ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ: ସନ୍‌ରାଇଜର୍ସକୁ ୭ ୱିକେଟ୍‌ରେ ହରାଇଲା ଇଣ୍ଡିଆନ୍ସ

ମୁମ୍ବାଇ: ୩୧ ରନ୍‌ରେ ୩ ୱିକେଟ୍ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଘୋର ସଙ୍କଟରେ ପଡ଼ିଥିଲା। ଠିକ୍ ଏତିକି ବେଳେ ସୂର୍ଯ୍ୟକୁମାର ଯାଦବ ତାଙ୍କ ଅପୂର୍ବ ତେଜ ଦେଖାଇଲେ। ଧୂଆଁଧାର ଶତକ (୧୦୨* ରନ୍, ୫୧ ବଲ୍, ୧୨ ଚୌକା, ୬ ଛକା) ଅର୍ଜନ କରି ସନ୍‌ରାଇଜର୍ସକୁ କେବଳ ୭ ୱିକେଟ୍‌ରେ ହରାଇଲେନି, ବରଂ କିଛି ଦିନ ହେବ ଶେଷ ସ୍ଥାନରେ ଘୁଷୁଡ଼ୁଥିବା ମୁମ୍ବାଇକୁ ଗୁଜରାଟ ଟାଇଟନ୍ସ ଉପରକୁ ନେଇ ନବମ ସ୍ଥାନରେ ପହଞ୍ଚାଇଛନ୍ତି। ଚଳିତ ଋତୁରେ ମୁମ୍ବାଇ ମଧ୍ୟ ପ୍ରଥମ ଥର ପାଇଁ ଆଧିପତ୍ୟଭରା ବିଜୟ ହାସଲ କରିଛି।

ସୋମବାରର ଏହି ରୋଚକ ମୁକାବିଲା ଥିଲା ବେଶ୍ ନାଟକୀୟ। ୧୭୪ ରନ୍‌ର ପିଛା କରି ଈଶାନ କିଶନ (୯), ରୋହିତ ଶର୍ମା (୪) ଓ ନମନ ଧୀର (୦)ଙ୍କୁ ପାଞ୍ଚ ଓଭର ଭିତରେ ହରାଇଥିଲା ମୁମ୍ବାଇ। ଏହା ପରେ କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଆଉ ୱିକେଟ୍ ପାଇ ନଥିଲା ସନ୍‌ରାଇଜର୍ସ। ସୂର୍ଯ୍ୟକୁମାରଙ୍କ ସହ ତିଲକ ବର୍ମା (୩୭* ରନ୍, ୬ ଚୌକା) ବଡ଼ ଭାଗୀଦାରି କରିଥିଲେ। ଉଭୟ ଅବିଭାଜିତ ଚତୁର୍ଥ ୱିକେଟ୍‌ରେ ୧୩୩ ରନ୍ ଯୋଡ଼ି ସନ୍‌ରାଇଜର୍ସ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ମୁମ୍ବାଇକୁ ୧୬ ବଲ୍ ପୂର୍ବରୁ ବିଜୟୀ କରାଇଥିଲେ। ଟି. ନଟରାଜନଙ୍କୁ ଲଙ୍ଗ ଅଫ୍ ଉପରେ ଛକା ମାରି ସୂର୍ଯ୍ୟକୁମାର ଚଳିତ ଋତୁର ପ୍ରଥମ ଓ ଆଇପିଏଲ୍‌ରେ ଦ୍ବିତୀୟ ଶତକ ପୂରଣ କଲା ପରେ ପୂରା ୱାଙ୍ଖଡ଼େ ଷ୍ଟାଡିୟମ୍‌ର ପ୍ରତିଟି ଦର୍ଶକ ତାଙ୍କୁ ଅଭିବାଦନ ଜଣାଇଥିଲେ। ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ମଧ୍ୟ ସୂର୍ଯ୍ୟ ନିଜ ବ୍ୟାଟିଂ କେତେ ଉଜ୍ଜ୍ବଳ, ତାହାର ଝଲକ ଦେଖାଇଥିଲେ। ଦ୍ବାଦଶ ମ୍ୟାଚ୍‌ରୁ ଏହା ମୁମ୍ବାଇର ଚତୁର୍ଥ ବିଜୟ ଥିଲା। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ଏକାଦଶ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରିଥିଲା। ସୂର୍ଯ୍ୟକୁମାର ତାଙ୍କ ମ୍ୟାଚ୍ ବିଜୟୀ ଓ ସ୍ମରଣୀୟ ପାଳି ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସୋମବାର ଘରୋଇ ପରିବେଶରେ ଖେଳୁଥିବା ମୁମ୍ବାଇ ଅଧିନାୟକ ହାର୍ଦିକ ପାଣ୍ଡ୍ୟା (୩/୩୧)ଙ୍କ ସହ ସ୍ପିନର ପୀୟୂଷ ଚାୱଲା (୩/୩୩)ଙ୍କ ବୋଲିଂ ଚମକ ସହାୟତାରେ ୧୩୬ ରନ୍‌ରେ ହାଇଦ୍ରାବାଦର ୮ ୱିକେଟ୍ କରାୟତ୍ତ କରି ନେଇଥିଲା। ଏଣୁ ଏହି ଦଳ ଦେଢ଼ ଶହ ରନ୍ ତଳେ ଅଟକି ଯିବାର ଆଶଙ୍କା ଦେଖା ଦେଇଥିଲା। ‌‌ହେଲେ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କମିନ୍ସ ଠିକଣା ସମୟରେ ଅଧିନାୟକ ଦାୟିତ୍ବକୁ ସଠିକ୍ ଭାବେ ତୁଲାଇ ଥିଲେ। ବିସ୍ଫୋରକ ବ୍ୟାଟିଂ କରି ନିଜ ଦଳର ସ୍କୋର୍ ବୋର୍ଡକୁ ଆଗେଇ ନେଇଥିଲେ। ଫଳରେ ସନ୍‌ରାଇଜର୍ସ ସ୍କୋର୍ ୧୭୩/୮ ରେ ପହଞ୍ଚି ଯାଇଥିଲା। ପୂର୍ବରୁ ମୁମ୍ବାଇ ଟସ୍ ଜିତି ‌ହାଇଦ୍ରାବାଦକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବିପଜ୍ଜନକ ହେନରିକ୍ କ୍ଲାସେଁ (୨)ଙ୍କ ସହ ହାଇଦ୍ରାବାଦ ଶୀର୍ଷକ୍ରମକୁ ସଅଳ ପ୍ୟାଭିଲିୟନ ଫେରାଇ ମୁମ୍ବାଇ ବୋଲରମାନେ ଅଧିନାୟକ ପାଣ୍ଡ୍ୟାଙ୍କ ସମ୍ମାନ ବି ରଖିଥିଲେ। ତେବେ ଉପରେ ଟ୍ରାଭିସ୍ ହେଡ୍ (୪୨ ରନ୍, ୩୦ ବଲ୍, ୭ ଚୌକା, ୧ ଛକା) ଏବଂ ତଳେ କମିନ୍ସଙ୍କ ଆକ୍ରମଣକୁ ପ୍ରତିହତ କରି ନପାରିବା ଶେଷରେ ମୁମ୍ବାଇ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦଳ ହାଇଦ୍ରାବାଦକୁ କମ୍‌ ରନ୍‌ରେ ଅଟକାଇବାର ସୁବର୍ଣ୍ଣ ସୁଯୋଗ ହାତଛଡା କରିଥିଲା।

ସଂକ୍ଷିପ୍ତ ସ୍କୋର୍: ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୭୩/୮ (ଟ୍ରାଭିସ୍ ହେଡ୍-୪୨, ପ୍ୟାଟ୍ କମିନ୍ସ-୩୫*, ନୀତୀଶ କୁମାର ରେଡ୍ଡୀ-୨୦, ହାର୍ଦିକ ପାଣ୍ଡ୍ୟା-୩/୩୧, ପୀୟୁଷ ଚାୱଲା-୩/୩୩, ଯଶପ୍ରୀତ୍‌ ବୁମ୍‌ରା-୧/୨୩)। ମୁମ୍ବାଇ ଇଣ୍ଡିଆନ୍ସ ୧୭.୨ ଓଭରରେ ୧୭୪/୩ (ସୂର୍ଯ୍ୟକୁମାର ଯାଦବ ୧୦୨*, ତିଲକ ବର୍ମା ୩୭*, ଭୁବନେଶ୍ବର କୁମାର ୧/୨୨, ପ୍ୟାଟ୍ କମିନ୍ସ ୧/୩୫)।

ସମ୍ବନ୍ଧିତ ଖବର