ୟୁନିଫର୍ମ ପଲିସି ପ୍ରହସନ : ୫ ବର୍ଷରେ ଗୁଣ୍ଠେ ବି ବିକ୍ରି ହେଲାନି, ୧୬ ବର୍ଷରେ ମାତ୍ର ୭୩୫ ଜଣଙ୍କୁ ମିଳିଛି ଜମି

ପୁରୀ : ୟୁନିଫର୍ମ ପଲିସି (ଏକକ ନୀତି)ରେ ଗତ ୫ ବର୍ଷ ମଧ୍ୟରେ ଗୁଣ୍ଠେ ବି ଜମି ବିକ୍ରି କରିପାରିନି ଶ୍ରୀମନ୍ଦିର ପ୍ରଶାସନ। ୧୦ ହଜାର ଆବେଦନ ପଡ଼ିଛି, ହେଲେ କାହାକୁ ବି ଦେଲାନାହିଁ। ୧୬ ବର୍ଷରେ ମାତ୍ର ୭୩୫ ଲୋକଙ୍କୁ ଜମି ବିକିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ମନ୍ଥର ପ୍ରକ୍ରିୟାରେ ଜମି କିଣାବିକା ଯୋଗୁ ଲକ୍ଷଲକ୍ଷ ଲୋକ ହତାଶ ହେଉଛନ୍ତି।

ମଠ, ଧର୍ମାନୁଷ୍ଠାନ ଓ ମନ୍ଦିର ଜମିକୁ‌ କିଣି ଲୋକେ ଭୋଗ ଦଖଲ କରୁଥିଲେ। ମାତ୍ର ଏସବୁ ଜମି ଶ୍ରୀଜଗନ୍ନାଥଙ୍କର ବୋଲି ୧୯୯୧ରେ ପ୍ରଶାସନିକ ନିର୍ଦ୍ଦେଶ ଆସିବା ପରେ ସମସ୍ତ ଜମିର ମାଲିକ ‌ହୋଇଗଲେ ଶ୍ରୀଜଗନ୍ନାଥ। ବିଭିନ୍ନ ସ୍ଥାନରୁ ହିସାବ ପରେ ୬୦ ହଜାର ଏକର ଜମି ଠାକୁରଙ୍କର ବୋଲି ଜଣାପଡ଼ିଲା। ସେସବୁକୁ ବିଭିନ୍ନ ‌ଲୋକ ଭୋଗ ଦଖଲ କରୁଥିବାରୁ ଶ୍ରୀମନ୍ଦିରଠାରୁ ପୁନର୍ବାର କିଣିବାକୁ ଧାର୍ଯ୍ୟ କରାଗଲା। ଏଥିପାଇଁ ବହୁ ବାଦବିବାଦ ପରେ ସରକାର ୨୦୦୩ରେ ଆଣିଲେ ଏକକ ନୀତି। ଏହି ନୀତିକୁ ବିରୋଧ ହେଲା। ତଥାପି ଅନେକ ଲୋକ ମନ୍ଦିରରୁ ଜମି କିଣିବା ପାଇଁ ଆବେଦନ କଲେ। ୨୦୦୩ରୁ ୨୦୧୬ ପର୍ଯ୍ୟନ୍ତ ଥିବା ଏକକ ନୀତି ଅନୁଯାୟୀ, ଜମି କିଣିବା ନିମନ୍ତେ ୧୦ ହଜାରରୁ ଅଧିକ ଆବେଦନ ପଡ଼ିଥିଲା। ହେଲେ ସେଗୁଡ଼ିକର ଫଇସଲା କରି ଲୋକଙ୍କ ନାମକୁ ଜମି ମାଲିକାନା ଦେବାରେ ବିଫଳ ହୋଇଛି ମନ୍ଦିର ପ୍ରଶାସନ।

ଶ୍ରୀମନ୍ଦିର ପ୍ରଶାସନର ସୂଚନା ମୁତାବକ, ୨୦୦୩ରୁ ୨୦୧୪ ମଧ୍ୟରେ ମୋଟ ୭୩୫ଟି ଜମିକିଣା ଆବେଦନ ଉପରେ ଶୁଣାଣି ହୋଇ ଫଇସଲା କରାଯାଇଥିଲା। ବାକି ହଜାର ହଜାର ଆବେଦନ ପଡ଼ି ରହିଛି। ୨୦୧୪ଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ‌ ବି ଆବେଦନ ଫଇସଲା ହୋଇନାହିଁ। ଅର୍ଥାତ ଗୁଣ୍ଠେ ବି ଜମି ବିକ୍ରି କରିପାରିନାହିଁ ଶ୍ରୀମନ୍ଦିର ପ୍ରଶାସନ। ୨୦୧୬ରେ ପ୍ରଚଳିତ ଏକକ ନୀତିର ନବୀକରଣ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ହେଲେ ଏହି ପ୍ରସ୍ତାବ ୩ ବର୍ଷ ଲଟକି ରହିବା ପରେ ୨୦୧୯ରେ ରାଜ୍ୟ ସରକାର ଏହାକୁ ଅନୁମୋଦନ କରିଛନ୍ତି। ୨୦୧୯ରେ ନୂଆ ନୀତି ପ୍ରଚଳନ ଦିନଠାରୁ ଏଯାବତ ୨୦୦ଟି ଆବେଦନକୁ ଏମ୍‌ସି (ପରିଚାଳନା କମିଟି) ଅନୁମୋଦନ କରିଛି। ଏଭଳି ସ୍ଥିତିରେ ମନ୍ଦିର ପ୍ରଶାସନ ଆହୁରି ୨୭ ହଜାର ସ୍ଥିତିବାନ ଜମିକୁ ଶ୍ରୀଜଗନ୍ନାଥଙ୍କର ବୋଲି ଦାବି କରି କିଣାବିକା ଓ ଘର ନିର୍ମାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ଫଳରେ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ବଢ଼ୁଛି।

ସମ୍ବନ୍ଧିତ ଖବର