ମସ୍କିଲ୍!
ବର୍ତ୍ତମାନ ପାଶ୍ଚାତ୍ୟ ଦେଶମାନେ ଛାନିଆ ହେଲେଣି ଯେ ଅନତିବିଳମ୍ବେ ଆନ୍ତର୍ଜାତିକ ବଜାରରେ ଚୀନ୍ରେ ନିର୍ମିତ ଏହି ସମସ୍ତ ଉଚ୍ଚ ଜ୍ଞାନକୌଶଳ ସଂପନ୍ନ ଓ ସେବା ପଦାର୍ଥମାନ ଏତେ ବିପୁଳ ସଂଖ୍ୟାରେ ଓ ଏତେ ଶସ୍ତାରେ ଉପଲବ୍ଧ ହେବାକୁ ଯାଉଛି ଯେ ସେଥିଯୋଗୁଁ ପାଶ୍ଚାତ୍ୟ କାରଖାନା ଓ କଂପାନିମାନ ବନ୍ଦ ହୋଇଯିବ ଏବଂ ସେଠାରେ ନିଯୁକ୍ତି ସୁଯୋଗ ଧ୍ବଂସ ପାଇ ଗୁରୁତର ବେକାରି ମୁଣ୍ଡ ଟେକିବ। ନିକଟରେ ଆମେରିକାର ବିତ୍ତ ମନ୍ତ୍ରୀ (ଟ୍ରେଜେରି ସେକ୍ରେଟାରି) ଜେନେଟ୍ ୟେଲେନ୍ ତାଙ୍କର ଚୀନ୍ ଗସ୍ତ ସମୟରେ ସେଠାରେ ଠିକ୍ ଏଇଭଳି ଚିନ୍ତା ପ୍ରକଟ କରିବା ଦେଖାଯାଇଥିଲା। ଚତୁର ଏଲନ୍ ମସ୍କ ତେଣୁ ନିଜର ସ୍ଥିତି ବିପନ୍ନ ହେବାକୁ ଯାଉଥିବା ହୃଦୟଙ୍ଗମ କରି ଚୀନ୍ ସହିତ ଶତ୍ରୁତା ନ କରି ତା’ ସହିତ ହାତ ମିଳାଇବା ଉଚିତ ମନେ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
‘ଟେସ୍ଲା’ର ପ୍ରତିଷ୍ଠାତା ମାଲିକ ଏଲନ୍ ମସ୍କଙ୍କର ଚରିତ୍ର ସମ୍ବନ୍ଧରେ ଅବଗତ ଥିବା ସମସ୍ତେ ତାଙ୍କର ଯେଉଁ ଆଚରଣ ସମ୍ବନ୍ଧରେ ସଂପୂର୍ଣ୍ଣ ନିଶ୍ଚିତ ଥାନ୍ତି, ତାହା ହେଲା, ତାଙ୍କ ଆଚରଣର ଅନିଶ୍ଚିତତା। ତେଣୁ ମସ୍କ ଯେତେବେଳେ ‘‘େଘାର ଟେସ୍ଲା-ଜନିତ କାର୍ଯ୍ୟବ୍ୟସ୍ତତା’’ କାରଣ ଦର୍ଶାଇ ତାଙ୍କର ବହୁ ପ୍ରଚାରିତ ଭାରତ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିଦେବାର ମାତ୍ର ସପ୍ତାହକ ପରେ ଯାଇ ଚୀନ୍ରେ ପହଞ୍ଚିଗଲେ ଓ ସେ ଖବର ନିଜ ମାଲିକାନାରେ ଥିବା ‘ଏକ୍ସ’ ମାଧ୍ୟମରେ ପ୍ରସାର କରିଦେଲେ, ତାହା କାହାରିକୁ ଆଶ୍ଚର୍ଯ୍ୟ କରି ନ ଥିବ। ମସ୍କଙ୍କର ବାତିଲ ହୋଇଥିବା ଭାରତ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର ସାକ୍ଷାତ, ଯେଉଁଥିରେ ଭାରତରେ ‘ଟେସ୍ଲା’ ଇଲେକ୍ଟ୍ରିକ୍ କାର୍ ନିର୍ମାଣ ନିମିତ୍ତ କାରଖାନା ସ୍ଥାପନ ସମ୍ବନ୍ଧରେ ଆଲୋଚନା ହୋଇଥାନ୍ତା। ତେଣୁ ମସ୍କ ଏବେ ତା’ ବଦଳରେ ଯାଇ ଚୀନ୍ର ପ୍ରଧାନମନ୍ତ୍ରୀ ଲି ଚିଆଙ୍ଗ୍ଙ୍କ ସହିତ ଆଲୋଚନା କରିଛନ୍ତି ବୋଲି ‘ଏକ୍ସ’ରେ ଘୋଷଣା କରିବା ନିଶ୍ଚିତ ରୂପେ ହେଉଛି ଭାରତକୁ ଅପ୍ରସ୍ତୁତ କରିବା ଭଳି ଏକ ଘଟଣା, ଯାହାକୁ ଭାରତ ପାଇଁ ଏକ ମସ୍କ ସୃଷ୍ଟ ‘ମୁସ୍କିଲ୍’ ବା ‘ମସ୍କିଲ୍’ ରୂପେ ଅଭିହିତ କରାଯାଇପାରେ।
କିନ୍ତୁ ଏହି ମସ୍କିଲ୍ଜନିତ ଆସ୍ବସ୍ତି ଅପେକ୍ଷା ଏଲନ୍ଙ୍କର ଏହି ଆଚରଣ ଭାରତ ପାଇଁ ଯେଉଁ ଅଧିକ ଗୁରୁତ୍ବପୂର୍ଣ୍ଣ ସେନ୍ଦଶ ବହନ କରିଥାଏ, ତାହା ହେଉଛି ଚୀନ୍ ସମ୍ବନ୍ଧରେ ଏକ ବାସ୍ତବବାଦୀ ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତା। ପ୍ରଥମ କଥା ହେଉଛି, ଚୀନ୍ ହେଉଛି ଆମେରିକା ପରକୁ ‘ଟେସ୍ଲା’ର ଦ୍ବିତୀୟ ବୃହତ୍ତମ ବଜାର ଏବଂ ଆମେରିକା ବାହାରେ ‘ଟେସ୍ଲା’ର ପ୍ରଥମ ବ୍ୟାେଟରି-ନିର୍ମାଣକାରୀ ଗିଗା-ଫ୍ୟାକ୍ଟ୍ରି ପ୍ରତିଷ୍ଠା ହୋଇଥିବା ଦେଶ। ଚୀନ୍ର ପ୍ରଧାନମନ୍ତ୍ରୀଙ୍କ ସହିତ ମସ୍କଙ୍କ କଥାବାର୍ତ୍ତା ଅବସରରେ ସେ ଦେଶରେ ‘େଟସ୍ଲା’ ତା’ର ସଂପୂର୍ଣ୍ଣ ରୂପେ ଆତ୍ମ-ନିୟନ୍ତ୍ରଣକ୍ଷମ ଗାଡ଼ି ବିକ୍ରୟ ଆରମ୍ଭ କରିବା ଏବଂ ଏଥିପାଇଁ ଆବଶ୍ୟକ ଇଣ୍ଟର୍ନେଟ୍ ଡେଟା ବ୍ୟବହାର ସମ୍ବନ୍ଧରେ ସହମତି ସୃଷ୍ଟି ହୋଇଛି ବୋଲି ଖବର ପ୍ରକାଶ ପାଇଛି। ଏଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ନିଜର ବ୍ୟାବସାୟିକ ସ୍ବାର୍ଥ ଅନୁସରଣରେ ମସ୍କ ଭାରତ ଅପେକ୍ଷା ଚୀନ୍କୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ଆସନ୍ତାକାଲି ଯଦି ଭାରତ ତାଙ୍କ ପାଇଁ ଏକ ଅଧିକ ଲାଭ ଉତ୍ପନ୍ନସ୍ଥଳୀ ରୂପେ ଆବିର୍ଭୂତ ହୁଏ, ମସ୍କ କାଳ ବିଳମ୍ବ ନ କରି ଚୀନ୍କୁ ଉପେକ୍ଷା କରି ଭାରତମୁହଁା ହେବା ଦେଖାଯିବ।
କିନ୍ତୁ ଦ୍ବିତୀୟ କଥା ହେଲା, ମସ୍କଙ୍କ ଏତାଦୃଶ ଆଚରଣରୁ ନିକଟ ଭବିଷ୍ୟତରେ ଚୀନ୍ ଭାରତ ନିକଟରେ ଏଭଳି ହାର ମାନିବାକୁ ଯାଉଥିବା ଭଳି ମନେ ହେଉନାହିଁ। ଏକ ସମୟରେ କିନ୍ତୁ ବିଶ୍ବାସ କରାଯାଉଥିଲା ଯେ ଅଧିକାଂଶ ପାଶ୍ଚାତ୍ୟ ଓ ବିଶେଷକରି ଆମେରିକୀୟ କଂପାନିମାନେ ସେମାନଙ୍କର ଯୋଗାଣ ଶୃଙ୍ଖଳକୁ ଚୀନ୍ରୁ ହଟାଇବାକୁ ଆରମ୍ଭ ହୋଇଥିବା ‘ଚାଇନା-ପ୍ଲସ୍-ୱାନ୍’ ନାମକ ଉଦ୍ୟମର ମୁଖ୍ୟ ଲାଭାର୍ଥୀ ହେବାକୁ ଯାଉଛି ଭାରତ। ଚୀନ୍ରୁ ଆରମ୍ଭ ହୋଇଥିବା କୋଭିଡ୍-୧୯ ପାଣ୍ଡେମିକ୍ େଯାଗୁଁ ଚୀନ୍-ନିର୍ଭରଶୀଳ ଯୋଗାଣ ଶୃଙ୍ଖଳ ଭୁଶୁଡ଼ି ପଡ଼ି ପାଶ୍ଚାତ୍ୟ ଦେଶମାନଙ୍କରେ ଅର୍ଥନୈତିକ ବିପର୍ଯ୍ୟୟ ସୃଷ୍ଟି ହେବା ପରେ ସେଠାରେ ୨୦୨୨ରେ ଚୀନ୍ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଏଭଳି ଆହ୍ବାନ ଦିଆଯିବା ଦେଖାଗଲା। ଏଥିପାଇଁ ଭାରତକୁ ଚୀନ୍ର ଏକ ଉପଯୁକ୍ତ ବିକଳ୍ପ ରୂପେ ପ୍ରସ୍ତୁତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ଯେଉଁ କଳ୍ପନାଜଳ୍ପନା ଆରମ୍ଭ ହେଲା, ତାହା ଏବେ ମଧ୍ୟ ବଳବତ୍ତର ଅଛି।
ଏଥିରେ ମଧ୍ୟ କିଛି ଅସ୍ବାଭାବିକତା ନାହିଁ। କଂପାନିମାନେ ସେମାନଙ୍କର ଉତ୍ପାଦନ କେନ୍ଦ୍ରମାନ ସ୍ଥାପନ କରିବା ପାଇଁ ଏକ ଦେଶ ନିଜକୁ ଆକର୍ଷଣୀୟ କରିବା ନିମିତ୍ତ ଯାହାସବୁ ଉପାଦାନମାନଙ୍କର ଉପସ୍ଥିତି ଆବଶ୍ୟକ, ସେଥିମଧ୍ୟରୁ କେତେଗୁଡ଼ିଏ ଉପଲବ୍ଧ କରାଇବା ପାଇଁ ଭାରତ ଇତିମଧ୍ୟରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପମାନ ନେବାକୁ ଆରମ୍ଭ କରିସାରିଥିଲା। ମନେ ହେଉଥିଲା ଆଉ ଟିକିଏ ଚେଷ୍ଟା କଲେ ପାଶ୍ଚାତ୍ୟ କଂପାନିମାନଙ୍କର ପ୍ରଥମ ପସନ୍ଦର ଗନ୍ତବ୍ୟସ୍ଥଳୀ ହେବା ପାଇଁ ଭାରତ ଚୀନ୍ ସହିତ ବେଶ୍ ପ୍ରତିଯୋଗିତାକ୍ଷମ ହୋଇପାରିବ। ଭାରତରେ ଏହି କଂପାନିମାନେ ଆବଶ୍ୟକ କରୁଥିବା ବିଶ୍ବସ୍ତରୀୟ ଭିତ୍ତିଭୂମି (ସଡ଼କରୁ ବିମାନ ବନ୍ଦର ପର୍ଯ୍ୟନ୍ତ) ନିର୍ମାଣ ଚାଲିଥିବା ବେଳେ କର୍ପୋରେଟ୍ ଟିକସ ହାରରେ ହ୍ରାସ ଘଟାଯାଇ ତାହାକୁ ଆନ୍ତର୍ଜାତିକ ସ୍ତରରେ ପ୍ରତିଯୋଗିତାକ୍ଷମ କରିଦିଆଯାଇଛି। ଆନ୍ତର୍ଜାତିକ ନିବେଶକମାନଙ୍କୁ ଭାରତକୁ ଆକର୍ଷିତ କରିବା ନିମିତ୍ତ ‘ପିଏଲ୍ଆଇ’ ପରି ବିଭିନ୍ନ ପ୍ରୋତ୍ସାହନ ପ୍ରଦାନ ସ୍କିମ୍ମାନ ମଧ୍ୟ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଚୀନ୍ ପ୍ରତି ବିମୁଖ ହେବା ପୂର୍ବରୁ ଏଠାରେ କାର୍ଯ୍ୟକାରୀ ହୋଇସାରିଥିଲା। ଏଣୁ ଆଶା କରାଯାଉଥିଲା ଯେ ଯେତେବେଳେ ଆନ୍ତର୍ଜାତିକ ରାଜନୈତିକ ପାଣିପାଗ ଚୀନ୍ ପାଇଁ ପ୍ରତିକୂଳ ହୋଇଛି, ତାହା ଉପଯୁକ୍ତ ଉତ୍ପାଦନସ୍ଥଳୀ ଖୋଜୁଥିବା କଂପାନିମାନଙ୍କ ପାଇଁ ଭାରତର ଆକର୍ଷଣକୁ ଦୁର୍ବାର କରି ତୋଳିବ। କିନ୍ତୁ ଏଲନ୍ ମସ୍କଙ୍କ ଆଚରଣରୁ ସ୍ପଷ୍ଟ ହୋଇଛି ଯେ ଏ ସମସ୍ତ ସତ୍ତ୍ବେ ଚୀନ୍ ଏବେ ବି ଗୁରୁତ୍ବପୂର୍ଣ୍ଣ କଂପାନିମାନଙ୍କ ପାଇଁ ପ୍ରଥମ ପସନ୍ଦ ହୋଇରହିଛି।
ଏଠାରେ ଯାହା ଆହୁରି ଅଧିକ ଚିନ୍ତାର ବିଷୟ, ତାହା ହେଲା, ଭାରତରେ ଉପଲବ୍ଧ ଥିବା ବିଭିନ୍ନ ପ୍ରୋତ୍ସାହନ ବ୍ୟବସ୍ଥା ବାଦ୍ ଏଲନ୍ ମସ୍କ ମଧ୍ୟ ଭାରତରେ ତାଙ୍କର କାରଖାନା ସ୍ଥାପନ ନିମିତ୍ତ ସରକାରଙ୍କ ଠାରୁ ଆଉ ଏକ ଅତିରିକ୍ତ ସୁବିଧା ଆଦାୟ କରିଦେଇଥିଲେ। ତାହା ହେଲା, ଭାରତ ଆମଦାନି କରୁଥିବା ‘ଟେସ୍ଲା’ କାର୍ ଉପରେ ସରକାର ଆମଦାନି ଶୁଳ୍କରେ ଏକ ତୀକ୍ଷ୍ଣ ହ୍ରାସ ଘଟାଇଦେଲେ। ସର୍ତ୍ତ ଅନୁସାରେ ଏହି ରିହାତି ପାଇବାକୁ ଯୋଗ୍ୟ ହେବା ପାଇଁ ସଂପୃକ୍ତ କଂପାନିକୁ ଭାରତରେ ଅନ୍ୟୂନ ୫୦୦ ନିୟୁତ ଡଲାର୍ ନିବେଶ କରି ତିନି ବର୍ଷ ମଧ୍ୟରେ ଏଠାରେ ଗାଡ଼ି ଉତ୍ପାଦନ ଆରମ୍ଭ କରିବାକୁ ହେବ। ଏଠାରେ ମନେ ପକାଇବା ଦରକାର ଯେ ଦୀର୍ଘ ନ’ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମେକ୍ ଇନ୍ ଇଣ୍ଡିଆ’ ଆହ୍ବାନ ଦେଇ ଭାରତରେ ଉତ୍ପାଦନ କେନ୍ଦ୍ରମାନ ସ୍ଥାପନ ନିମିତ୍ତ ବିଭିନ୍ନ ପ୍ରୋତ୍ସାହନ ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ ମଧ୍ୟ ମସ୍କଙ୍କ ଭଳି ବୃହତ୍ ନିବେଶକମାନେ ତଥାପି ଭାରତ ପ୍ରତି ଆକର୍ଷିତ ହେଉନାହାନ୍ତି ଓ ସେଥିପାଇଁ ସେମାନଙ୍କୁ ଆହୁରି ଅଧିକ ସୁବିଧା ପ୍ରଦାନ କରିବାକୁ ହେଉଛି। ଏହି ବିଶେଷ ସୁବିଧା ପାଇବା ପରେ ମଧ୍ୟ ମସ୍କ ଚୀନ୍ମୁହଁା ହେବା ପ୍ରମାଣିତ କରିଥାଏ ଯେ ଏବେ ବି ଚୀନ୍ର ଆକର୍ଷଣ ଦୁର୍ବଳ ହୋଇ ଯାଇନାହିଁ।
ଏହାର ଅନ୍ୟତମ କାରଣ ହେଲା, ତା’ ପ୍ରତି ପ୍ରତିକୂଳ ପାଶ୍ଚାତ୍ୟ ଆଭିମୁଖ୍ୟକୁ ପ୍ରତିହତ କରିବା ପାଇଁ ଚୀନ୍ ବର୍ତ୍ତମାନ ଇଲେକ୍ଟ୍ରିକ୍ କାର୍, ବ୍ୟାଟେରି, ଡ୍ରୋନ୍, ବାୟୋଇଞ୍ଜିନିଅରିଙ୍ଗ୍, ‘ଏଆଇ’ ଆଦି ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ନିର୍ଭରଶୀଳ କ୍ଷେତ୍ରମାନଙ୍କରେ ସ୍ବଳ୍ପ ବ୍ୟୟରେ ବିପୁଳ ଉତ୍ପାଦନ ସମ୍ଭବ କରିବାରେ ଧ୍ୟାନ କେନ୍ଦ୍ରୀଭୂତ କରିବାରେ ଲାଗିଛି। ବର୍ତ୍ତମାନ ପାଶ୍ଚାତ୍ୟ ଦେଶମାନେ ଛାନିଆ ହେଲେଣି ଯେ ଅନତିବିଳମ୍ବେ ଆନ୍ତର୍ଜାତିକ ବଜାରରେ ଚୀନ୍ରେ ନିର୍ମିତ ଏହି ସମସ୍ତ ଉଚ୍ଚ ଜ୍ଞାନକୌଶଳ ସଂପନ୍ନ ଓ ସେବା ପଦାର୍ଥମାନ ଏତେ ବିପୁଳ ସଂଖ୍ୟାରେ ଓ ଏତେ ଶସ୍ତାରେ ଉପଲବ୍ଧ ହେବାକୁ ଯାଉଛି ଯେ ସେଥିଯୋଗୁଁ ପାଶ୍ଚାତ୍ୟ କାରଖାନା ଓ କଂପାନିମାନ ବନ୍ଦ ହୋଇଯିବ ଏବଂ ସେଠାରେ ନିଯୁକ୍ତି ସୁଯୋଗ ଧ୍ବଂସ ପାଇ ଗୁରୁତର ବେକାରି ମୁଣ୍ଡ ଟେକିବ। ନିକଟରେ ଆମେରିକାର ବିତ୍ତ ମନ୍ତ୍ରୀ (ଟ୍ରେଜେରି ସେକ୍ରେଟାରି) ଜେନେଟ୍ ୟେଲେନ୍ ତାଙ୍କର ଚୀନ୍ ଗସ୍ତ ସମୟରେ ସେଠାରେ ଠିକ୍ ଏଇଭଳି ଚିନ୍ତା ପ୍ରକଟ କରିବା ଦେଖାଯାଇଥିଲା। ଚତୁର ଏଲନ୍ ମସ୍କ ତେଣୁ ନିଜର ସ୍ଥିତି ବିପନ୍ନ ହେବାକୁ ଯାଉଥିବା ହୃଦୟଙ୍ଗମ କରି ଚୀନ୍ ସହିତ ଶତ୍ରୁତା ନ କରି ତା’ ସହିତ ହାତ ମିଳାଇବା ଉଚିତ ମନେ କରିଛନ୍ତି। ଚୀନ୍ ସହିତ ପ୍ରତିଯୋଗିତା କରିବାକୁ ହେଲେ ଭାରତକୁ ଯେ ଆହୁରି କଠିନ ଉଦ୍ୟମ କରିବାକୁ ହେବ, ଏବେ ଏଲନ୍ ମସ୍କ ସୃଷ୍ଟି କରିଥିବା ‘ମସ୍କିଲ୍’ କାମକୁ ସେଇ ଆହ୍ବାନ ଦେଉଛି।