ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ବପ୍ରସିଦ୍ଧ ଶିମିଳିପାଳ, କୋଭିଡ୍ କଟକଣା ସତ୍ତ୍ବେ ଉତ୍ସାହିତ ପର୍ଯ୍ୟଟକ

ପ୍ରଥମ ଦିନରେ ଶିମିଳିପାଳର ଅପୂର୍ବ ଶୋଭାରାଜିକୁ ଉପଭୋଗ କଲେ ୧୯୩ ପର୍ଯ୍ୟଟକ

ବାରିପଦା: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। କୋଭିଡ୍ କଟକଣା ମଧ୍ୟରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ବିଶ୍ବପ୍ରସିଦ୍ଧ ଶିମିଳିପାଳ। ଚଳିତ ବର୍ଷ ପର୍ଯ୍ୟଟନ ସହିତ ବିଭିନ୍ନ କ୍ରୀଡ଼ା ଓ ଆମୋଦପ୍ରମୋଦର ମଜା ନେଇପାରିବେ ପର୍ଯ୍ୟଟକ। ଏଥିଲାଗି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି। ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୯୩ ଜଣ ପର୍ଯ୍ୟଟକ ଶିମିଳିପାଳ ବୁଲି ଦେଖିଛନ୍ତି। ଉଭୟ ପିଠାବଟା ଏବଂ ଯଶୀପୁର ପଟୁ ୩୪ଟି ଗାଡ଼ି ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବା ଆରସିସିଏଫ୍ ଯୋଗ ଜୟାନନ୍ଦ ସୂଚନା ଦେଇଛନ୍ତି। ତେବେ ପ୍ରଥମ ଦିନରୁ ହିଁ ପ୍ରକୃତିର ଏହି ନୈସର୍ଗିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପ୍ରକୃତିପ୍ରେମୀଙ୍କ ଉତ୍ସାହ ପରିଲକ୍ଷିତ ହୋଇଛି। ଆଜି ସକାଳୁ ପିଠାବଟା ରେଞ୍ଜରେ ଖୋଦ୍ ଆରସିସିଏଫ୍ ଯୋଗ ଜୟାନନ୍ଦ ଉପସ୍ଥିତ ରହି ପର୍ଯ୍ୟଟକଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ଏସ୍ଟିଆର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ଙ୍କ ସମେତ ପିଠାବଟା ରେଞ୍ଜ୍ର ସମସ୍ତ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ଚଳିତ ବର୍ଷ ଶିମିଳିପାଳରେ ପର୍ଯ୍ୟଟକଙ୍କ ପାଇଁ ପ୍ରକୃତି ସହିତ ଏକାଧିକ ଭିନ୍ନ ବ୍ୟବସ୍ଥା କରାଯାଇଛି। ବରେହିପାଣି ଇକୋ ଟୁରିଜିମ୍ କମ୍ପ୍ଲେକ୍ସରେ କାନୋପି ୱାକ୍ ଏବଂ ଟ୍ରି କୋର୍ସର ମଜା ନେଇପାରିବେ ପର୍ଯ୍ୟଟକ।

ଉଭୟ ଶିଶୁ ଏବଂ ଆଡଲ୍ଟଙ୍କ ପାଇଁ ଗଛ ଚଢ଼ା(ଟ୍ରି କୋର୍ସ)ର ବ୍ୟବସ୍ଥା କରାଯାଇଛି। ଶିଶୁମାନଙ୍କ ପାଇଁ ପ୍ରାୟ ୪-୬ ଫୁଟ୍ ଉଚ୍ଚାର ଗଛ ଚଢ଼ା ବ୍ୟବସ୍ଥା ହୋଇଥିବାବେଳେ ବୟସ୍କଙ୍କ ପାଇଁ ୧୨ଫୁଟ୍ରୁ ଅଧିକ ଗଛ ଚଢ଼ାର ବ୍ୟବସ୍ଥା ହୋଇଛି। ଗୁଡ଼ୁଗୁଡ଼ିଆରେ ମଧ୍ୟ ଏହି ଟ୍ରି କୋର୍ସର ବ୍ୟବସ୍ଥା ହୋଇଛି। ସେହିପରି ଜାମୁଆଣିରେ ରସି ଚଢ଼ାର ବ୍ୟବସ୍ଥା କରାଯାଇଛି। କୁମାରୀରେ କମାଣ୍ଡୋ ଟାୱାର୍ ବ୍ୟବସ୍ଥା ହୋଇଛି। ଯାହାକି ସମସ୍ତ ବର୍ଗଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ରାମତୀର୍ଥ, କୁମାରୀ, ଗୁଡ଼ୁଗୁଡ଼ିଆ, ବରେହିପାଣି ଓ ଜାମୁଆଣିରେ ମାଉଣ୍ଡେନ୍ ସାଇକ୍ଲିଂ ନିମନ୍ତେ ବ୍ୟବସ୍ଥା ହୋଇଛି। ଏଥିନିମନ୍ତେ ୫୦ଟି ସାଇକେଲ୍ କ୍ରୟ କରାଯାଇଛି। ସେହିପରି ସମ୍ପୂର୍ଣ୍ଣ ଶିମିଳିପାଳକୁ ନୋ ପ୍ଲାଷ୍ଟିକ୍ ଏବଂ ନୋ ପଲିଥିନ୍ ଜୋନ କରିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି।

ପଲିଥିନ୍ ବଦଳରେ ଶାଳପତ୍ରର ବହୁଳ ବ୍ୟବହାର କରାଯିବା ନେଇ ପ୍ରସ୍ତୁତି ହୋଇଛି। ସମସ୍ତ ୫ ଇକୋ ଟୁରିଜିମ୍ କମ୍ପ୍ଲେକ୍ସରେ ଶିଶୁମାନଙ୍କ ପାଇଁ ଖେଳିବା ସ୍ଥାନ, ହର୍ଡଲ୍ସ, ପର୍ଯ୍ୟଟକଙ୍କ ପାଇଁ ଟେବୁଲ ଟେନିସ୍, ବ୍ୟାଡମିଣ୍ଟନ୍, କ୍ୟାରମ୍, ଚେସ୍, ଭଲିବଲ୍ ଭଳି ଇଣ୍ଡୋର୍ ଗେମ୍ର ବ୍ୟବସ୍ଥା ହୋଇଛି। ତେଣୁ ପର୍ଯ୍ୟଟନ ସହିତ କ୍ରୀଡ଼ା ଅନୁଭବ ଦେବାକୁ ଶିମିଳିପାଳ କର୍ତ୍ତୃପକ୍ଷ ବ୍ୟବସ୍ଥା କରିଥିବା ଶ୍ରୀ ଜୟାନନ୍ଦ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟଯେ ଆଜିଠାରୁ ଦୈନିକ ସର୍ବାଧିକ ପ୍ରଥମେ ଆସିଥିବା ୩୫ଗୋଟି ଚାରି ଚକିଆ ଯାନ କାଳିଆଣି ତନଖି ଫାଟକ (ଯଶିପୁର) ମଧ୍ୟଦେଇ ଓ ପ୍ରଥମ ୨୫ଗୋଟି ଚାରିଚକିଆ ଯାନ ପିଠାବଟା ତନଖି ଫାଟକ ମଧ୍ୟଦେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ। ପର୍ଯ୍ୟଟକମାନେ କେବଳ ପିଠାବଟା ଏବଂ କାଳିଆଣି (ଯଶିପୁର) ଦେଇ ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପ୍ରବେଶ କରିପାରିବେ।ଏଥି ନିମନ୍ତେ ପ୍ରବେଶ ଅନୁମତି ପତ୍ର କେବଳ ପିଠାବଟା ଓ ଯଶିପୁର ବୁକିଂ କାଉଂଟରରୁ ସକାଳ ୬ରୁ ଦିନ ୯ଟା ପର୍ଯ୍ୟନ୍ତ ମିଳିବ। ପ୍ରତି ଗାଡ଼ି ପିଛା ୧୦୦ ଟଙ୍କା କରି ଟିକେଟ ମୂଲ୍ୟ ରଖାଯାଇଛି। ପର୍ଯ୍ୟଟକମାନେ ନିଜ ସହିତ ଗାଇଡ୍ ନେବାକୁ ବାଧ୍ୟତାମୂଳକ କରାଯାଇଛି। ପର୍ଯ୍ୟଟକମାନେ ଗାଡ଼ି ଖରାପଜନିତ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ବିକଳ୍ପ ଗାଡ଼ି ପଠାଇବାର ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର