ଓଡ଼ିଶାରେ ଦାଦନ ଏକ ସ୍ଥାୟୀ ବ୍ୟବସ୍ଥା ପାଲଟିଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ସାମ୍ବାଦିକମାନଙ୍କ ପାଇଁ ପେନସନର ବ୍ୟବସ୍ଥା କରିବୁ

ସମ୍ବଲପୁର: ଗତକାଲି ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୦ ତାରିଖରେ ଓଡ଼ିଶାରେ ବିଜେପିର ଜଣେ ଓଡ଼ିଆ ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ବିମାନରେ ଥାଇ ଅତି ମଜାଳିଆ ଭାବେ ଏହାର ଉତ୍ତର ଦେଉଛନ୍ତି।  ହେଲେ ରିମୋଟ୍ ଗୁମାସ୍ତାଙ୍କ ହାତରେ ରହିଛି। ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ସେ ଆଜି ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଆହୁରି କହିଛନ୍ତି, ରାଜ୍ୟରେ ଦାଦନ ଏକ ସ୍ଥାୟୀ ବ୍ୟବସ୍ଥାରେ ପରିଣତ ହୋଇଛି। ଓଡ଼ିଶାରେ ଗଣତନ୍ତ୍ର ନାହିଁ। ଏଠି ସ୍ବେଚ୍ଛାଚାରୀ ଶାସନ ଚାଲିଛି। ଗଣମାଧ୍ୟମକୁ ସରକାରୀ ଅଫିସକୁ ବାରଣ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓଡ଼ିଶାରେ ବିଜେପି ସରକାର ଆସିଲେ, ଓଡ଼ିଶାର ସାମ୍ବାଦିକମାନଙ୍କ ପାଇଁ ପେନସନର ବ୍ୟବସ୍ଥା କରିବୁ। ଏହାଛଡ଼ା ସମ୍ବଲପୁର ଟେକ୍ସଟାଇଲ ହବ୍ ହେବ। ଖାଲି ସେତିକି ନୁହେଁ, ଏଠାରେ କୃଷିଭିତ୍ତିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ୨୪ ବର୍ଷ ପରେ ବି କାହିଁକ ରାଜ୍ୟରେ ମେଡିକାଲର ଅବସ୍ଥା ବଦଳିନାହିଁ। କାହିଁକି ଡାକ୍ତରଖାନାରେ ଡାକ୍ତର ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି  କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି ଯେ ବିଜେପି ୨୦୨୪ରେ ନିର୍ବାଚନ ଜିତି ଓଡ଼ିଶାରେ ସରକାର କଲେ ମହିଳାଙ୍କ ପାଇଁ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିବ। ଏଥିରେ ପ୍ରତ୍ୟେକ ମହିଳାଙ୍କୁ ୫୦ହଜାର ଟଙ୍କାର ନଗଦ ଭାଉଚର୍ ଦେବ। ଯାହାକୁ ମହିଳାମାନେ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ। କେବଳ ଏତିକି ନୁହେଁ, ‘ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା’ ମାଧ୍ୟମରେ ବୟସ୍କ, ଦିବ୍ୟାଙ୍ଗ, ବିଧବା ଓ ନିରାଶ୍ରୟମାନଙ୍କୁ ୩ ହଜାର ଟଙ୍କାର ମାସିକ ପେନସନ୍ (ଭତ୍ତା) ପ୍ରଦାନ କରିବ। ୮୦% ଅକ୍ଷମତା ଥିବା ଦିବ୍ୟାଙ୍ଗ ଓ ୮୦ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ୩୫୦୦ଟଙ୍କା ଭତ୍ତା ମିଳିବ। ୧୦୦ଦିନ ମଧ୍ୟରେ ଦେଶର ସବୁଠୁ ବଡ଼ ସ୍ବାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକାରୀ କରିବ। ଏଥିରେ ବାର୍ଷିକ ୮ଲକ୍ଷରୁ କମ୍ ରୋଜଗାର କରୁଥିବା ନାଗରିକମାନେ ସାମିଲ୍ ହେବେ। ଏହାସହ ୭୦ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବର୍ଗର ଲୋକେ ଏହି ଯୋଜନାରେ ସାମିଲ୍ ହେବେ।

