ଚିଆଙ୍ଗ ରାଇ, ଥାଇଲାଣ୍ଡ: ଥାଇଲାଣ୍ଡର ଚିଆଙ୍ଗ ରାଇ ପ୍ରଦେଶର ଥାମ୍ ଲୁଆଙ୍ଗ୍ ଗୁମ୍ଫାରେ ଦୀର୍ଘ ୧୮ ଦିନ କାଳ ଜୀବନ ସହ ସଂଘର୍ଷ କରିଥିବା ୧୨ ଜଣ ଫୁଟ୍ବଲ ଖେଳାଳି ଓ ସେମାନଙ୍କ କୋଚ୍ ଆଜି ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି। ଏହାପରେ ସେମାନଙ୍କୁ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାରେ ଦେଖିବାକୁ ମିଳିଛି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଟିମ୍ର ଜଣେ ଖେଳାଳି ଆର୍ଡୁନ୍ କହିଥିଲେ ସେ ହିଁ ପ୍ରଥମେ ଡାଇଭରଙ୍କ କଥା ଶୁଣି ଜବାବ ଦେଇଥିଲେ। ସେହି ମୁହୂର୍ତ୍ତଟି ଖୁବ୍ ଅଲୌକିକ ଥିଲା। କୋଚ୍ ଆକେ ପାଣି ଭିତରୁ ପାଟି ଶୁଣିବା ପରେ ସମସ୍ତଙ୍କୁ ନିରବ ରହିବା ପାଇଁ କହିଥିଲେ। ସମସ୍ତେ ଚୁପ୍ ରହିଥିବାବେଳେ ଜଣେ ଡାଇଭର ପାଣି ଭିତରୁ ମୁଣ୍ଡ ଉଠାଇ ‘ହେଲ୍ଲୋ’ କହିଥିଲେ। ସେହି ମୁହୂର୍ତ୍ତରେ ସେମାନଙ୍କ ମଧ୍ୟରେ ଜୀବନ ପଶିଥିଲା। ଏହାପରେ ସେମାନେ ମଧ୍ୟ ହେଲ୍ଲୋ ବୋଲି କହିଥିଲେ। ସେ ମୁହୂର୍ତ୍ତଟି ବେଶ୍ ଚମତ୍କାର ଥିଲା। ଏତେଦିନ ଧରି ଫୁଟବଲ୍ ଖେଳାଳିମାନେ ଗୁମ୍ଫା କାନ୍ଥରୁ ଝରୁଥିବା ବର୍ଷା ପାଣି ପିଇ ବଞ୍ଚିଥିଲେ। ଏହା ସହିତ ଉଦ୍ଧାର ହେବେ ବୋଲି ଯେଉଁ ଦୃଢ଼ ମନୋବଳ ସେମାନଙ୍କ ନିକଟରେ ଥିଲା ତାହା ସେମାନଙ୍କୁ ଯଥେଷ୍ଟ ସହାୟକ ହୋଇଥିଲା। କିନ୍ତୁ ଉଦ୍ଧାର ସମୟରେ ଜଣେ ପୂର୍ବତନ ଥାଇ ନୌସେନାଙ୍କର ମୃତ୍ୟୁ ଘଟଣା ସମସ୍ତଙ୍କୁ ଦୁଃଖ ଦେଇଥିଲା। ଆଉଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖେଳାଳିମାନେ ଗୁମ୍ଫାରୁ ବାହାରିବା ପାଇଁ ନିଜେ ଗାତ ଖୋଳିଥିଲେ। ଯିଏ ପ୍ରଥମେ ଗୁମ୍ଫାରୁ ବାହାରିବ ସେ ଯାଇ ବାହାରେ ଖବର ଦେବ ବୋଲି ମଧ୍ୟ ଆଲୋଚନା ହୋଇଥିଲା। କିନ୍ତୁ ଏହା ପୂର୍ବରୁ ବିଦେଶୀ ଡାଇଭରମାନେ ଗୁମ୍ଫାକୁ ଯାଇ ଅତି ଚମତ୍କାର ଭାବେ ଉଦ୍ଧାର କରିଥିଲେ।