ଜୀବନର ସର୍ବଶ୍ରେଷ୍ଠ ମାନ୍ୟତା: ହ୍ୟାଟ୍ରିକ୍ ନେବାରେ ଚହର ପ୍ରଥମ ନୁହନ୍ତି

ନାଗପୁର: ଟ୍ବେଣ୍ଟି-୨୦ କ୍ରିକେଟ୍‌‌ରେ ପ୍ରଥମ ଭାରତୀୟ ଭାବେ ଦୀପକ ଚହର ହ୍ୟାଟ୍ରିକ୍ ନେଇଥିଲେ ବୋଲି ଯାହା କୁହାଯାଇଥିଲା ତାହା ସତ୍ୟ ନୁହେଁ। ତେବେ ପ୍ରଥମ ଭାରତୀୟ ପୁରୁଷ ଖେଳାଳିଭାବେ ସେ ଏହି ଗୌରବ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ୨୦୧୨ ମସିହାରେ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ସ୍ପିନର୍‌ ଏକତା ବିଷ୍ଟ୍ (୩/୧୨) ହ୍ୟାଟ୍ରିକ୍ ନେଇଥିଲେ। ପୁରୁଷ କ୍ରିକେଟ୍‌ରଙ୍କ ମଧ୍ୟରେ ଟେଷ୍ଟ୍‌ରେ ହରଭଜନ ସିଂହ, ଦିନିକିଆରେ ଚେତନ ଶର୍ମା ପ୍ରଥମ ହ୍ୟାଟ୍ରିକ୍ ଅର୍ଜନର ଗୌରବ ପାଇଥିଲେ। ଦୀପକ ଚହର କିନ୍ତୁ ରବିବାରର ବୋଲିଂ ଚିତ୍ର (୩.୨-୦-୭-୬) ଜରିଆରେ ପୁରୁଷ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ଶ୍ରେ‌ଷ୍ଠ ବୋଲିଂ ଚିତ୍ର ପାଇଥିଲେ।‌ ସେ ଶ୍ରୀଲଙ୍କା ସ୍ପିନର ଅଜନ୍ତା ମେଣ୍ଡିଜ୍‌ (ବନାମ ଜିମ୍ବାୱେ, ହାମ୍ବାଣ୍ଟୋଟା, ୨୦୧୨)ଙ୍କୁ ପଛରେ ପକାଇଥିଲେ। ରବିବାରର ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ବାଂଲାଦେଶ ପାଳିରେ ମୋଟ ୯ ୱିକେଟ୍‌ ଦ୍ରୁତ ବୋଲର ଦଖଲ କରିଥିଲେ। ଭାରତ ପାଇଁ ଏହା ଦ୍ବିତୀୟ ଉଦାହରଣ ଥିଳା। ମଜାର କଥା ହେଲା ପୂର୍ବ ଥର ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷ ଫାଇନାଲରେ ଭାରତୀୟ ବୋଲର ଏଭଳି ସଫଳତା ପାଇଥିଲେ।

ଅନ୍ୟ ଏକ ଉଲ୍ଲେଖନୀୟ କଥା ହେଉଛି ଭାରତ ଏହି ଫର୍ମାଟ (ଟ୍ବେଣ୍ଟି-୨୦)ରେ ଖେଳିଥିବା ୮ଟି ନିର୍ଣ୍ଣାୟକ ମୁକାବିଲା ମଧ୍ୟରୁ ଥରେ ମାତ୍ର ହାରିଛି। ଏହି ପରାଜୟଟି ଚଳିତ ବର୍ଷ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ହାମିଲଟନ୍‌ ମୁକାବିଲାରେ ହୋଇଥିଲା। ଭାରତ ୪ ରନ୍‌ରେ ହାରିଯାଇଥିଲା। ସେହିଭଳି ଭାରତ ମଧ୍ୟ ପ୍ରଥମ ମ୍ୟାଚ୍‌ ହାରିବା ପରେ ପ୍ରତ୍ୟାବର୍ତନ କରି ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିବା ଏହା ଚତୁର୍ଥ ଉଦାହରଣ। ପୂର୍ବରୁ ୨୦୧୬ରେ ଶ୍ରୀଲଙ୍କା ଓ ଜିମ୍ବାୱେ ବିପକ୍ଷରେ ଏବଂ ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ଏଭଳି ପରିସ୍ଥିତି‌ରେ ଭାରତ ଶୃଙ୍ଖଳା ଜିତିଥିଲା।

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ହ୍ୟାଟ୍ରିକ୍ ନେବା ସହ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ଶ୍ରେଷ୍ଠ ବୋଲିଂ ଚିତ୍ର (୬/୭) ପାଇଥିବା ଦୀପକ ଚହର ଆଇସିସି ବୋଲିଂ ତାଲିକାରେ ୮୮ଟି ସ୍ଥାନ ଉପରକୁ ଲମ୍ଫ ମାରିଛନ୍ତି। ଚହର ୫୧୭ ପଏଣ୍ଟ୍‌ ସହ ୧୩୦ ରୁ ସିଧାସଳଖ ୪୨ତମ ସ୍ଥାନକୁ ଉଠିଛନ୍ତି। ଭାରତୀୟ ଖେଳାଳି କୁଲଦୀପ ଯାଦବ (୧୪) ଓ କ୍ରୁନାଲ୍ ପାଣ୍ଡ୍ୟା (୧୮) ଶ୍ରେଷ୍ଠ ୨୦ରେ ରହିଛନ୍ତି। ଅନ୍ୟପକ୍ଷରେ ଆଫଗାନିସ୍ତାନର ଲେଗ୍ ସ୍ପିନର୍ ରସିଦ୍ ଖାନ୍ ତାଲିକାର ଶୀର୍ଷରେ ଅଛନ୍ତି। ସେହିପରି ବାଂଲାଦେଶର ବାମହାତୀ ବ୍ୟାଟ୍ସମ୍ୟାନ୍ ମହମ୍ମଦ୍ ନଇମ୍ ଶୃଙ୍ଖଳାରେ ୧୪୩ ରନ୍ କରି ୩୮ତମ ସ୍ଥାନକୁ ଉତୀର୍ଣ୍ଣ ହୋଇଛନ୍ତି। ପାକିସ୍ତାନର ବାବର ଆଜମ ଶୀର୍ଷରେ ଥିବା ବେଳେ ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚ୍ ଦ୍ବିତୀୟ ଓ ଇଂଲଣ୍ଡର ଡେୱିଡ ମଲାନ ତୃତୀୟରେ ଅଛନ୍ତି। ଅନ୍ୟପକ୍ଷରେ ଅଲରାଉଣ୍ଡର ତାଲିକାରେ ଆଫଗାନିସ୍ତାନର ମହମ୍ମଦ ନବି ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସ‌େୱଲଙ୍କୁ ପଛରେ ପକାଇ ଶୀର୍ଷକୁ ଉନ୍ନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର