ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ପୂର୍ବତନ ଭବାନୀପାଟଣା ସଦର ବିଧାୟକ ଦୁଷ୍ମନ୍ତ ନାଏକ ବୁଧବାର କଂଗ୍ରେସ ଛାଡ଼ିଛନ୍ତି। ସେ ବିଜୁ ଜନତା ଦଳରେ ଯୋଗଦେବେ। କଂଗ୍ରେସ ଦଳରେ ତାଙ୍କୁ ଅଣଦେଖା କରାଯାଇଥିବାରୁ ସେ କଂଗ୍ରେସ ଛାଡ଼ିଛନ୍ତି ବୋଲି କହିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ, ପୂର୍ବତନ ବିଧାୟକ ଭାରତ ବେମାଳ କଳାହାଣ୍ଡି ଜିଲ୍ଲା ସଭାପତି ହେବା ଠାରୁ ଦଳରେ ତାଙ୍କୁ ଅଧିକ ଅଣଦେଖା କରାଯାଉଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଛାତ୍ର ନେତାରୁ କ୍ୟାରିୟର ଆରମ୍ଭ କରିଥିବା ଦୁଷ୍ମନ୍ତ ନାଏକ ପରବର୍ତ୍ତୀ ସମୟରେ ଯୁବ ନେତା ଭାବେ ଉଭା ହୋଇଥିଲେ। ୧୯୯୫ରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚନରେ ପରାଜିତ ହୋଇଥିଲେ। ସେହିପରି ୨୦୦୦ ଓ ୨୦୧୪ ବିଧାନସଭା ନିର୍ବାଚନରେ ମଧ୍ୟ ଦୁଷ୍ମନ୍ତଙ୍କୁ ପରାଜୟ ମିଳିଥିଲେ ମଧ୍ୟ ୨୦୦୯ରେ ସେ ବିଜୟୀ ହୋଇଥିଲେ।
୨୦୦୯ ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ ଫଳାଫଳ
କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ନାଏକ: ୪୬,୦୩୮ ଖଣ୍ଡ ଭୋଟ୍
ବିଜେପି ପ୍ରାର୍ଥୀ ପ୍ରଦୀପ ନାଏକ: ୪୩,୭୧୦ ଖଣ୍ଡ ଭୋଟ୍
ବିଜେଡ଼ି ପ୍ରାର୍ଥୀ ଜୟନ୍ତ ନାଏକ: ୨୫, ୬୩୬ ଖଣ୍ଡ ଭୋଟ୍
କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେବେ ବୋଲି ପୂର୍ବତନ ଦୁଷ୍ମନ୍ତ କହିଛନ୍ତି। ଆଗାମୀ ଜୁଲାଇ ୧୩ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ବିଜେଡ଼ିର ମିଶ୍ରଣ ପର୍ବରେ ସେ ୩୨ ଜଣ ସରପଞ୍ଚ, ୩୦ ଜଣ ପଞ୍ଚାୟତ ସମିତି ସଦସ୍ୟ ଓ ଶତାଧିକ କର୍ମକର୍ତ୍ତାଙ୍କ ସମର୍ଥନରେ ଯୋଗଦେବେ। ଏଥି ପାଇଁ ଭବାନୀପାଟଣାରୁ ୧୨ଟି ବସ ଓ ୨୦୦ଟି ଛୋଟ ଗାଡ଼ି ଭୁବନେଶ୍ୱର ଯିବା ପାଇଁ ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ ଦୁଷ୍ମନ୍ତଙ୍କ ପତ୍ନୀ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ମାଟିଆ ପଂଚାୟତରେ ସମିତି ସଦସ୍ୟା ଅଛନ୍ତି। ପୂର୍ବରୁ ସେ ଭବାନୀପାଟଣା ପୌରପାଳିକାରେ ଅଧ୍ୟକ୍ଷା ଥିଲେ।