ହୁହୁ ହୋଇ ଜଳୁଛି ଶିମିଳିପାଳ: ବନ୍ୟଜନ୍ତୁ କଲବଲ, ଶହଶହ ବର୍ଷର ପୁରୁଣା ଗଛ ନଷ୍ଟ

ବାରିପଦା: ମୁଣ୍ଡଫଟା ଖରା ଓ ଜଙ୍ଗଲ ନିଆଁ ପାଇଁ ସମଗ୍ର ମୟୂରଭଞ୍ଜ ଏବେ ଅଗ୍ନିପିଣ୍ଡୁଳା ପାଲଟିଛି। ଶିମିଳିପାଳ ଭଳି ଘଞ୍ଚ ଓ ବିସ୍ତୀର୍ଣ୍ଣ ଜଙ୍ଗଲ ଜିଲ୍ଲାକୁ ଚାରିପଟୁ ଘେରି ରଖିଥିଲେ ମଧ୍ୟ ଏହାର କିଛି ପ୍ରଭାବ ପଡ଼ୁନାହିଁ। ବରଂ, ଭୂଖଣ୍ଡର ତାପମାତ୍ରା ବଢ଼ାଉଛି ବନାଗ୍ନି। ଖରାଦିନେ ଯେଉଁଠି ଅପେକ୍ଷାକୃତ କମ୍ ଗରମ ଅନୁଭୂତ ହେଉଥିଲା, ସେଠି ଆଜି ନିଆଁ ବର୍ଷୁଛି। ଆଜି ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ଜିଲ୍ଲା ସଦର ମହକୁମା ବାରିପଦା। ସପ୍ତାହେ ହେଲା ତାତିରୁ ତ୍ରାହି ମିଳୁନଥିବା ବେଳେ ଏହି ସମୟରେ ଶିମିଳିପାଳର ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ପରିସ୍ଥିତିକୁ ଅଣାୟତ୍ତ କରିଛି। ବନାଗ୍ନି ନିୟନ୍ତ୍ରଣ ପାଇଁ ବନ ବିଭାଗର ସମସ୍ତ ପ୍ରସ୍ତୁତି ଓ ବ୍ୟାପକ ସଚେତନତା ସତ୍ତ୍ବେ ଆଜି ଗୋଟିଏ ଦିନରେ ୧୩ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଛି। ଚଳିତବର୍ଷ ଗୋଟିଏ ଦିନରେ ଏହା ସର୍ବାଧିକ ଅଗ୍ନିବଳୟ (ଫାୟାର ପଏଣ୍ଟ) ବୋଲି କହିଛି ବନ ବିଭାଗ।

ଚଳିତବର୍ଷ ମାର୍ଚ୍ଚ ୨୦ରୁ ଏପ୍ରିଲ ୨୦ ତାରିଖ, ମାସକ ମଧ୍ୟରେ ଶିମିଳିପାଳର ମୋଟ ୧୩୪ଟି ସ୍ଥ‌ାନରେ ନିଆଁ ଲାଗିଲାଣି। ସେଥିମଧ୍ୟରୁ ୬୨ଟି ସ୍ଥାନକୁ ବନ କର୍ମଚାରୀମାନେ ଚିହ୍ନଟ କରି ନିଆଁ ଲିଭାଇବାରେ ସଫଳ ହୋଇଛନ୍ତି। ବାକି ସ୍ଥାନଗୁଡ଼ିକ ସହଜରେ ଚିହ୍ନଟ ହୋଇ ପାରିନଥିଲା। ଫଳରେ ବନାଗ୍ନି ଆଁରେ ଶହଶହ ବର୍ଷର ପୁରୁଣା ଗଛସବୁ ପୋଡ଼ି ନଷ୍ଟ ହୋଇଯାଇଛି। ଏଥିସହ ବନ୍ୟଜନ୍ତୁଙ୍କ ଜୀବନ ମଧ୍ୟ ବିପନ୍ନ ଅବସ୍ଥାରେ ରହିଛି। ବାରିପଦା ଓ କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ଜଙ୍ଗଲରେ ବନାଗ୍ନି ନିୟନ୍ତ୍ରଣରେ ବିଶେଷ ସମସ୍ୟା ହେଉନି। ହେଲେ, ଶିମିଳିପାଳ ଉତ୍ତର ଓ ଦକ୍ଷିଣ ରେଞ୍ଜରେ ବନାଗ୍ନି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କ୍ଷିପ୍ରଗତିରେ ମାଡ଼ି ଯାଉଥିବାରୁ ଏହାକୁ ଲିଭାଇବା ଆଗରୁ ବ୍ୟାପକ ଜଙ୍ଗଲ ପୋଡ଼ିଯାଉଛି। ଜଙ୍ଗଲ ଜଳୁଥିବ‌ାରୁ ବନ୍ୟଜନ୍ତୁଙ୍କ ପାଇଁ ପାଣି ଓ ଖାଦ୍ୟ ସଙ୍କଟ ଦେଖାଦେଇଛି।

ଜଙ୍ଗଲ ନିଆଁ ପ୍ରଭାବରେ ବହୁସଂଖ୍ୟାରେ ବନ୍ୟଜନ୍ତୁ ଶିମିଳିପାଳ ଛାଡ଼ି ଜନବସତିକୁ ପଳାଇ ଆସୁଛନ୍ତି। ଶିକାରୀ କିମ୍ବା ଜଙ୍ଗଲ ପାଖ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ସେମାନଙ୍କର ଜୀବନ ମଧ୍ୟ ଯାଉଛି। ତେବେ ଜନବସତିକୁ ଚାଲି ଆସୁଥିବା ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି ବୋଲି କହିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ। ଗାଁ ପାଖରେ ଜୀବଜନ୍ତୁ ଦେଖିଲେ ତୁରନ୍ତ ବନ ବିଭାଗକୁ ଖବର ଦେବାକୁ ଲୋକମାନଙ୍କୁ ବୁଝାଯାଉଛି। ଅତ୍ୟାଧୁନିକ ଡ୍ରୋନ୍ କ୍ୟାମେରା ଦ୍ବାରା ଘଞ୍ଚ ଜଙ୍ଗଲରେ ଫାୟାର ପଏଣ୍ଟ ଚିହ୍ନଟ ସହଜସାଧ୍ୟ ହୋଇଛି। ଫଳରେ ପୂର୍ବାପେକ୍ଷା ବନାଗ୍ନି କମିଛି। ତେବେ ଖରା ଓ ତାତି ବଢ଼ୁଥିବାରୁ ଏବେ ପୁଣି କିଛି ସ୍ଥାନରେ ନିଆଁ ଲାଗିଛି। ଯାହାକୁ ଲିଭାଇବାକୁ କର୍ମଚାରୀମାନେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ଗୋଗିନାନୀ କହିଛନ୍ତି।

ସମ୍ବନ୍ଧିତ ଖବର