ଫନି ପ୍ରଭାବିତ ଅଞ୍ଚଳରେ ବ୍ୟ‌ାପକ ବୃକ୍ଷରୋପଣ, ଲଗାଯିବ ୮୦ ଲକ୍ଷ, ବଣ୍ଟା ହେବ ୫୦ ଲକ୍ଷ ଚାରା

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଫନି‌ ଓଡ଼ିଶା ଉପକୂଳରେ ବ୍ୟାପକ କ୍ଷତି ଘଟାଇଥିବା ବେଳେ ପ୍ରଭାବିତ ଜିଲ୍ଲାମାନଙ୍କରେ କେବଳ ୨୨ ଲକ୍ଷ ଗଛ ନଷ୍ଟ କରିଛି। ତେଣୁ ରାଜ୍ୟ ସରକାର ଚଳିତବର୍ଷ ଫନି ପ୍ରଭାବିତ ଅଞ୍ଚଳରେ ବନ ବିଭାଗ ଦ୍ବାରା ୮୦ ଲକ୍ଷ ଗଛ ଲଗାଇବାକୁ ବଦ୍ଧ ପରିକର। ଏଥିସହିତ ପ୍ରଭାବିତ ଜିଲ୍ଲାମାନଙ୍କରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଲୋକମାନଙ୍କୁ ବନ ବିଭାଗ ପକ୍ଷରୁ ମାଗଣାରେ ୫୦ ଲକ୍ଷ ଚାରା ବଣ୍ଟନ କରାଯିବ। ପୂର୍ବରୁ ଜାରି ରହିଥିବା ଗ୍ରିନ ମହାନଦୀ ମିସନ୍‌, ଆମ ଜଙ୍ଗଲ ଯୋଜନା, ସବୁଜ ଓଡ଼ିଶା ମିସନ୍‌ ଆଦି ନୂତନ ବନୀକରଣ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟରେ ମୋଟ ୬ କୋଟି ଗଛ ଲଗାଯିବ ଓ ୪ କୋଟି ଚାରା ରୋପଣ କରିବା ପାଇଁ ବିଭନ୍ନ ସାମାଜିକ ଅନୁଷ୍ଠାନ ଓ ସ୍ବେଚ୍ଛାସେବୀମାନଙ୍କୁ ବଣ୍ଟନ କରାଯିବ। ବୁଧବାର ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ପରିସରରେ ଏକ ବଉଳ ଗଛ ରୋପଣ କରିଥିଲେ। ପରେ ସଭା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ବାର୍ତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ପିଲାମାନେ ହିଁ ଓଡ଼ିଶାକୁ ସବୁଜ ସୁନ୍ଦର କରି ଗଢ଼ି ତୋଳିବେ। ଗଛ ହିଁ ଜୀବନ। ଗଛ ବଞ୍ଚିଲେ ପରିବେଶ ବଞ୍ଚିବ ଓ ପରିବେଶ ବଞ୍ଚିଲେ ଆମେ ସୁସ୍ଥ ନିରାମୟ ଜୀବନ ବଞ୍ଚିପାରିବା। ତେଣୁ ଗଛର ଯତ୍ନ ନେଲେ ଗଛ ଆମର ଯତ୍ନ ନେବ ବୋଲି ସେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ତେଣୁ ବନୀକରଣ‌ରେ ପିଲାମାନେ ବହୁ ସଂଖ୍ୟାରେ ସାମିଲ୍ ହୁଅନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ ରାଉରକେଲା ବନଖଣ୍ଡ ପାନପୋଷ ରେଞ୍ଜ ଅନ୍ତର୍ଗତ ଏରଗେଡ଼ା ବନ ସଂରକ୍ଷଣ ସମିତିକୁ ଜଙ୍ଗଲ ସୃଷ୍ଟି ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସେ ପୁରସ୍କୃତ କରିଥିଲେ। ସେହିଭଳି ବନ ବିଭାଗ ପକ୍ଷରୁ ରାଜଧାନୀର ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ପରିବେଶ ସୁରକ୍ଷା ଭିତ୍ତିକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ‌ସେ ପରୁସ୍କୃତ କରିଥି‌ଲେ।

କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍‌, ସାମାଜି୍ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ରାଜ୍ୟ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଓ ପିସିସିଏଫ୍ ଡ. ସନ୍ଦୀପ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୭୦ତମ ବନ ମହୋତ୍ସବ ଉପରେ ଆଧାରିତ ଏକ ପତ୍ରିକା ଉନ୍ମୋଚନ କରାଯାଇଥିଲା। ଶେଷରେ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ମହାନ୍ତି ଧନ୍ୟବାଦ ଅପର୍ଣ କରିଥିଲେ।

ସମ୍ବନ୍ଧିତ ଖବର