ଭୁବନେଶ୍ୱର : ସମସ୍ତ ସରକାରୀ ନିଗମ ଓ ସମବାୟ ସଂସ୍ଥାରେ ସ୍ଥାୟୀ କର୍ମଚାରୀ ନିଯୁକ୍ତ ନକରି ଆଉଟସୋର୍ସିଂ ଆଧାରରେ ରାଜ୍ୟ ସରକାର ବହୁ ଯୁବକଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ବିଭିନ୍ନ ସରକାରୀ ନିଯୁକ୍ତି ପରୀକ୍ଷା ଦେଇ ସଫଳ ହୋଇଥିବା ଯୁବବର୍ଗଙ୍କୁ ମଧ୍ୟ ଠିକା ତଥା ଚୁକ୍ତିଭିତ୍ତିକ ପଦରେ ନିଯୁକ୍ତି ଦିଆଯାଇଛି। ଏହି ଠିକା କର୍ମଚାରୀମାନେ କେବଳମାତ୍ର ବିଭିନ୍ନ ପ୍ରଶାସନିକ ଅଧିକାରୀ ଏବଂ ଚାକିରି ପ୍ରଦାନ କରିଥିବା ସଂସ୍ଥାଗୁଡ଼ିକ ଦ୍ୱାରା ଶୋଷିତ ଓ ଉପେକ୍ଷିତ ହେଉଥିବା ଅଭିଯୋଗ କରିଛି ଓଡ଼ିଶା କର୍ମଚାରୀ ମହାସଂଘ। ଠିକା ଏବଂ ଚୁକ୍ତିଭିତ୍ତିକ କର୍ମଚାରୀ ଉଚ୍ଛେଦ ଦାବିରେ ସ୍ଥାନୀୟ ଲୋୟର ପିଏମ୍ଜିଠାରେ ଆଜିଠାରୁ ଧାରଣା ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସପ୍ତମ ବେତନ କମିସନ ସୁପାରିସ ପରେ ବି,ସି ଓ ଡି ଗ୍ରୁପର କର୍ମଚାରୀଙ୍କ ଉପରେ ଠିକା ବ୍ୟବସ୍ଥା ଲାଗୁ କରିବାର କୌଣସି ଯଥାର୍ଥତା ନଥିବା ବେଳେ ଏଯାଏ କିନ୍ତୁ ଏହି ବ୍ୟବସ୍ଥା ହଟିପାରିନି। ବାରମ୍ବାର ଅନୁରୋଧ ସତ୍ତ୍ୱେ ଏହାର ସମାଧାନର ବାଟ ବାହାର କରାଯାଇ ନଥିବାରୁ ରାଜ୍ୟର ସମସ୍ତ ଆଉଟସୋର୍ସିଂ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀମାନେ କଳାବ୍ୟାଜ ପରିଧାନ କରି ଗତ ଜୁନ ୧ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ସରକାରଙ୍କ ତରଫରୁ କୌଣସି ସମାଧାନ କରା ନଯିବାରୁ ମହାମଞ୍ଚ ପକ୍ଷରୁ ଆଜିଠାରୁ ଧାରଣା ଦିଆଯାଇଛି। ଏହା ସହ ଆସନ୍ତା ୨୭ତାରିଖରେ ନବୀନ ନିବାସ ଚାଲ କାର୍ଯ୍ୟକ୍ରମ ମଧ୍ୟ କରାଯିବାକୁ ଯୋଜନା ଥିବା ମହାମଞ୍ଚର ଆବାହକ ପ୍ରଭାତ ମହାନ୍ତି ଓ ମଧୁ ମଲ୍ଲିକ କହିଛନ୍ତି। ଏହି ପ୍ରତିବାଦ ସଭାରେ ଶହ ଶହ ଠିକା କର୍ମଚାରୀମାନେ ଯୋଗ ଦେଇ ଧାରଣାରେ ବସିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଉଟସୋର୍ସିଂ କର୍ମଚାରୀ ସଂଘର ସଭାପତି ସଞ୍ଜୟ କୁମାର ପଟ୍ଟନାୟକ, ଚୁକ୍ତିଭିତ୍ତିକ କର୍ମଚାରୀ ସଂଘର ସଭାପତି ବିଜୟ କୁମାର ମଲ୍ଲ, ଯୁଗ୍ମ ସଂପାଦକ ମିହିର ନାରାୟଣ ଜେନା, ତାପସ କୁମାର ମିଶ୍ର, ସତ୍ୟବ୍ରତ ବାରିକ, ପ୍ରକାଶ ଚନ୍ଦ୍ର ବେଦାନ୍ତ, ସଚିତ୍ର କୁମାର ଦାସ, ହେମନ୍ତ ବସ୍ତିଆ, ସମରେନ୍ଦ୍ର ପ୍ରଧାନ, ଦେବ ସାହୁ, ପ୍ରତାପ କୁମାର ନାଥ, ରାଜୀବ କୁମାର ହାତି, ଶୁଭ୍ରଜିତ୍ ପଢ଼ିଆରୀ, ରଶ୍ମିରଞ୍ଜନ ପାଢ଼ି, ଅରୁନ୍ଧତୀ ମିଶ୍ର, ପ୍ରଗତି ବେହେରା ଓ ସ୍ନିଗ୍ଧା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।