ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ 

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ବଡ଼ମାଳ ଫାଣ୍ତି ଅଞ୍ଚଳରେ ଶନିବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଯୁବକ ଜଣକ ହେଲେ ବଡ଼ମାଳ ଫାଣ୍ଡି ଅର୍ନ୍ତଗତ ବଡ଼ମାଳ ଗ୍ରାମର ଆକାଶ ମିର୍ଦ୍ଧା (୨୫)। ପୁଲିସ୍‌ ସୂଚନାନୁସାରେ ଆକାଶ ଆଜି ଦିନ ବେଳେ ଗାଁ ପାଖ ରେଙ୍ଗାଲି ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

ଘଟଣା ଜଣାପଡିବା ପରେ ତୁରନ୍ତ ତାଙ୍କୁ ରେଢ଼ାଖୋଲ ଉପଖଣ୍ତ ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲା। ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ସେପଟେ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ଯେ ଆକାଶ ଏକ ଟ୍ରାକ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଆକାଶ ଏକ ଟ୍ରାକ୍ଟରରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଆଜି ଉକ୍ତ ଟ୍ରାକ୍ଟରଟି ବାଲି ବୋଝେଇ କରି ଯାଉଥିବା ବେଳେ ତା’ ଉପରେ ବସିଥିବା ଆକାଶ ଖସି ପଡ଼ିଥିଲେ। ଟ୍ରାକ୍ଟର ଚକା ମାଡ଼ିଯିବାରୁ ତାଙ୍କ ମୃତ୍ୟୁ ଘଟିଥିଲା। ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ପୁଲିସ କିନ୍ତୁ ଏହାକୁ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ବୋଲି କହୁଛି। ଏହାର ନିରପେକ୍ଷ ତଦନ୍ତ କରି ପର୍ଦ୍ଦାଫାସ୍‌ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର