ଅସ୍ତ୍ରାଗାର ଲୁଟ୍‌ ରହସ୍ୟ ବଢ଼ିଲା

ଅର୍ଥାଭାବରେ ଥିଲା ଗୁଲସନ୍‌, ପାହାଡ଼ି ଚିତା ସଂପର୍କ ଘନୀଭୂତ

ସୁନ୍ଦରଗଡ଼/ଭୁବନେଶ୍ବର : ସୁନ୍ଦରଗଡ଼ ଜିଲ୍ଲା ପୁଲିସ ଅସ୍ତ୍ରାଗାରରୁ ଚୋରି ଘଟଣାକୁ ନେଇ ପୁଲିସ ଉଚ୍ଚ କର୍ତୃପକ୍ଷ ବିଚଳିତ ହୋଇପଡ଼ିଛନ୍ତି। ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଘଟଣାର ତଦନ୍ତ ଦାୟିତ୍ବ ଡିଆଇଜି କବିତା ଜଲାନଙ୍କୁ ଦିଆଯାଇଛି। କେଉଁ ପରିସ୍ଥିତିରେ ଗିରିଫ କନଷ୍ଟେବଳ ଗୁଲସନ୍ କିପରି ଅସ୍ତ୍ରାଗାରରୁ ଲୁଟ୍ କଲେ, ତାର ଖୋଳତାଡ଼ ଚାଲିଛି। ଅନ୍ୟପକ୍ଷରେ, ଏହି ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହେଲାଣି। ଆର୍ଥିକ ଦୁଃସ୍ଥିତିରେ ପଡ଼ି ଗୁଲସନ୍ ଗୁଳି ଲୋଡ୍ ଥିବା ଚାରିଟି ମାଗାଜିନ୍ ଚୋରି କରିଥିଲା ବୋଲି ସୂଚନା ମିଳିଛି। ୨ ମାସ ଦରମା ମିଳିନଥିଲା ଓ ସହକର୍ମୀଙ୍କ ଠାରୁ ଅର୍ଥ ଧାର ବି କରିଥିଲା। ଏଥିରୁ ମୁକୁଳିବା ଲାଗି ସେ ଏଭଳି କାଣ୍ଡ କରିଥିବା ଜଣାପଡୁଛି। କେବଳ ସେତିକି ନୁେହଁ, ପୁଲିସ ଫାଙ୍କୁଥିଲେ ବି ଏହି ଘଟଣାରେ ପାହାଡ଼ୀ ଚିତା ଲିଙ୍କ ସନ୍ଦେହ ଘନୀଭୂତ ହେଲାଣି।

ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ସବଡେଗାର କିରାଲଗା ଗାଁର ଗୁଲସନ୍‌ ଥଇଥାନ ଯୋଜନାରେ ନିଯୁକ୍ତି ପାଇଥିଲା। ପୁଲିସ ବିଭାଗରେ ତାର ବାପା କାମ କରୁଥିଲେ। ୨୦୧୫ରେ କନଷ୍ଟେବଳ ଭାବେ ତାକୁ ସିଧାସଳଖ ନିଯୁକ୍ତିି ଦିଆଯାଇଥିଲା। ବିଭାଗ ପକ୍ଷରୁ ତାକୁ କୌଣସି ତାଲିମ ଦିଆଯାଇନାହିଁ। ଏହା ମଧ୍ୟରେ ସେ ନିଜ ଡ୍ୟୁଟି ଠିକ୍‌ ଭାବେ ପାଳନ କରୁନଥିବା ଅଭିଯୋଗ ରହିଥିଲା। ଏଥିପାଇଁ ଅକ୍ଟୋବରରୁ ତାର ଦରମା ବନ୍ଦ କରି ଦିଆଯାଇଥିଲା। ୨୪ ତାରିଖରେ ବାରାକର ଅସ୍ତ୍ରାଗାର ନିକଟରେ ଭୋଜି ଚାଲିଥିଲା। ସମସ୍ତେ ଭୋଜିରେ ବ୍ୟସ୍ତ ଥିଲେ। ଏହାର ସୁଯୋଗ ନେଇ ଗୁଲସନ୍‌ ଅସ୍ତ୍ରାଗାରରେ ପଶି ମାଗାଜିନ୍‌ ଚୋରି କରିଥିଲା। ହେଲେ ସେସବୁକୁ ବାହାରକୁ ନେବାକୁ ସୁଯୋଗ କି ସମୟ ପାଇ ନ ଥିଲା।

ଆଜି ସମ୍ବାଦକୁ ସୂଚନା ଦେଇ ଡିଆଇଜି କବିତା ଜଲାନ୍ କହିଛନ୍ତି, ଚୋରି ଗୁଳି ଜବତ କରିବା ବଡ଼ ଚ୍ୟାଲେଞ୍ଜ ଥିଲା। ଶତ ପ୍ରତିଶତ ଚୋରି ସାମଗ୍ରୀ ଉଦ୍ଧାର ହୋଇଛି। ତେବେ କେବଳ ଏତିକି ଚୋରି ହୋଇଥିଲା ନା ଆଗରୁ କେବେ ଏଭଳି ଉଦ୍ୟମ ହୋଇଛି, ତାହା ଜାଣିବା ଲାଗି ଅସ୍ତ୍ରାଗାରର ସବୁ ସାମଗ୍ରୀର ସାନି ଗଣତି ଚାଲିଛି। ବର୍ତମାନ ଯାଏ ଯେତିକି ତଦନ୍ତ ଆଗେଇଲାଣି, ସେଥିରୁ ଗୁଲସନର ଆପରାଧିକ ଗ୍ୟାଙ୍ଗ ସହିତ ସଂପୃକ୍ତି ଜଣାପଡ଼ିନାହିଁ। ତାର କଲ୍ ରେକର୍ଡ ଆଦି ଯାଞ୍ଚ କରାଯାଇଛି। ତେବେ ତାର ମାନସିକ ସ୍ଥିତି ଠିକ୍ ନ ଥିବା ଡିଆଇଜି କହିଛନ୍ତି।

ସମ୍ବନ୍ଧିତ ଖବର