ଏସ୍‌ସିବିରେ ୧୭୭ ବରିଷ୍ଠ ଡାକ୍ତର ପଦ ଖାଲି, ବିନା ମେଡିକାଲ ଅଫିସରରେ ଚାଲିଛି ଟ୍ରମା ଆଇସିୟୁ

କଟକ : କେବଳ ଗ୍ରୁପ୍‌ ‘ଡ଼ି’ କର୍ମଚାରୀ ନୁହନ୍ତି, ଏସ୍‌ସିବିରେ ୧୭୭ଟି ବରିଷ୍ଠ ଡାକ୍ତର ପଦବି ଖାଲି ପଡିଛି। ପ୍ରଫେସର, ଆସୋସିଏଟ୍‌ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ସିନିୟର ରେସିଡେଣ୍ଟ ପଦ ବି ଖାଲିପଡିଛି। ଗତ ମାସରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟର ସମସ୍ତ ମେଡିକାଲ କଲେଜରେ ଖାଲିଥିବା ବରିଷ୍ଠ ଡାକ୍ତର ପଦ ସଂପର୍କରେ ଆଲୋଚନା କରାଯାଇଥିଲା। ‌ଏସ୍‌ସିବିରେ ୫୯୯ଜଣ ବରିଷ୍ଠ ଡାକ୍ତର ରହିବା କଥା। ସେଥିରୁ ୪୨୨ ଜଣ ଥିବାବେଳେ ୧୭୭ ଡାକ୍ତର ପଦ ଖାଲି ପଡିଛି। ଏପରିକି ବିନା ମେଡିକାଲ ଅଫିସରରେ ଚାଲିଛି ଟ୍ରମା ଆଇସିୟୁ । ଗତ ମାସରେ ଟ୍ରମା ଆଇସିୟୁ ପାଇଁ ଠିକାଭିତ୍ତିରେ ନିଯୁକ୍ତି ପାଇଥିବା ୪ଜଣ ଠିକା ଡାକ୍ତର ତଥା ଆଇସିୟୁ ମେଡିକାଲ ଅଫିସର ନିଯୁକ୍ତି ପାଇଥିଲେ। ହେଲେ କାର୍ଯ୍ୟରେ ଯୋଗଦେବାର କିଛିଦିନ ପ‌ରେ ସେମାନେ ଚାକିରି ଛାଡି ଦେଇଥିଲେ। ଏବେ ଟ୍ରମା ଆଇସିୟୁରେ ଏହି ପଦ ଖାଲି ପଡିଛି।

ସୂଚନା ଅନୁସାରେ, କଟକ ବଡ ମେଡିକାଲରେ ବରିଷ୍ଠ ଡାକ୍ତର ଅଭାବ ସମସ୍ୟା ଯେତିକି ସମସ୍ୟା ସୃଷ୍ଟି କରୁନି, ତା’ଠାରୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ସମସ୍ୟା ବଳି ପଡୁଛି। ଏସ୍‌ସିବିରେ ୬୩ ଜଣ ପ୍ରଫେସର ରହିବା କଥା। କିନ୍ତୁ ଅଛନ୍ତି ୫୩ ଜଣ। ସେହିପରି ୧୦୫ ଜଣ ଆସୋସିଏଟ୍‌ ପ୍ରଫେସରଙ୍କ ସ୍ଥାନରେ ଅଛନ୍ତି ୭୯ଜଣ। ୨୬ଟି ପଦ ଖାଲି ପଡିଛି। ସବୁଠାରୁ ଅଧିକ ଖାଲି ପଡିଛି ଆସିଷ୍ଟାଣ୍ଟ ପ୍ରଫେସର ପଦ। ୨୨୯ଟି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ଥାନରେ ୧୫୫ ଜଣ ରହିଛନ୍ତି। ଫଳରେ ୭୪ଟି ପଦ ଖାଲି ପଡିଛି। ଅନ୍ୟପଟେ ୧୫୯ଟି ସିନିୟର ରେସିଡେଣ୍ଟ ଡାକ୍ତର ରହିବା କଥା। ସେମାନଙ୍କ ବଦଳରେ ରହିଛନ୍ତି ୧୦୦ ଜଣ । ଫଳରେ ୫୯ଟି ପଦ ଖାଲି ପଡିଛି। ସେହିପରି ୪୩ଟି ଟ୍ବିଟର ରହିବା ସ୍ଥାନରେ ଅଛନ୍ତି ୩୫ ଜଣ। ୮ଟି ପଦ ଖାଲି ପଡିଥିବା ସରକାରୀ ତଥ୍ୟରୁ ଜଣାପଡିଛି। ୧୭୭ଟି ଖାଲିଥିବା ପଦ ପୂରଣ ଦିଗରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବା ପାଇଁ ଦାବି ହେଉଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା,ଟ୍ରମା ଆଇସିୟୁରେ ଖାଲିପଡିଥିବା ମେଡିକାଲ ଅଫିସର ପଦ ପୂରଣ ପାଇଁ ପୁଣି ଥରେ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର