କେନ୍‌ କୀର୍ତିମାନ

ମସ୍କୋ: ଚଳିତ ଫିଫା ବିଶ୍ୱକପ୍‌ରେ ରବିବାର ଇଂଲଣ୍ଡ ୬-୧ରେ ପାନାମାକୁ ଶୋଚନୀୟ ଭାବେ ହରାଇବା ଅବସରରେ ଏକାଧିକ କୀର୍ତିମାନ ପ୍ରତିଷ୍ଠା ହୋଇଛି। ତୃତୀୟ ଥର ପାଇଁ ଇଂଲଣ୍ଡ ଏକ ବିଶ୍ୱକପ୍‌ରେ ପ୍ରଥମ ୨ ମ୍ୟାଚ୍‌ ଜିତିଛି। ୧୯୮୨ ଏବଂ ୨୦୦୬ରେ ଦଳ ଏଭଳି କରିଥିଲା। ୬-୧ ଇଂଲଣ୍ଡର ସବୁଠୁ ବୃହତ୍‌ ବିଜୟ। ପ୍ରଥମାର୍ଥ ପୂର୍ବରୁ ପଞ୍ଚମ ଥର ପାଇଁ ଗୋଟିଏ ଦଳ ୫ ଗୋଲ୍‌ ଦେବା ନଜର ଆସିଥିଲା। ଶେଷ ଥର ପାଇଁ ୨୦୧୪ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ବ୍ରାଜିଲ୍‌ ବିପକ୍ଷରେ ଜର୍ମାନି ଏଭଳି ୫ ଗୋଲ୍‌ ଦେଇଥିଲା। ଇଂଲଣ୍ଡ ଏହି ଗୋଟିଏ ମ୍ୟାଚ୍‌ରେ ୬ ଗୋଲ୍‌ ଦେଇଥିବା ବେଳେ ବିଗତ ୭ ବିଶ୍ୱକପ୍‌ ମ୍ୟାଚ୍‌ରେ ମିଳିତ ଭାବେ ୬ ଦେଇଥିଲା। ୧୯୬୬ ମସିହାରେ (ମୋଟ ୧୧ ଗୋଲ୍‌) ବିଶ୍ୱକପ୍‌ରେ ସର୍ବାଧିକ ଗୋଲ୍‌ ଦେଇଥିଲା। ରୁଷିଆରେ ଏବେ ସୁଦ୍ଧା ଇଂଲଣ୍ଡ ୮ ଗୋଲ୍‌ ଦେଇ ସାରିଛି ଯାହାକି ୧୯୫୪ ଏବଂ ୧୯୯୦ ସହିିତ ସମାନ। ସେହିଭଳି ଅଧିନାୟକ ହ୍ୟାରି କେନ୍‌ ତୃତୀୟ ଇଂଲଣ୍ଡ ଖେଳାଳି ଭାବେ ବିଶ୍ୱକପ୍‌ରେ ହ୍ୟାଟ୍ରିକ୍‌ ଅର୍ଜନ କଲେ। ୧୯୬୬ ଫାଇନାଲ୍‌ରେ ଜର୍ମାନି ବିପକ୍ଷରେ ଜିଓଫ୍‌ ହର୍ଷ୍ଟ ଏବଂ ୧୯୮୬ରେ ପୋଲାଣ୍ଡ୍‌ ବିପକ୍ଷରେ ଗ୍ୟାରି ଲିନେକର୍‌ ହ୍ୟାଟ୍ରିକ୍‌ ଦେଇଥିଲେ। ହ୍ୟାରି କିନ୍ତୁ ପ୍ରଥମ ଖେଳାଳିଭାବେ ନିଜର ପ୍ରଥମ ଦୁଇ ବିଶ୍ୱକପ୍‌ ମ୍ୟାଚ୍‌ରେ ଦୁଇଟି ଲେଖାଏଁ ଗୋଲ୍‌ ଦେଇଦେଲେ। ୧୯୭୪ ମସିହାରେ ପୋଲାଣ୍ଡ୍‌ର ଗ୍ରଜଗର୍ଜ ଲାଟୋ ଏଭଳି ପ୍ରଦର୍ଶନ ସହିତ ସେଥର ସୁନା ଜୋତା ଜିତିଥିଲେ।

ସମ୍ବନ୍ଧିତ ଖବର