ଚାଷୀଙ୍କ ଉପରେ ଗାଡ଼ି ଚଢ଼ିଯାଉଥିବାର ଭିଡିଓ ଟ୍ବିଟ କରି ପ୍ରଧାନମନ୍ତ୍ରୀଙ୍କୁ ଏଭଳି ପ୍ରଶ୍ନ କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ନୌ ଗସ୍ତର କିଛି ଘଣ୍ଟା ପୂର୍ବରୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ଲଖିମପୁର ଖେରିରେ ଘଟିଥିବା ଘଟଣାର ଏକ ଭିଡିଓ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଏହା ଦେଖିଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

ଘଟଣାର ଭିଡିଓ ଟ୍ବିଟ କରି କ୍ୟାପସନରେ ସେ ଲେଖିଛନ୍ତି ଯେ, ମୋଦୀଜୀ ଆପଣଙ୍କର ସରକାର ମୋତେ ଗତ ୨୮ଘଣ୍ଟା ଧରି କୌଣସି ଆଦେଶ ଏବଂ ଏତଲା ବିନା ହେପାଜତରେ ରଖିଛନ୍ତି। ହେଲେ ଅନ୍ନଦାତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଏହି ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ କାହିଁକି?

ଟୁଇଟ କରାଯାଇଥିବା ଅନ୍ୟ ଏକ ଭିଡିଓରେ ‌ସେ କହିଛନ୍ତି ଯେ, ମୁଁ ଶୁଣିଛି, ମୋଦୀଜୀ ଆପଣ ଆଜି ସ୍ବାଧୀନତାର ଅମୃତ ଉତ୍ସବ ପାଳନ ପାଇଁ ଲକ୍ଷ୍ନୌ ଆସୁଛନ୍ତି। ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଛି କି ଆପଣ ଏହି ଭିଡିଓ ଦେଖିଛନ୍ତି କି? ଏହା ପରେ ସେ ଅନ୍ୟ ଏକ ଫୋନରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ିଯାଉଥିବାର ଭିଡିଓ ଦେଖାଉଛନ୍ତି। ଭିଡିଓ ଦେଖାଇସାରିବା ପ‌ରେ ସେ ମୋଦୀଜୀଙ୍କୁ ପୁଣି ପ୍ରଶ୍ନ କରୁଛନ୍ତି ଯେ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ପାଇଁ ଏଭଳି କାଣ୍ଡ ଘଟାଇଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବରଖାସ୍ତ କାହିଁକି କରାଯାଇନାହିଁ? ତାଙ୍କ ପୁଅକୁ କାହିଁକି ଗିରଫ କରାଯାଇନାହିଁ? ମୋ ଭଳି ବିରୋଧୀ ନେତ୍ରୀଙ୍କୁ ଆପଣ କୌଣସି ଆଦେଶ ଏବଂ ଏତଲା ବିନା ହେପାଜତରେ ରଖିଛନ୍ତି। ହେଲେ ଦୋଷ କରିଥିବା ଲୋକକୁ କାହିଁକି ଗିରଫ କରାଯାଉନାହିଁ??

ତାଙ୍କର ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର