ଗତି କୁଆଡ଼େ?

0 150

ଫେଡ଼େରାଲ୍‌ ବ୍ୟାଙ୍କ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ୟାମ ଶ୍ରୀନିବାସନଙ୍କ ସମେତ ଭାରତୀୟ ବ୍ୟାଙ୍କିଂ ଶିଳ୍ପର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ମତ ଯେ ‘ସୁଡ଼ଙ୍ଗ ଶେଷରେ ଆଲୁଅ’ ଭଳି ଘୋର ସଂକଟ ଦେଇ ଗତି କରୁଥିବା ବ୍ୟାଙ୍କ କ୍ଷେତ୍ର ଧୀରେ ଧୀରେ ସୁଧୁୁରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାରେ ବ୍ୟାଙ୍କ୍‌ ଶିଳ୍ପ ଆଗାମୀ ଦୁଇ ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ‘ସଂକଟ ମୁକ୍ତ’ ହୋଇ ପାରିବ ବୋଲି ସେମାନଙ୍କ ଆଶା। ତେବେ ଗତ ମଙ୍ଗଳବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌.ବି..ଆଇ) ପକ୍ଷରୁ ଜାରି ‘ଆର୍ଥିକ ସ୍ଥିରତା ରିପୋର୍ଟ’ (ଫାଇନାନ୍‌ସିଆଲ୍‌ ଷ୍ଟେବିଲିଟି ରିପୋର୍ଟ- ଏଫ୍‌.ଏସ୍‌.ବି.)ରେ ଏହି ଆଶାର ପ୍ରତିଫଳନ ଦେଖିବାକୁ ମିଳି ନାହିଁ। ବରଂ ଅନ୍ୟପକ୍ଷରେ ବ୍ୟାଙ୍କ୍‌ଗୁଡ଼ିକର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବା ମୁଖ୍ୟ ସମସ୍ୟା- ଏନ୍‌.ପି.ଏ ବା କ୍ରମବର୍ଦ୍ଧିଷ୍ଣୁ ଅନାଦାୟ ଋଣ ଜନିତ ସ୍ଥିତି ଆହୁରି ଅଧିକ ଗମ୍ଭୀର ହୋଇ ପାରେ ବୋଲି ସତର୍କ କରି ଦିଆଯାଇଛି। ଆର୍‌ବିଆଇର ଆକଳନ ଅନୁଯାୟୀ ପାଖାପାଖି ୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ସାରିଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ସମୂହଙ୍କ ଏନ୍‌ପିଏ ପରିମାଣ ଆହୁରି ବଢ଼ିବ। ବ୍ୟାଙ୍କ୍‌ଗୁଡ଼ିକ ମିଳିତ ଭାବେ ଯେତେ ଋଣ ଦେଇଛନ୍ତି ମାର୍ଚ୍ଚ, ୨୦୧୮ ସୁଦ୍ଧା ତା’ର ୧୧.୬ ପ୍ରତିଶତ ଅନାଦାୟ ପଡ଼ି ରହିଥିଲା, ଏହା କମିବା ପରିବର୍ତ୍ତେ ୨ ମାର୍ଚ୍ଚ, ୨୦୧୯ ବେଳକୁ ୧୨.୨ ପ୍ରତିଶତକୁ ବୃଦ୍ଧି ପାଇବା ଆଶଙ୍କା ରହିଛି। ବିଶେଷ କରି, ଏନ୍‌ପିଏ ବୋଝରେ ସବୁଠାରୁ ଅଧିକ ଚାପରେ ଥିବା ଯେଉଁ ୧୧ଟି ରାଷ୍ଟାୟତ୍ତ ବ୍ୟାଙ୍କ୍‌କୁ ପିସିଏ (ପ୍ରମ୍ପଟ୍‌ କରେକ୍‌ଟିଭ୍‌ ଆକ୍‌ସନ୍‌) ଯୋଜନାରେ ସାମିଲ କରାଯାଇଛି, ସେମାନଙ୍କ ଅନାଦାୟ ଋଣର ପରିମାଣ ମାର୍ଚ୍ଚ, ୨୦୧୯ ସୁଦ୍ଧା ମୋଟ ଋଣର ୨୨.