ଧାନ କ୍ବିଣ୍ଟାଲ୍‌ ପିଛା ୩୧୦୦ ଟଙ୍କା ଧାର୍ଯ୍ୟ ହେବ, ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ କଲ୍ୟାଣ ପାଇଁ ସମସ୍ତ ମେଟ୍ରୋ ସହରରେ ‘ଓଡ଼ିଆ ସମୁଦାୟ ଭବନ’ ପ୍ରତିଷ୍ଠା ହେବ, ୨୦୨୭ ସୁଦ୍ଧା ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହେବେ। ପ୍ରତ୍ୟେକ ମତ୍ସ୍ୟଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ। ୭୫ ହଜାର କିଲୋମିଟର ଗ୍ରାମ୍ୟ ଓ ଜାତୀୟ ରାଜପଥ ନିର୍ମାଣ କରିବୁ ଏବଂ ପ୍ରତ୍ୟେକ ଗ୍ରାମପଞ୍ଚାୟତ ତଥା ଜିଲ୍ଲା ସଦରମହକୁମାକୁ ରାଜଧାନୀ ସହ ଯୋଡ଼ିବୁ, ଓଡ଼ିଶା ଅର୍ଥନୀତିକୁ ଶ୍ରେଷ୍ଠ କାର୍ଯ୍ୟକ୍ଷମ ଅର୍ଥନୀତିରେ ପରିଣତ କରିବା ସହ ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାର ଲୋକଙ୍କୁ ନିଯୁକ୍ତି ଦେବୁ, ଓଡ଼ିଆରେ ଆଇନ, ମେଡିକାଲ, ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରଚଳନ କରିବୁ, ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ଖାଲିଥିବା ୧.୫ ଲକ୍ଷ ପଦବି ସ୍ବଚ୍ଛ ଓ ନିୟମ ଅନୁସାରେ ପୂରଣ କରିବୁ। ସେହିପରି ପ୍ରଥମ ୨ବର୍ଷରେ ୬୫ହଜାର ପଦବି ପୂରଣ କରିବୁ, ଏଥିରେ ଓବିସି ଓ ଇଡବ୍ଲ୍ୟୁଏସ୍‌ ବର୍ଗଙ୍କୁ ଅଗ୍ରାଧିକାର ଦେବୁ, କେନ୍ଦୁପତ୍ର କେରି ପିଛା ୨ ଟଙ୍କାରେ କିଣିବୁ, ତୋଳାଳିଙ୍କୁ ୩୫% ଓ ବନ୍ଧାଳୀଙ୍କୁ ୧୦% ବୋନସ୍‌ ଦେବୁ, ପିଏମ୍‌ ଆବାସ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ କରିବୁ, ଜଳ ଜୀବନ ମିସନରେ ୪୦ ହଜାର ସର୍ବସାଧାରଣ ସ୍ଥାନ ଓ ୨୬ ଲକ୍ଷ ଗୃହକର୍ତ୍ତାଙ୍କୁ ଜଳ ଯୋଗାଣ କରିବୁ, ପଶ୍ଚିମ ଓଡ଼ିଶାରେ ୩ଟି ସମନ୍ବିତ ଟେକ୍ସଟାଇଲ୍ ପାର୍କ ସ୍ଥାପନ କରି ୫୧ ହଜାରରୁ ଅଧିକ ଚାକିରି ସୃଷ୍ଟି କରିବୁ, ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ‘ବୁଣାକାର ସମ୍ମାନ ନିଧି’ ଆରମ୍ଭ କରିବୁ, ଏଥିରେ ୪୦ରୁ ୬୦ବର୍ଷ ବୟସର ସମସ୍ତ ହିତାଧିକାରୀଙ୍କୁ ମାସିକ ୩ ହଜାର ଟଙ୍କା ଏବଂ ୬୦ ବର୍ଷରୁ ଅଧିକ ସମସ୍ତ ହିତାଧିକାରୀଙ୍କୁ ୩୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବୁ, ଅଣସଂଗଠିତ ଶ୍ରମିକଙ୍କ ୫ ଲକ୍ଷ ବୀମା ମିଳିବ, ବିଦ୍ୟାଳୟରେ ଡ୍ରପଆଉଟ୍ ରୋକିବାକୁ ଜନଜାତି ଛାତ୍ରଛାତ୍ରୀଙ୍କୁ ‘ସହିଦ ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା ମାଧ୍ୟମରେ ବାର୍ଷିକ ୫ ହଜାର ଟଙ୍କାର ସହାୟତା ‌ଦେବୁ, ମିସନ ସ୍ବାସ୍ଥ୍ୟ ଓଡ଼ିଶା ଯୋଜନା ମାଧ୍ୟମରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୩୬ହଜାର ନୂତନ ଶଯ୍ୟା ବ୍ୟବସ୍ଥା କରିବୁ। ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୦୨୭ ସୁଦ୍ଧା ଆଇସିୟୁ, ଡାଏଲେସିସ୍ ଏବଂ ଅପରେସନ୍ ‌ଥିଏଟର ଯୋଗାଇଦେବୁ। ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ନର୍ସିଂ କଲେଜ, ମେଡିକାଲ କଲେଜ ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲ ପ୍ରତିଷ୍ଠା ହେବ। ଓ

ସମ୍ବଲପୁରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ବିଧାନସଭା ଆସନର ବିଜେପି ପ୍ରାର୍ଥୀ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର