ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି: ଓଡ଼ିଶାର କାଲିମେଳାରେ ସର୍ବକାଳୀନ ରେକର୍ଡ

ମାଲକାନଗିରି: ଦେଶରେ ଯେଉଁ ଭଳି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି, ଠିକ୍ ସେହିଭଳି ଓଡ଼ିଶାରେ ବି ତାହା ଘଟିଛି। ମଙ୍ଗଳବାର ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଏହା ସର୍ବାଧିକ ଥିବା ଜଣାଯାଇଛି। ମାଲକାନଗିରି ଠାରୁ ମାତ୍ର ୪୦ କିଲୋମିଟର ଦୂର କାଲିମେଳାରେ ଆଜି ସମସ୍ତ ରେକର୍ଡ ଭାଙ୍ଗିଛି ପେଟ୍ରୋଲ ଓ ଡିଜେଲ ଦର।

ମିଳିଥିବା ସୂଚନା ଅନୁଯାୟୀ ଆଜି କାଲିମେଳାରେ ପେଟ୍ରୋଲ ଦର ଲିଟର ପିଛା ୧୧୦ ଟଙ୍କା ୧୧ ପଇସା ରହିଛି। ଅପରପକ୍ଷରେ ମାଲକାନଗିରିରେ ଆଜି ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୦୯ ଟଙ୍କା ୧୧ ପଇସା ଓ ୧୦୪ ଟଙ୍କା ୭୨ ପଇସା ଥିବା ଜଣାଯାଇଛି। ଗତକାଲି ଏଠାରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୦୮ ଟଙ୍କା ୮୫ ପଇସା ଓ ୧୦୪ ଟଙ୍କା ୩୯ ପଇସା ଥିଲା।
ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ଏତେ ମାତ୍ରାରେ ପେଟ୍ରୋଲ ଓ ଡିଜେଲ ଦର ବଢୁଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ପେଟ୍ରୋଲ ଓ ଡିଜେଲ ବିକ୍ରି ହ୍ରାସ ପାଉ ନଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଆଜି ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୩ ଟଙ୍କା ୨୭ ପଇସା ଥିବା ବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୯୮ ଟଙ୍କା ୯୮ ପଇସା ରହିଛି। ଏଣେ ରାଜଧାନୀ ନୂଆଦିଲ୍ଲୀ ସମେତ ସମସ୍ତ ମହାନଗରରେ ତୈଳ ଦର ବୃଦ୍ଧି ପାଇଛି। ଆଇଓସିଏଲର ୱେବସାଇଟ ମୁତାବକ, ପେଟ୍ରୋଲ ୧ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି। ଏହା ସହ ନୂଆଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୧୦୨ ଟଙ୍କା ୬୪ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ଦର ୯୧ ଟଙ୍କା ୦୭ ପଇସା ରହିଛି।

ସମ୍ବନ୍ଧିତ ଖବର