କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅଞ୍ଚଳରେ ବଦଳିଗଲାଣି ପାରମ୍ପରିକ ଚାଷ ପ୍ରଣାଳୀ। ଗାଁ ଦାଣ୍ଡରେ ଆଉ ଗଡ଼ୁନି ଶଗଡ଼। ଦିଶୁନାହାନ୍ତି ହଳ ବଳଦ। ଶୁଣାଯାଉନାହିଁ ଗୋରୁ, ବଳଦଙ୍କ ହମ୍ବା ରଡ଼ି। ପୁରୁଷ ପୁରୁଷ ଧରି ଚାଷରେ ବ୍ୟବହୃତ ହୋଇଆସୁଥିବା ଗୋ ସମ୍ପଦ, କାଠ ଲଙ୍ଗଳ, ଶଗଡ଼ ପ୍ରଭୃତିର ସ୍ଥାନ ନେଇଛି ଯନ୍ତ୍ରପାତି। ଅନେକ ସ୍ଥାନରେ ଜମି ଚାଷଠାରୁ ଫସଲ ଅମଳ ପର୍ଯ୍ୟନ୍ତ ସବୁ କାମ ହେଉଛି ଯନ୍ତ୍ରରେ। ପୂର୍ବରୁ ଶୁଣାଯାଉଥିବା ଶଗଡ଼ର କେଁ କଟର ଶବ୍ଦ, ଶଗଡ଼ିଆଙ୍କ ଗୀତ ଆଉ ନାହିଁ। ତା’ର ସ୍ଥାନ ନେଇଛି ଟ୍ରାକ୍ଟର। ଟ୍ରାକ୍ଟରର ବିକଟାଳ ଶବ୍ଦ କାନ ଅତଡ଼ା ପକାଉଛି। କାଁ ଭାଁ କିଛି ଚାଷୀଙ୍କ ପିଣ୍ଡାରେ ଅଲୋଡ଼ା ହୋଇ ପଡ଼ିଛି ଶଗଡ଼ର ଚକ, ଅଖ। ହଳ, ଲଙ୍ଗଳ, ଶଗଡ଼ ଇତ୍ୟାଦି ସ୍ମୃତି ପାଲଟିଲାଣି। ଶିଶୁମାନେ ତାଙ୍କ ପଢ଼ାବହିରେ ଏ ସବୁର ଚିତ୍ର ଯାହା ଦେଖୁଛନ୍ତି। ଯନ୍ତ୍ରପାତିର ବ୍ୟବହାର, ଫସଲରେ ରାସାୟନିକ ସାରର ବ୍ୟବହାର ମାଟି, ପାଣି ପବନକୁ ବିଷାକ୍ତ କରୁଛି। କଣିହାଁ ବ୍ଲକ୍ରେ ଜିନ୍ଦଲ ଥର୍ମାଲ ପାୱାର ପ୍ଲାଣ୍ଟ ସମେତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନ୍ଟିପିସି ପ୍ଲାଣ୍ଟ, କୋଇଲା ଖଣି ଗଢ଼ି ଉଠିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଲୋକମାନେ ଚାଷରୁ ମୁହଁ ବୁଲାଇଲେଣି। ଜମି ଚାଷ କରିବା ପାଇଁ ମୂଲିଆ ମିଳୁ ନାହାନ୍ତି। ଶହ ଶହ ଏକର ଚାଷଜମି ପଡ଼ିଆ ପଡିଛି। କଳ କାରଖାନାରେ କାମ କରି ଗୁଜୁରାଣ ମେଣ୍ଟାଇବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଫଳରେ ଗାଁ ଗଣ୍ଡାରୁ ଶଗଡ଼, ହଳ ବଳଦ ଉଭାନ ହୋଇଯାଇଛି। ପୁରୁଷାନୁକ୍ରମେ ଭୋର ୪ଟାରୁ ଚାଷୀମାନେ ହଳ ଲଙ୍ଗଳ ନେଇ ବିଲରେ ଚାଷ କରୁଥିଲେ। ଶଗଡ଼ରେ ଜମିକୁ ଖତ ବୋହୁଥିଲେ। ସେଠାରୁ ଫସଲ ଆଣୁଥିଲେ। ଏ ସବୁ କାମ କରୁଛି ଟ୍ରାକ୍ଟର। ଯନ୍ତ୍ରପାତିର ବ୍ୟବହାର ଦ୍ବାରା କମ୍ ସମୟରେ ଅଧିକ କାର୍ଯ୍ୟ ହୋଇପାରୁଛି ସତ, କିନ୍ତୁ ଏଥିଯୋଗୁଁ ଗାଁ ଗହଳିରେ ଏବେ ଲୋକେ କାମ ପାଉନାହାନ୍ତି। ଅନେକ ଚାଷୀ ଚାଷ କାର୍ଯ୍ୟ ଛାଡ଼ି ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। କିଛି ଲୋକ ସରକାରଙ୍କଠାରୁ ମିଳୁଥିବା ମାଗଣା ଚାଉଳ ଉପରେ ଭରସାକରି ଚଳୁଛନ୍ତି ପଛେ ଚାଷ କରୁନାହାନ୍ତି। କଣିହାଁ ବ୍ଲକ୍ରେ ୨୭ଟି ପଞ୍ଚାୟତ ଥିବାବେଳେ ହେକ୍ଟର ହେକ୍ଟର ଚାଷ ଜମି ରହିଛି। ଅନେକ ଜାଗାରେ କିନ୍ତୁ ଜମି ପଡ଼ିଆ ପଡ଼ିଛି। ଚାଷୀମାନେ ଗାଈ, ବଳଦ ବିକ୍ରି କରିସାରିଲେଣି। ତେଣୁ ଅଞ୍ଚଳରୁ ଗୋ ସମ୍ପଦ ଲୋପ ପାଇବାକୁ ବସିଲାଣି।