ଅନ୍‌ଲାଇନ୍‌ ଡେଲିଭରିବୟଙ୍କ ଉପରେ ଚଢ଼ିଗଲା ଚୋରା ବାଲି ବୋଝେଇ ଟ୍ରକ୍‌; ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା

ବେତନଟୀ ସଦର: ଅନ୍‌ଲାଇନ୍‌ ଡେଲିଭରିବୟ ଉପରେ ଚୋରା ବାଲି ବୋଝେଇ ଟ୍ରକ୍‌ ଚଢ଼ିଯାଇଛି। ଦୁର୍ଘଟଣାର ଶିକାର ହୋଇଥିବା ଯୁବକ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ଅଭିଜିତ ମହାନ୍ତି (୨୩)। ଏହି ଘଟଣା ପରେ ଉତ୍ତେଜନା ଦେଖାଯାଇଛି।

ସୂଚନା ଅନୁସାରେ ବୈଶିଙ୍ଗା ଥାନା ଅଧୀନ ଅମ୍ବଗଡ଼ିଆ ଗ୍ରାମର ଘନଶ୍ୟାମ ମହାନ୍ତିଙ୍କ ସାନ ପୁଅ ଅଭିଜିତ ମହାନ୍ତି (ରାଜା) ଅନ୍‌ଲାଇନ୍‌ କଂପାନି ଫ୍ଲିପ୍‌କାର୍ଟରେ ଡେଲିଭରିବୟ ଭାବେ କରୁଥିଲେ। ସେ ଗ୍ରାହକଙ୍କ ନିକଟକୁ ବିଭିନ୍ନ ଜିନିଷପତ୍ର ପହଞ୍ଚାଉଥିଲେ। ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ କଣ୍ଟିପୁର ରାସ୍ତାରେ ଗୁରୁବାର ଅପରାହ୍ନରେ ଏକ ଚୋରା ବାଲି ବୋଝେଇ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଏହା ପରେ ଘଟଣାସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିଥିଲା। ସ୍ଥାନୀୟ ଲୋକେ ଅଭିଜିତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। କିନ୍ତୁ ସେଠାରେ ଅଭିଜିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ବୈଶିଙ୍ଗା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଦୁର୍ଘଟଣା ଭିଆଇ ଥିବା ଚୋରା ବାଲି ବୋଝେଇ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇ ଥିବା ଟ୍ରକଟି ରୁପ୍ସା ଅଞ୍ଚଳର ରଣଜିତ ମନ୍ତ୍ରୀଙ୍କ ନାମରେ ପଞ୍ଜିକୃତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର