ଲଜକୁରା ଖଣିରେ ହାଇୱାରୁ ଖସି ଚାଳକ ମୃତ  

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଲଜକୁରା ଖୋଲା ମୁହଁ କୋଇଲା ଖଣିରେ ଶୁକ୍ରବାର ରାତି ୮ଟା ବେଳେ ଏକ ଖାଲି ହାଇୱାରୁ ଖସିପଡ଼ି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଚାଳକ ହେଲେ ଦେବଗଡ଼ର ବିଜୟ ପ୍ରଧାନ। ସେ ଟିଟନ ଠିକା କମ୍ପାନିରେ ଡ୍ରାଇଭର ଭାବେ  କାର୍ଯ୍ୟ କରୁଥିଲେ। ପ୍ରାପ୍ତ ସୂଚନାନୁସାରେ ଏକ ହାଇୱା (ଓଡି ୨୩ସି-୩୪୧୦) ଖଣିକୁ କୋଇଲା ପାଇଁ  ଯାଉଥିବା ବେଳେ କୌଣସି କାରଣରୁ ଗାଡ଼ିଟି ବୁଲିଯିବାରୁ ଚାଳକ ବିଜୟ ଗାଡ଼ିରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ମଣ୍ଡାଳିଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା।

ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୁଲିସ ହସ୍ପିଟାଲରେ ପହଞ୍ଚି  ଶବ ଜବତ କରିଥିଲା। କୋଇଲା ଖଣିରେ କାର୍ଯ୍ୟରତ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବି କରାଯାଇଥିଲା। ଫଳରେ ହସ୍ପିଟାଲରେ ହିଁ ପୁଲିସି ଉପସ୍ଥିତିରେ  ଖଣି ଅଧିକାରୀ, ଠିକା ସଂସ୍ଥା ଓ ଶ୍ରମିକ ସଂଗଠନ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଶେଷରେ କ୍ଷତିପୂରଣ ବାବଦ ବିଜୟଙ୍କ ପରିବାରକୁ  ୨୭,୯୦,୮୦୦ ଟଙ୍କା  ଦେବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ କୋଇଲା ଖଣି ପକ୍ଷରୁ ପ୍ରକଳ୍ପ ଅଧିକାରୀ ଏସ୍.କେ. ପୃଷ୍ଟି, ଏପିଏମ୍‌ ଏ.କେ. ପାତ୍ର, ମ୍ୟାନେଜର ସି.ଆର. ପତି, ମଦନ ଗୋପାଳ, ଠିକା ସଂସ୍ଥା ପକ୍ଷରୁ ଋଷିଦେଓ ପ୍ରସାଦ ଏବଂ ଶ୍ରମିକ ସଙ୍ଗଠନ ପକ୍ଷରୁ ଅନିତ ଚକ୍ରବର୍ତ୍ତୀ, ବ୍ରିଜେଶ ଶର୍ମା ଓ ପି. ସିଂହ, ଆର.ଆର. ପାଢ଼ୀ, ଆର.ଏନ. ପତି, ବ୍ରଜରାଜନଗର ଥାନାଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ବିଜୟ କେଉଁ ପରିସ୍ଥିତିରେ ଗାଡ଼ିରୁ ତଳେ ପଡ଼ିଗଲେ ତାହା ଜଣାପଡ଼ିନାହିଁ। ସମସ୍ୟା ସମାଧାନ ପରେ ଶନିବାର ପୁଲିସ ଶବ ବ୍ୟବ‌‌ଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର