି ସାହସ ଦେଖାଇଛନ୍ତି, ପୁଲିସ ଓ କ୍ରାଇମବ୍ରାଞ୍ଚ ସେତିକି ଅସହାୟତା ପ୍ରକାଶ କରୁଥିବା ମନେ କରାଯାଉଛି। ଲକ୍‌ଡାଉନ୍‌ରେ ସାଇବର ଠକମାନେ ବେଶ୍ ସକ୍ରିୟ ହୋଇ ଉଠିଛନ୍ତି। ଅନଲାଇନ୍ ଠକେଇ, ଅନଲାଇନ୍ ମଦ, ଅନଲାଇନ୍ ନିଯୁକ୍ତି, କୋରିଅର ହୋମ୍ ଡେଲିଭରି ନାଁରେ ଠକେଇ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଝାଡ଼ଖଣ଼୍ଡ, ହରିୟାଣା, ଦିଲ୍ଲୀ ଆଦି ଅଞ୍ଚଳର ସାଇବର ଠକଙ୍କ ଟାର୍ଗେଟରେ ଓଡ଼ିଶା ରହିଛି। ୨୦୧୮ଠାରୁ ୨୦୧୯ରେ ସାଇବର ମାମଲା ଯଥେଷ୍ଟ ବଢ଼ି ଯାଇଛି। ୨୦୧୮ରେ ୮୪୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୧୪୮୫ରେ ପହଞ୍ଚିଛି। ପୂର୍ବବର୍ଷ ତୁ​ଳନାରେ ୭୬ ପ୍ରତିଶତ ମାମଲା ବୃଦ୍ଧି ପାଇଥିଲା, ଯାହା ବେଶ୍ ଚିନ୍ତାଜନକ ରହିଛି। କିନ୍ତୁ କ୍ରାଇମବ୍ରାଞ୍ଚ ସେଭଳି କୌଣସି ସଫଳତା ପାଇ ପାରିନାହିଁ। ଏପରିକି ରେଲୱେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ନାଁରେ ଜାଲ ଫେସବୁକ୍ ଆକାଉଣ୍ଟ ନେଇ ସେ ସାଇବର ସେଲରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ତିନି ମାସ ବିତି ଯାଇଥିଲେ ବି କିଛି ଜଣାପଡୁନି। ସାଇବର ସେଲ ଏକପ୍ରକାର କୋମା ଭିତରେ ରହିଥିବା କୁହାଯାଉଛି। କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, କିଛି ଘଟଣାର ତଦନ୍ତ ଜାରି ରହିଛି। କିନ୍ତୁ ଲୋକ ଅଧିକ ସତର୍କ ହେବା ଦରକାର।

ସାଧାରଣ ଲୋକ ଫସି ଯାଆନ୍ତି
ସାଇବର ଠକ ଯେକୌଣସି ବ୍ୟକ୍ତିଙ୍କର ଜାଲ୍ ଆକାଉଣ୍ଟ ତିଆରି କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ଓ ନାଁ ଦେଇ ଏହି ଆକାଉଣ୍ଟ ତିଆରି କରାଯାଇ ପାରିବ। ଏହାକୁ ରୋକି ହେବ ନାହିଁ। ଆଇପିଏସ୍ ଅଫିସର, ଆଇଏଏସ୍ ଅଫିସର, ସେଲିବ୍ରିଟିଙ୍କ ନାଁରେ ଜାଲ ଆକାଉଣ୍ଟ ତିଆରି କରାଯାଉଛି। ସେହି ଆକାଉଣ୍ଟରୁ ସେମାନଙ୍କର ଫେସବୁକ ବନ୍ଧୁଙ୍କୁ ଠକ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଏ। ସେଲିବ୍ରିଟିଙ୍କ ପାଖରୁ ଏହି ରିକ୍ୟୁଏଷ୍ଟ ଆସିଥିବାରୁ ଲୋକ ଖୁସି ହୋଇ ଯାଆନ୍ତି। ତାହାକୁ ଆସେପ୍ଟ କରିଦିଅନ୍ତି। ଏହା ପରେ ମେସେଞ୍ଜର ଜରିଆରେ ଠକ ଟଙ୍କା ମାଗିବା ଆରମ୍ଭ କରିଦିଏ। କେତେକ ଲୋକ ଠକ ଜାଲରେ ପଡ଼ି ଟଙ୍କା ଦେବାର ନଜିର୍ ମଧ୍ୟ ରହିଛି। ଏଭ​ଳି ମେସେଜ୍ ଆସିଲେ, ତୁରନ୍ତ ଆକାଉଣ୍ଟଧାରୀଙ୍କୁ ଅବଗତ କରାଇବା ଦରକାର। ସିଧାସଳଖ ହେଉ କିମ୍ବା ସେମାନଙ୍କ ଅଫିସ୍‌ ଜରିଆ‌ରେ, ପ୍ରଥମେ ଏଭଳି ମେସେଜ୍‌ ଆସିଛି କି ନାହିଁ, ତାହା ସ୍ପଷ୍ଟ ହେବା ଦରକାର। ଆକାଉଣ୍ଟଧାରୀ ଲୋକଙ୍କଠାରୁ ଏହି ଖବର ପାଇବା ମାତ୍ରେ ତୁରନ୍ତ ଏ ନେଇ ସୂଚନା ଦେବା ଦରକାର। ଏହା ସହ ଫେସବୁକ ରିପୋର୍ଟରେ ଅଭିଯୋଗ କଲେ ଜାଲ ଆକାଉଣ୍ଟ ବନ୍ଦ ହେବାର ସମ୍ଭାବନା ଥାଏ ବୋଲି କହିଛନ୍ତି ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ। ସେହିପରି ଯେଉଁ ଫେସବୁକ୍ ଆକାଉଣ୍ଟ ଦୀର୍ଘଦିନ ଧରି ବ୍ୟବହାର ହେଉନି କିମ୍ବା ପାସଵାର୍ଡ ଅତି ସହଜ ସେହି ଆକାଉଣ୍ଟ ହ୍ୟାକ୍ ହେବାର ସମ୍ଭାବନା ରହିଛି। ତେଣୁ ପାସୱାର୍ଡକୁ ନିୟମିତ ବଦଳାଇବା ସହ ଟୁ-ଫ୍ୟାକ୍ଟର୍‌ ଭେରିଫିକେସନ୍‌ କଲେ ହ୍ୟାକ୍‌ରୁ ବର୍ତ୍ତି ପାରିବେ।

ହରିୟାଣା, ଦିଲ୍ଲୀରେ ଠକ; ସନ୍ଧ୍ୟାରେ ମାଗୁଛନ୍ତି ଟଙ୍କା
ଜାଲ୍ ଆକାଉଣ୍ଟ ତିଆରି କରିବା ଓ ହ୍ୟାକ୍ କରିବା ଘଟଣାରେ ସାଇବର ଠକ ହରିୟାଣା, ଦିଲ୍ଲୀରେ ରହି ସେଠାରୁ ନିୟନ୍ତ୍ରଣ କରୁଛନ୍ତି। କେଉଁ ଅଫିସର ଓ ସେଲିବ୍ରିଟିଙ୍କର ଲୋକସମ୍ପର୍କ ଅଧିକ, କେଉଁମାନଙ୍କର ଲୋକପ୍ରିୟତା ରହିଛି, ସେମାନଙ୍କୁ ଟାର୍ଗେଟ କରୁଛନ୍ତି ଠକ। ତାଙ୍କ ନାଁରେ ଅବିକଳ ନକଲି ଆକାଉଣ୍ଟ ତିଆରି କରିବା ପରେ ମେସେଞ୍ଜର ମାଧ୍ୟମରେ ଚାଟିଂ କରୁଛନ୍ତି। ହିନ୍ଦୀରେ ଚାଟିଂ କରୁଛନ୍ତି। ଫଳରେ ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ଚେଷ୍ଟା କରୁଛନ୍ତି। ସନ୍ଧ୍ୟା ସମୟକୁ ଟାର୍ଗେଟ କରୁଛନ୍ତି। କାରଣ ସନ୍ଧ୍ୟା ସମୟରେ ଲୋକମାନଙ୍କ ପକ୍ଷରେ ଯାଞ୍ଚ କରିବା କଷ୍ଟକର ହୁଏ। ବ୍ୟାଙ୍କ ବନ୍ଦ ହୋଇଯାଇଥାଏ, ଯେଉଁମାନଙ୍କ ଆକାଉଣ୍ଟରୁ ଚାଟିଂ ହୋଇଥାଏ, ସେମାନଙ୍କ ଅଫିସ ସହ ଯୋଗାଯୋଗ କରିବା କଷ୍ଟକର ହୋଇଥାଏ। ଯେଉଁ ଲୋକ ଠକଙ୍କ ଜାଲରେ ପଡ଼ିଲେ, ସେମାନେ ଟଙ୍କା ହରାଇବା ଥୟ। ସେହିପରି ଠକ ନିଜ ଆକାଉଣ୍ଟରେ ଟଙ୍କା ନ ମାଗି ଅନ୍ୟ ଜଣଙ୍କର ଆକାଉଣ୍ଟ ନମ୍ବର ଦେଇଥାଏ।

ଦୁର୍ବଳ ତଦନ୍ତ ଓ ଦଣ୍ଡବିଧାନ ବଢ଼ାଉଛି ଅପରାଧ
ଓଡ଼ିଶାରେ ସାଇବର ଅପରାଧ ମାମଲା ଉଦ୍‌ବେଗଜନକ ରହିଛି। ୨୦୧୮ ତୁଳନାରେ ୨୦୧୯ରେ ୭୬ପ୍ରତିଶତ ମାମଲା ବଢ଼ିଛି। ଏଟିଏମ୍ ଠକେଇ ମାମଲାରେ ଓଡ଼ିଶା ଦେଶରେ ତିନି ନମ୍ବରରେ ରହିଛି। ସର୍ବାଧିକ ଏଟିଏମ୍ ଠକେଇ ମାମଲା ବିହାରରେ ହୋଇଥିବା ବେଳେ ସଂଖ୍ୟା ଥିଲା ୭୯୨। ଏହା ପଛକୁ ମହାରାଷ୍ଟ୍ରରେ ୪୫୪ ଏବଂ ଓଡ଼ିଶାରେ ୩୩୧ଟି ମାମଲା ରୁଜୁ ହୋଇଛି। ଗତବର୍ଷ ବିଚାର ପାଇଁ ୭୬୮ଟି ମାମଲା ଥିବା ବେଳେ ଗୋଟିଏରେ ବି ଦଣ୍ଡାଦେଶ ହୋଇ ପାରି ନାହିଁ। ଯାହା ଅପରାଧକୁ ବଢ଼ାଉଛି ବୋଲି କହିଛନ୍ତି ଆଇନଜୀବୀ ଚିତ୍ତରଞ୍ଜନ ଦାଶ। ତ୍ବରିତ ତଦନ୍ତ, ଚାର୍ଜସିଟ୍ ଓ ବିଚାରପ୍ରକ୍ରିୟା ହୋଇପାରିଲେ ଅପରାଧକୁ ରୋକି ହେବ ବୋଲି ସେ କହିଛନ୍ତି।

ଅପରାଧୀଙ୍କୁ ଧରିବା ପାଇଁ ଦାବି
ପୁଲିସ କମିନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁରେ ଠକ ନକଲି ଆକାଉଣ୍ଟ ତିଆରି କରିବା ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଜଣାପଡ଼ିବା ପରେ ଗତ ୧୧ତାରିଖ ରାତିରେ ଶ୍ରୀ ଷଡ଼ଙ୍ଗୀ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଷ୍ଟାଟସ୍ ଅପଡେଟ୍ କରି ନକଲି ଆକାଉଣ୍ଟ ସମ୍ପର୍କରେ ଅବଗତ କରାଇଥିଲେ। ସେ କାହାକୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ନାହାନ୍ତି କିମ୍ବା ଟଙ୍କା ମଧ୍ୟ ମାଗି ନାହାନ୍ତି ବୋଲି ଉଲ୍ଲେଖ କରିଥିଲେ। ଏହି ପୋଷ୍ଟ ଉପରେ ଏକାଧିକ ଲୋକ ପ୍ରତିକ୍ରିୟାଶୀଳ ହୋଇଥିଲେ। ସାଇବର ଠକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏକାଧିକ ବ୍ୟକ୍ତି ପୁଲିସ କମିସନର୍‌ଙ୍କ ଫେସବୁକ୍‌ ପୋଷ୍ଟ ଉପରେ କମେଣ୍ଟ ଜରିଆରେ ପ୍ରତିକ୍ରିୟା ରଖିଥିଲେ। ସାଧାରଣରେ ଦାବି ଉଠୁଥିବା ବେଳେ ପୁଲିସ କାହିଁକି ଚୁପ୍ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର