ନକ୍ସଲ ପ୍ରଭାବିତ ଅଞ୍ଚଳରେ କଡ଼ାସୁରକ୍ଷାରେ ମତଦାନ ଶେଷ; ନିୟୋଜିତ ଥିଲେ ୬୦ ହଜାର ସୁରକ୍ଷାକର୍ମୀ

ମାଲକାନଗିରି: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବସ୍ତର ଲୋକସଭା ଆସନରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଶେଷ ହୋଇଛି। ମୋଟ୍‌ ୬୩.୪୧ ପ୍ରତିଶତ ମତଦାନ ହୋଇଛି। ପ୍ରଥମ ଥର ପାଇଁ ନକ୍ସଲ ଏହି ନିର୍ବାଚନରେ ହିଂସା ଘଟାଇ ପାରିନଥିଲେ। ପ୍ରାୟ ୬୦ ହଜାର ସୁରକ୍ଷାକର୍ମୀ ଏହି ନିର୍ବାଚନରେ ସାମିଲ ହୋଇଥିଲେ। ୩୦୦ କମ୍ପାନି ଫୋର୍ସ ମୁତୟନ କରାଯାଇଥିଲା। ଏହି ଲୋକସଭା ଆସନରେ ୮ଟି ବଧାନସଭା କ୍ଷେତ୍ର ରହିଛି। ସେଗୁଡିକ ହେଲା ବସ୍ତର, କୋଣ୍ଟା, ଜଗଦଲପୁର, ନାରାୟଣପୁର, ବିଜାପୁର, ଚିତ୍ରକୋଟ, କୋଣ୍ଡାଗାଓଁ ଓ ଦନ୍ତେୱାଡା।

ବସ୍ତର ଲୋକସଭା କ୍ଷେତ୍ରରେ ୧୯୬୧ଟି ଭୋଟଦାନ କେନ୍ଦ୍ର ରହିଥିବା ବେଳେ ୧୪ ଲକ୍ଷ ୭୨ ହଜାର ୨୦୭ ଜଣ ଭୋଟ ରହିଛନ୍ତି। ୧୯୬ଟି ଅତି ସମ୍ବେଦନଶୀଳ ବୁଥ ରହିଥିବାରୁ ଏହି ବୁଥଗୁଡିକରେ ସୁରକ୍ଷାକୁ ବଢାଯାଇଥିଲା। ୮ଟି ବିଧାନସଭା ମଧ୍ୟରୁ ୬ଟି ବିଧାନସଭାରେ ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିବା ବେଳେ ଅନ୍ୟଦୁଇଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା। ସକାଳୁ ସକାଳୁ ଭୋଟଦାନା କେନ୍ଦ୍ରଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ପରେ ଦିନ ୧୧ଟା ବେଳକୁ ଭିଡ଼ ସଂପୂର୍ଣ୍ଣ କମିଯାଇଥିଲା। ଦିନ ତମାମ ପୁଲିଂ ଅଧିକାରୀମାନେ ଖାଲିରେ ବସିଥିଲେ। ୪୨ ଡିଗ୍ରି ତାପମାତ୍ରାରେ ଲୋକେ ଘରୁ ପଦାକୁ ବାହାରିନଥିଲେ।

ତେବେ ଦୁର୍ଗମ ଅଞ୍ଚଳରେ ଥିବା ବୁଥଗୁଡିକରେ ଭୋଟଦେନ କରିବାକୁ ଲୋକେ ଟ୍ରାକ୍ଟର ଯୋଗେ ଆସୁଥିବା ଦେଖିବାକୁ ମିଳିଥିଲା। ସେହିପରି ନଦୀ ପାର କରି ମଧ୍ୟ ଲୋକେ ଚାଲି ଚାଲି ଭୋଟଦାନ କେନ୍ଦ୍ରକୁ ଆସୁଥିଲେ। ୪୨ଟି ନକ୍ସଲ ପ୍ରବଣ ଅଂଚଳରେ ବାୟୁସେନାର ହେଲିକପ୍ଟର ବ୍ୟବହାର କରାଯାଇଥିଲା। ପୁଲିଂ ଅଫିସରମାନଙ୍କୁ ସୁରକ୍ଷିତ ଭାବେ ଭୋଟଦାନ କେନ୍ଦ୍ରରେ ଛାଡିବା ଏବଂ ଭୋଟ ଗ୍ରହଣ ପରେ ହେଲିକେପ୍ଟର ଯୋଗେ ହିଁ ସୁରକ୍ଷିତ ଭାବେ ଆଣିବାର ବ୍ୟବସ୍ଥା କରାଯାଇଥିଲା। ଅପରାହ୍ନରେ ନକ୍ସଲ ପ୍ରବଣ ଅଂଚଳରୁ ଫେରୁଥିବା ପୁଲିଂ ଅଧିକାରୀଙ୍କୁ ସେମାନଙ୍କର ଅଭିଜ୍ଞତା ସଂପର୍କରେ ପଚାରିବାରୁ ସେମାନେ ସେଠାରେ ଭୟ କରିନଥିବା କହିଥିଲେ। କାରଣ ସମସ୍ତ ଅଂଚଳକୁ ସିଆରପିଏଫ ଯବାନ ଘେରି ରହିଥିଲେ।ନକ୍ସଲଙ୍କୁ ହିଂସା ଘଟାଇବାକୁ ସୁଯୋଗ ଦେଇନଥିଲେ।

ପ୍ରକାଶ ଥାଉକି ଗତ ତିନି ଦିନ ତଳେ କାଂକେର ଏନକାଉଣ୍ଟରରେ ନକ୍ସଲ ସଂଗଠନର ଆଗଧାଡିର ୩୦ ଜଣ ନକ୍ସଲଙ୍କର ମୃତ୍ୟୁ ସଂଗଠନକୁ ଦୋହଲାଇ ଦେଇଛି। ସଂଗଠନ ଏବେ ବେକଫୁଟରେ ରହିଛି।ତେଣୁ ଏହି ନିର୍ବାଚନରେ ନକ୍ସଲ କୌଣସି ଅଘଟଣ ଘଟାଇ ପାରିନଥିଲେ। ବସ୍ତର ଅଂଚଳ ସଂପୂର୍ଣ୍ଣ ଭାବେ ନକ୍ସଲଙ୍କର ଗଡ ରହିଥିଲେ ମଧ୍ୟ ପ୍ରଶାସନ ଏବଂ ପୁଲିସ ସଫଳତାର ସହ ଏହି ନିର୍ବାଚନକୁ ସାରିଛି। ଦିନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ପଚାଶ ପ୍ରତିଶତ ରହିଥିଲା। ବସ୍ତର ରେଞ୍ଜର ଆଇଜି ସୁନ୍ଦରରାଜ ପି ମଧ୍ୟ ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇଥିଲେ। ସମସ୍ତଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରୁଥିଲେ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୬ ତାରିଖରେ ହେବ।

ସମ୍ବନ୍ଧିତ ଖବର