୩ ପ୍ରତିଶତକୁ ବୃଦ୍ଧି ପାଇବ। ଗତ ମାର୍ଚ୍ଚ ୨୦୧୮ରେ ଏହା ୨୧% ଥିଲା। ବ୍ୟାଙ୍କ୍‌ଗୁଡ଼ିକର ମୋଟ ପୁଞ୍ଜି ଅନୁପାତରେ ଏନ୍‌ପି.ଏର ଏ ପାହାଡ଼ ଏତେ ବିଶାଳ ଯେ, ଆର୍ଥିକ ଅବସ୍ଥା ବିଗିଡ଼ି ବ୍ୟାଙ୍କ୍‌ଗୁଡ଼ିକ ଦେବାଳିଆ ହୋଇଯିବା ଆଶଙ୍କାକୁ ଏଡ଼ାଯାଇ ପାରୁନାହିଁ। ବ୍ୟାଙ୍କ୍‌ଗୁଡ଼ିକର ଏ ପ୍ରକାର ଆର୍ଥିକ ଦୁସ୍ଥିତି ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେଉଛି ଗ୍ରାହକଙ୍କ ସ୍ୱାର୍ଥ। ନିଜର ଜମା ଧନର ସୁରକ୍ଷା ନେଇ ତ ସେମାନେ ଚିନ୍ତିତ, ତା’ସହ ଦରକାର ବେଳେ ଋଣ ମିଳିବା ମଧ୍ୟ ଅନିଶ୍ଚିତ।

ଏନ୍‌ପିଏର ବୋଝରେ ବ୍ୟାଙ୍କ୍‌ଗୁଡ଼ିକର ଆର୍ଥିକ ଦୁରବସ୍ଥା ସାମଗ୍ରିକ ଭାବେ ଅର୍ଥନୀତି ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଉଛି। ମାନ୍ଦାବସ୍ଥାରୁ ମୁକୁଳି ଭାରତୀୟ ଅର୍ଥନୀତି ଏବେ ପୁଣି ଉଚ୍ଚ ଅଭିବୃଦ୍ଧି ଧାରାକୁ ଫେରିବା ପ୍ରକ୍ରିୟାରେ ଥିବା ବେଳେ ବ୍ୟାଙ୍କ୍‌ଗୁଡ଼ିକ ଆବଶ୍ୟକ ପୁଞ୍ଜି ଯୋଗାଇବାକୁ ସକ୍ଷମ ହେଉ ନାହାନ୍ତି। ଋଣ ପ୍ରଦାନରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ଗୁଡ଼ିକର ଭାଗ ୭୩ ପ୍ରତିଶତରୁ ୬୫ ପ୍ରତିଶତକୁ ଖସି ଆସିଛି। ଋଣ ପ୍ରଦାନର ନିଅଣ୍ଟ ଭରଣା ଲାଗି ଘରୋଇ ବ୍ୟାଙ୍କ୍‌ ମାନଙ୍କ ସାମର୍ଥ୍ୟ ପର୍ଯ୍ୟାପ୍ତ ନୁହେଁ। ପରିଣତି, ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆବଶ୍ୟକ ମୁଖ୍ୟ ଇନ୍ଧନ-ପୁଞ୍ଜିର ଅଭାବ ଦେଖା ଦେଇଛି। ଅଭିବୃଦ୍ଧି ଧାରା ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ଗୁଡ଼ିକର ଅବସ୍ଥା ସୁଧାରିବା ଲାଗି କେନ୍ଦ୍ର ସରକାର ପୁନଃ-ପୁଞ୍ଜୀକରଣ ଯୋଜନାରେ ଦୁଇବର୍ଷରେ ୨ ଲକ୍ଷ ୧୧ କୋଟି ଟଙ୍କାର ପ୍ୟାକେଜ୍‌ ବ୍ୟବସ୍ଥା କରିଛନ୍ତି। ଏ ପଦକ୍ଷେପ ପଛରେ ସରକାରଙ୍କ ଉଦ୍ଦେଶ୍ୟ ମହତ୍‌। କିନ୍ତୁ ଏହା ଅବସ୍ଥା ସୁଧାରିବାକୁ ଅକୁଳାଣ ପଡୁଛି। କାରଣ ଏନ୍‌ପିଏ ପରିମାଣ ବଢ଼ିବା ସହ ବ୍ୟାଙ୍କ୍‌ ଗୁଡ଼ିକର ପରିଚାଳନାଗତ କ୍ଷତିର ପରିମାଣ ମଧ୍ୟ ବଢ଼ିଚାଲିଛି। ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ପୁନଃ- ପୁଞ୍ଜୀକରଣ ବାବଦ ୯୦ ହଜାର କୋଟି ଟଙ୍କା ଯୋଗାଇ ଦେଇଥିଲେ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ସମୂହଙ୍କ ଗତବର୍ଷ କ୍ଷତିର ପରିମାଣ ଥିଲା ୭୯୦୦୦ କୋଟି ଟଙ୍କା। ଏହି ବିପୁଳ କ୍ଷତି ଯୋଗୁ ସରକାରଙ୍କ ପୁନଃ-ପୁଞ୍ଜୀକରଣ ଯୋଜନା ବ୍ୟାଙ୍କ୍‌ ଗୁଡ଼ିକର ଆର୍ଥିକ ଅବସ୍ଥା ସୁଧାରିବା ଦିଗରେ ବିଶେଷ ଫଳପ୍ରଦ ହୋଇପାରି ନାହିଁ।

ସୁଧାର ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ କ୍ଷତିରେ ଚାଲୁଥିବା ଚାରିଟି ବ୍ୟାଙ୍କ୍‌ର ମିଶ୍ରଣ ବିଷୟ ଚିନ୍ତା କରାଯାଉଥିଲା। ତେବେ ମିଶ୍ରଣ ଦ୍ୱାରା ଅବସ୍ଥା ବଦଳିବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିବା ପରେ ଏ ପ୍ରସ୍ତାବର କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯାଇଛି। ପରୀକ୍ଷାମୂଳକ ଭାବେ ଆଉ ଏକ ପ୍ରସ୍ତାବ ଉପରେ ଚିନ୍ତା କରାଯାଉଛି। ସବୁଠାରୁ ଅଧିକ ଖରାପ ଅବସ୍ଥା ଥିବା ଆଇଡିବିଆଇକୁ ସଂକଟରୁ ମୁକୁଳାଇବା ଲାଗି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) କୁ ଅଧିକ ଅଂଶଧନ କିଣିବା ଲାଗି ଏକପ୍ରକାର ବାଧ୍ୟ କରାଯାଉଛି। ତେବେ ଏନ୍‌ପିଏ ଯୋଗୁ ସଂକଟରେ ଥିବା ଆଇଡିବିଆଇର ପୁନରୁଦ୍ଧାର ଲାଗି ଏଲ୍‌ଆଇସିରୁ ପାଣ୍ଠି ଦେବା ପୂର୍ବରୁ ପ୍ରଥମେ ଏଲ୍‌ଆଇସିର ଅବସ୍ଥାକୁ ଆକଳନ କରାଯିବା ଦରକାର। ବହୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ରେ ଏଲ୍‌ଆଇସିର ଅଂଶଧନ ରହିଛି, ଆଇଡିବିଆଇରେ ମଧ୍ୟ ଏଲ୍‌ଆଇସିର ଅଂଶଧନ ୧୦.୮୨%। ଏହି ଅଂଶଧନକୁ ୪୦ ପ୍ରତିଶତକୁ ବଢ଼ାଇବା ଲାଗି ଏଲ୍‌ଆଇସି ଉପରେ ଚାପ ପକାଯାଉଛି। କିନ୍ତୁ ଆଇଡିବିଆଇ ପାଇଁ ଆହୁରି ଅଧିକ ପାଣ୍ଠି ଦେବା ପୂର୍ବରୁ ଖୋଦ୍‌ ଏଲ୍‌ଆଇସିର ଏନ୍‌ପିଏ ବିଷୟ ମଧ୍ୟ ବିଚାରର ଅପେକ୍ଷା ରଖୁଛି। ଏଲ୍‌ଆଇସି ଦେଇଥିବା ମୋଟ ୩ ଲକ୍ଷ ୮୪ହଜାର ଋଣରୁ ୧୮,୧୭୩ କୋଟି ଟଙ୍କା (୫.୭%) ଏନ୍‌ପିଏ। ୨୦୧୩ରେ ଏଲ୍‌ଆଇସିର ଏନ୍‌ପିଏ ୨.୧୫ ପ୍ରତିଶତ ଥିଲା। ବିଶେଷଜ୍ଞଙ୍କ ସତର୍କବାଣୀ ହେଲା, ଗୋଟିଏ ରୁଗ୍‌ଣ ବ୍ୟାଙ୍କ୍‌କୁ ପୁନରୁଦ୍ଧାର ଲାଗି ଏଲଆଇସିର ଆର୍ଥିକ ସ୍ୱାସ୍ଥ୍ୟକୁ ବିପନ୍ନ କରାନଯାଉ। ଏଲ୍‌ଆଇସିର ଆର୍ଥିକ ସ୍ୱାସ୍ଥ୍ୟ ସହ କୋଟି କୋଟି ଜୀବନ ବୀମା ପଲିସିଧାରୀଙ୍କ ସ୍ୱାର୍ଥ ଯୋଡ଼ି ହୋଇଛି।

ଏନ୍‌ପିଏ ସମସ୍ୟାର ମୁକାବିଲା ପାଇଁ ସରକାର ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ସମୂହକୁ ଆଉ କିଛି ସୃଜନଶୀଳ ପନ୍ଥା ଖୋଜିବାକୁ ପଡ଼ିବ। ତେବେ ବର୍ତ୍ତମାନ ପାଇଁ ଅବସ୍ଥା ବିଶେଷ ନ ସୁଧୁରିଲେ ବି, ଯେମିତି ଅଧିକ ନବିଗିଡ଼େ, ସେଥିପାଇଁ ଉଭୟ ପ୍ରତିକାର ଓ ସତର୍କତାମୂଳକ ପଦକ୍ଷେପ ନେବାକୁ ପଡ଼ିବ। ଏହା ସମ୍ଭବ ଓ ବିଶେଷ କଠିନ ମଧ୍ୟ ନୁହେଁ। ବ୍ୟାଙ୍କ୍‌ ନୀତି ନିୟମର ନିଷ୍ଠାପର ଅନୁପାଳନ ଏବଂ ପ୍ରଭାବଶାଳୀ ତଦାରଖ ବ୍ୟବସ୍ଥା ଦ୍ୱାରା ଏହା ସମ୍ଭବ। କିନ୍ତୁ ଏ କ୍ଷେତ୍ରରେ ଯେ ନିଅଣ୍ଟିଆ ରହିଛି, ତାର ଉଦାହରଣ ହେଲା କ୍ରମବର୍ଦ୍ଧିଷ୍ଣୁ ବ୍ୟାଙ୍କ୍‌ ଠକେଇ। ଆରବିଆଇର ତାଜା ତଥ୍ୟ ଅନୁଯାୟୀ, ବ୍ୟାଙ୍କିଂ କାରବାରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ଗୁଡ଼ିକର ଭାଗ ୬୫ ରୁ ୭୦ ପ୍ରତିଶତ। ଅଥଚ, ଠକେଇରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ସମୂହର ଭାଗ ୮୫ ପ୍ରତିଶତ। ଏହା ନିୟମ ଅନୁପାଳନରେ ଢିଲା ମନୋଭାବ ଓ ହୁଗୁଳା ଆଭ୍ୟନ୍ତରୀଣ ଯାଞ୍ଚ ବ୍ୟବସ୍ଥା ପ୍ରତି ଇଙ୍ଗିତ କରୁଛି। କେବଳ ଠକେଇ ନୁହେଁ, ଉଭୟ ଏନ୍‌ପିଏ ଏବଂ କ୍ଷତି ପାଇଁ ମଧ୍ୟ ଏ ଢ଼ିଲା ନିୟମ ଏବଂ ହୁଗୁଳା ଯାଞ୍ଚ ବ୍ୟବସ୍ଥା ଓ ପରିଚାଳନାଗତ ଅଦକ୍ଷତା ଅନେକାଂଶରେ ଦାୟୀ। ଏହା ବ୍ୟତୀତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ କର୍ମଚାରୀମାନଙ୍କ କର୍ମ ସଂସ୍କୃତିରେ ବି ଉନ୍ନତି ଆଣିବାକୁ ହେବ। ବ୍ୟାଙ୍କ୍‌ ଗୁଡ଼ିକର ଅବସ୍ଥା ସୁଧାରିବା ଲାଗି କୌଣସି ବଡ଼ ସଂସ୍କାର ଅଣାଯିବା ପୂର୍ବରୁ ପ୍ରଥମେ ଆଭ୍ୟନ୍ତରୀଣ ଯାଞ୍ଚ ବ୍ୟବସ୍ଥା ଓ ପରିଚାଳନାରେ ସଂସ୍କାର ଲୋଡ଼ା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.