କୋଲକାତା: ଭୋଲ୍ଟାସ୍ ବ୍ରାଣ୍ଡ୍ ନାମରେ ଏୟାର କଣ୍ଡିସନର (ଏସି) ବିକ୍ରି କରୁଥିବା ଟାଟା ଗ୍ରୁପ୍ ପୁଣି ଥରେ ଫ୍ରିଜ୍, ଓ୍ଵାସିଂ ମେସିନ୍ ଆଦି ବିକ୍ରି କରିବ। ୧୯୯୮ରେ କଂପାନି ଏହାର ଫ୍ରିଜ୍ ବିକ୍ରି ବନ୍ଦ କରିଦେଇଥିଲା। କେବଳ ଏସି କାରବାରକୁ ନେଇ ଆଗକୁ ବଢ଼ିଥିଲା। ଏବେ ପୁଣି ଥରେ ଟାଟା ଏହାର ଭୋଲ୍ଟାସ୍ ବ୍ରାଣ୍ଡ୍ ଅଧୀନରେ ଫ୍ରିଜ୍, ଓ୍ଵାସିଂ ମେସିନ୍ ଆଦି ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରିଛି। ଭୋଲ୍ଟାସ୍ ବେକୋ ବ୍ରାଣ୍ଡ୍ ନାମକରେ ଏହି ଉତ୍ପାଦଗୁଡ଼ିକ ବଜାରକୁ ଆସିବ।
ଟାଟା ଗ୍ରୁପ୍ ଅତୀତରେ ଫ୍ରିଜ୍, ଓ୍ଵାସିଂ ମେସିନ୍, ମୃଦୁ ପାନୀୟ, ଫର୍କ ଲିଫ୍ଟ ଓ ଶିଳ୍ପ ଉତ୍ପାଦ ସବୁ ଉତ୍ପାଦନ କରି ବିକ୍ରି କରୁଥିଲା। କିଛି ବର୍ଷ ପରେ ସେସବୁ କାରବାରକୁ ବନ୍ଦ କରିଦେଇଥିଲା। ଅବଶ୍ୟ ୨୦୦୩ ପର୍ଯ୍ୟନ୍ତ ଚୁକ୍ତି ଭିତ୍ତିରେ ଭୋଲ୍ଟାସ୍ ପକ୍ଷରୁ ନିଜ କାରଖାନାରେ ଏଲ୍ଜି ଓ ସାମସଙ୍ଗ୍ର ରେଫ୍ରିଜରେଟର୍ ନିର୍ମାଣ କରାଯାଉଥିଲା।ଫ୍ରିଜ୍, ଓ୍ଵାସିଂ ମେସିନ ଓ ମାଇକ୍ରୋ ଓଭେନ୍ ବଜାରରେ କଂପାନି ପୁଣି ଥରେ ପ୍ରବେଶ କରିବ। ଭୋଲ୍ଟାସ୍ର ମୁଖ୍ୟ ନୋଏଲ୍ ଟାଟାଙ୍କ ନେତୃତ୍ୱରେ କଂପାନି ଏ କ୍ଷେତ୍ରରେ ୧୦୦୦ କୋଟି ଟଙ୍କା ନିବେଶ କରିବ। କିଛି ବର୍ଷ ଭିତରେ ଏହା ଶ୍ରେଷ୍ଠ ତିନି କଂପାନି ମଧ୍ୟରେ ସ୍ଥାନ ପାଇବାକୁ ଉଦ୍ୟମ କରିବ।
ତୁର୍କୀର କଂପାନି ଆର୍କେଲିକ୍ ଏଏସ୍ ସହିତ କଂପାନି ବର୍ଷକ ତଳେ ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିଥିଲା। ସେହି କଂପାନି ଭୋଲ୍ଟାସ୍ ବେକୋ ବ୍ରାଣ୍ଡ୍ ନାମରେ ଏହାର ଫ୍ରିଜ୍, ଓ୍ଵାସିଂ ମେସିନ୍ ଆଦି ବିକ୍ରି କରିବ। ଅଗଷ୍ଟ ମାସ ସୁଦ୍ଧା କଂପାନିର ଉତ୍ପାଦଗୁଡ଼ିକ ଉନ୍ମୋଚିତ ହେବ। ଦୁର୍ଗାପୂଜା ବେଳକୁ ଏହା ସାରା ଦେଶରେ ନିଜର ବିତରଣ ନେଟ୍ଓ୍ଵର୍କକୁ ବିସ୍ତାର କରିବାକୁ ଯୋଜନା ରଖିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆର୍କିଲିକ୍ର ତୁର୍କୀ, ଥାଇଲ୍ୟାଣ୍ଡ୍ ଓ ଚୀନ୍ରେ ଥିବା କାରଖାନାଗୁଡ଼ିକରୁ ଉତ୍ପାଦ ସବୁ ଆମଦାନି କରି ଭାରତରେ ବିକ୍ରି କରାଯିବ। କିଛି ମାସ ଭିତରେ ଗୁଜରାଟର ସାନନ୍ଦଠାରେ କଂପାନିର କାରଖାନା ପ୍ରସ୍ତୁତ ହୋଇଯିବା ପରେ ସବୁ ଉତ୍ପାଦ ଦେଶ ଭିତରେ ଉତ୍ପାଦନ କରାଯିବ।
ସମ୍ବନ୍ଧିତ ଖବର