ହାଇସ୍କୁଲରେ ଖେଳକୁ ପ୍ରୋତ୍ସାହନ

କ୍ରିକେଟ୍‌, ହକି, ତୀରନ୍ଦାଜି ସାମଗ୍ରୀ ଦିଆଯିବ, ୩୧ ସ୍କୁଲରେ ପ୍ରତିଷ୍ଠା ହେବ ବ୍ୟାଣ୍ଡ୍‌ ଟ୍ରୁପ୍‌

ଭୁବନେଶ୍ବର : ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲସ୍ତରରୁ କ୍ରୀଡ଼ାକୁ ପ୍ରୋତ୍ସାହନ କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ହାତକୁ ନେଉଛନ୍ତି। ହକି ଖେଳକୁ ପ୍ରୋତ୍ସାହନ କରିଥିବା ବେଳେ ଏବେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଫୁଟବଲ୍‌ ବଣ୍ଟନ କରୁଛନ୍ତି। ଆଗାମୀ ଦିନରେ କ୍ରିକେଟ୍‌ ଓ ତୀରନ୍ଦାଜି ଖେଳାଳି ସୃଷ୍ଟି କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। ଜିଲ୍ଲାସ୍ତରରେ ଗୋଟିଏ ଲେଖାଏ ହାଇସ୍କୁଲରେ ଗୋଟିଏ ଖେଳର ଭିତ୍ତିଭୂମି ବିକାଶ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ କ୍ରିକେଟ୍‌, ହକି, ତୀରନ୍ଦାଜି ଖେଳ ଲାଗି ଗୋଟିଏ ଲେଖାଏ ହାଇସ୍କୁଲକୁ ଚୟନ କରାଯିବା ସହ ଛାତ୍ରଛାତ୍ରୀଙ୍କ ଲାଗି ଖେଳ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯିବ। ଏଥିଲାଗି ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କଠାରୁ ତଥ୍ୟ ମଗାଯାଇଛି।

କ୍ରିକେଟ୍‌ ଓ ହକି କ୍ଷେତ୍ରରେ ଜିଲ୍ଲାର କେଉଁ ହାଇସ୍କୁଲର ପିଲାମାନେ ଭଲ ପ୍ରଦର୍ଶନ କରୁଛନ୍ତି ତାହାର ରିପୋର୍ଟ ପ୍ରଦାନ କରିବାକୁ ୨୩ଟି ଡିଇଓଙ୍କୁ କୁହାଯାଇଛି। ଏହି ତାଲିକାରୁ ଅନୁଗୁଳ, ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲା ସମେତ ଭୁବନେଶ୍ବରସ୍ଥିତି କ୍ୟାପିଟାଲ ହାଇସ୍କୁଲକୁ ବାଦ୍‌ ଦିଆଯାଇଛି। ସେହିପରି ତୀରନ୍ଦାଜିରେ ଜିଲ୍ଲାର କେଉଁ ହାଇସ୍କୁଲ ଉନ୍ନତ ପ୍ରଦର୍ଶନ କରୁଛି ତାହାର ତାଲିକା ଦେବାକୁ ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ନୂଆପଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ମାଲକାନଗିରି ଜିଲ୍ଲାର ଡିଇଓଙ୍କୁ କୁହାଯାଇଛି। ନଭେମ୍ବର ୫ ସୁଦ୍ଧା ଡିଇଓମାନେ ଗୋଟିଏ ହାଇସ୍କୁଲ ଚୟନ କରି ରିପୋର୍ଟ ପ୍ରଦାନ କରିବା ପରେ ଉକ୍ତ ବିଦ୍ୟାଳୟକୁ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ତୀରନ୍ଦାଜି କିଟ୍‌ ପ୍ରଦାନ କରାଯିବ। ଡିଇଓମାନେ ସ୍କୁଲ ନାମ, ସ୍କୁଲ ଦ୍ବାରା ପରିଚାଳିତ ହେଉଥିବା ବ୍ୟା‌ଙ୍କ ଆକାଉଣ୍ଟ, ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ନାମ, ଆକାଉଣ୍ଟ ନମ୍ବର ଓ ଆଇଏଫ୍‌ଏସ୍‌ସି କୋଡ୍‌ ନମ୍ବର ଦାଖଲ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି।

କେବଳ ଖେଳ ନୁହେଁ, ଜିଲ୍ଲାସ୍ତରରେ ଗୋଟିଏ ଲେଖାଏ ହାଇସ୍କୁଲ‌ରେ ବ୍ୟାଣ୍ଡ୍‌ ଟ୍ରୁପ୍‌ ଗଢ଼ିବାକୁ ନିଷ୍ପତ୍ତି ହୋଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ୩୦ ଜିଲ୍ଲାରେ ୩୦ଟି ଏବଂ କ୍ୟାପିଟାଲ ହାଇସ୍କୁଲରେ ଗୋଟିଏ ଟ୍ରୁପ୍‌ ଗଠନ କରାଯିବ। ଏଥିପାଇଁ ଜିଲ୍ଲାର ସବୁଠାରୁ ପୁରୁଣା ଓ ନାମକରା ଗୋଟିଏ ହାଇସ୍କୁଲକୁ ଚିହ୍ନଟ କରିବାକୁ ଡିଇଓମାନଙ୍କୁ କୁହାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୩୨ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଗୋଟିଏ ଟ୍ରୁପ୍‌ ଗଠନ ହେବ। ପ୍ରତି ବ୍ୟାଣ୍ଡ୍‌ ପାର୍ଟିରେ ଢୋଲ୍‌, ବିଗୁଲ୍‌, ଘୋସ ଢାଲ, ଝୁମୁକା, ସ‌ାସ୍କୋ ଫୋନ୍‌, ବ୍ୟାଣ୍ଡ୍‌ ମାଷ୍ଟର ଷ୍ଟିକ୍‌ ଆଦି ରହିବ। ୩୨ଜଣ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ପ୍ରଦାନ କରାଯିବ। ସାମଗ୍ରୀ କିଣିବା ଲାଗି ୮୬ ହଜାର ଟଙ୍କାର ବ୍ୟୟବରାଦ ହୋଇଛି। ୩୧ଟି ବିଦ୍ୟାଳୟ ଲାଗି ୨୬ ଲକ୍ଷ ୬୬ ହଜାର ଟଙ୍କାର ବ୍ୟୟବରାଦ ହୋଇଛି। ସ୍କୁଲର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ସାମଗ୍ରୀ କିଣିବା ଲାଗି ଏକ କମିଟି ଗଠନ ହେବ। ଯେଉଁଥିରେ ପ୍ରଧାନଶିକ୍ଷକ ଅଧ୍ୟକ୍ଷ ରହିଥିବା ବେଳେ ଜଣେ ସହକାରୀ ଶିକ୍ଷକ, ସ୍କୁଲ ପରିଚାଳନା କମିଟିର ୨ଜଣ ସଦସ୍ୟ ଓ ପିଇଟି ରହିବେ।

ସମ୍ବନ୍ଧିତ ଖବର