ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ନିଜ ସମର୍ଥକମାନଙ୍କ ସହ ଶ୍ରୀ ନାୟକ ଏକ ପଦଯାତ୍ରାରେ କଂଗ୍ରେସ ଭବନ ଯାଇଥିଲେ। ସେଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ଜଣେ ସାମ୍ବାଦିକ ଭାବେ ଓଡ଼ିଶାର ସ୍ୱାର୍ଥ ପାଇଁ ସତ୍ୟ ପ୍ରକାଶ ସବୁବେଳେ ନିଜ ମତ ଦେଇ ଆସିଛନ୍ତି। କଂଗ୍ରେସ ମଧ୍ୟ ଓଡ଼ିଶାର ସ୍ୱାର୍ଥକୁ ସବୁବେଳେ ଅଗ୍ରାଧିକାର ଦେଉଛି। ତେଣୁ ସେ କଂଗ୍ରେସରେ ଯୋଗ ଦେଲା ପରେ ଓଡ଼ିଶାର ସ୍ୱାର୍ଥ ପାଇଁ ମିଳିମିଶି କାମ କରିବୁ।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ନାୟକ ଗଣମାଧ୍ୟମକୁ କହିଥିଲେ, କ୍ଷମତାରେ ଥିବା ଲୋକମାନେ ସବୁବେଳେ ସତ୍ୟକୁ ଚାପି ଦେବାକୁ ଚେଷ୍ଟା କରନ୍ତି। ସାମ୍ବାଦିକଙ୍କ ମୂଳ କାମ ହେଲା ସତ୍ୟକୁ ସାମ୍ନାକୁ ଆଣିବା। ସାମ୍ବାଦିକ ଭାବେ ମୁଁ ଯେଉଁ କାମ କରୁଥିଲି, ଏବେ କଂଗ୍ରେସରେ ରହି ସେହି କାମ କରିବି। କଂଗ୍ରେସ ଦଳ କେବଳ ଓଡ଼ିଶାର ସ୍ୱାର୍ଥକୁ ରକ୍ଷା କରିବା ସହ ରାଜ୍ୟର ପ୍ରଗତି କରିପାରିବ। ନିର୍ବାଚନ ଲଢ଼ିବା ଓ ଦଳୀୟ ପଦପଦବିରେ ରହିବା ନେଇ ଶ୍ରୀ ନାୟକ କହିଥିଲେ, ଦଳ ମୋତେ ଯେଉଁ ଦାୟିତ୍ୱ ଦେବ, ତାହା ମୁଁ ନିର୍ବାହ କରିବି। ଯଦ କଂଗ୍ରେସ ନେତୃବୃନ୍ଦ ଚିନ୍ତା କରନ୍ତି ଯେ ମୁଁ ନିର୍ବାଚନ ଲଢ଼ିବା ଦ୍ୱାରା ଦଳର କିଛି ଲାଭ ହେବ, ତେବେ ମୁଁ ଲଢ଼ିବାକୁ ପ୍ରସ୍ତୁତ ଅଛି।
ଏହି ମିଶ୍ରଣ ପର୍ବରେ କଂଗ୍ରେସ ନେତା ସୁରେଶ ରାଉତରାୟ, ସତ୍ୟଭୂଷଣ ସାହୁ, ଭୁଜବଳ ମାଝୀ, ମହମ୍ମଦ ମୋକିମ, ମାନସ ଚୌଧୁରୀ ଓ ରଶ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।