ସାମୁଦ୍ରିକ ଥାନାଗୁଡ଼ିକରେ ଖାଲିପଡ଼ିଛି ୫୦ ପ୍ରତିଶତ ପଦ, କେତେ ଦିନ ଭିତରେ ପୂରଣ ହେବ ଜଣାଅ: ହାଇକୋର୍ଟ

ଅଲିଭ୍‌ ରିଡ୍‌ଲେ କଇଁଛ ସୁରକ୍ଷା ମାମଲା

କଟକ : ରାଜ୍ୟର ମେରାଇନ୍‌ ଥାନାଗୁଡ଼ିକରେ ୫୦ ପ୍ରତିଶତ ପଦବି ଖାଲିପଡ଼ିଛି। ବେଆଇନ ଭାବେ ଟ୍ରଲରଗୁଡ଼ିକ ସମୁଦ୍ରର ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ମାଛ ମାରୁଥିବା ବେଳେ ସାମୁଦ୍ରିକ ଥାନାଗୁଡ଼ିକ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ସମୁଦ୍ରରେ ବେଆଇନ ଟ୍ରଲର୍‌ ଚଳାଚଳ ନେଇ ମତ୍ସ୍ୟ ବିଭାଗ ଅବଗତ କରିବାପରେ ମଧ୍ୟ ସାମୁଦ୍ରିକ ଥାନାରୁ କୌଣସି ସହଯୋଗ ମିଳୁନାହିଁ। ଫଳରେ ବାହାର ରାଜ୍ୟର ଟ୍ରଲର୍‌ ଓଡ଼ିଶା ସମୁଦ୍ରର ନିଷିଦ୍ଧାଞ୍ଚଳରେ ମାଛମାରି ସହଜରେ ଖସିଯାଉଛନ୍ତି। ଏଭଳି ସ୍ଥିତିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ସଂପର୍କିତ ମାମଲା ହାଇକୋର୍ଟରେ ଶୁଣାଣି ସମୟରେ ଆମିକସ୍ କ୍ୟୁରୀ ଦାଖଲ କରିଥିବା ରିପୋର୍ଟରୁ ଆଜି ଏଭଳି ତଥ୍ୟ ସ୍ପଷ୍ଟ ହୋଇଛି।

NPR

ସାମୁଦ୍ରିକ ଥାନାଗୁଡ଼ିକରେ ଖାଲିପଡ଼ିଥିବା ପଦବିଗୁଡ଼ିକ ପୂରଣ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। କେତେ ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସାମୁଦ୍ରିକ ଥାନାଗୁଡ଼ିକରେ ଖାଲିପଡ଼ିଥିବା ପଦବି ପୂରଣ କରାଯିବ ‌ସେ ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ସମୁଦ୍ରରେ ମାଛ ମାରୁଥିବା ବୋଟ୍, ଟ୍ରଲର୍‌ଗୁଡ଼ିକରେ ଟ୍ରାନ୍ସପୋଣ୍ଡର ବସା ଯିବା ପ୍ରସଂଗରେ କ’ଣ ସ୍ଥିତି ରହିଛି ଓ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ରାଜ୍ୟ ସରକାରଙ୍କ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ୍ ଆର୍‌.‌କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୬କୁ ଧାର୍ଯ୍ୟ କରାଯାଇଛି। ଆମିକସ୍ କ୍ୟୁରୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର