ନୂଆଦିଲ୍ଲୀ: ଗ୍ୟାସ୍ ଚୋରି ମାମଲାରେ ପୁଣି ଥରେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍କୁ ଅଦାଲତକୁ ଟାଣିବେ କେନ୍ଦ୍ର ସରକାର। ରିଲାଏନ୍ସ ବିରୋଧରେ ପୁଣି ଥରେ ଅଦାଲତ ଯିବାକୁ ଆଇନ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଚଳିତ ବର୍ଷ ଜୁଲାଇରେ ଏକ ଆନ୍ତର୍ଜାତିକ ମଧ୍ୟସ୍ଥତା ଅଦାଲତ ରିଲାଏନ୍ସ ସପକ୍ଷରେ ରାୟ ଦେବା ପରେ ସରକାରଙ୍କୁ ଝଟ୍କା ଲାଗିଥିଲା। ଏହି ମାମଲାର ଆଉ କ’ଣ କରାଯାଇପାରିବ ସେ ନେଇ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପକ୍ଷରୁ ଆଇନ ମନ୍ତ୍ରଣାଳୟକୁ ପରାମର୍ଶ ମଗାଯାଇଥିଲା। ପୁଣି ଥରେ ଅଦାଲତ ଯିବାକୁ ଆଇନ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଜୁଲାଇରେ ବହୁ ଚର୍ଚ୍ଚିତ ଓଏନ୍ଜିସି-ରିଲାଏନ୍ସ ଗ୍ୟାସ୍ ଚୋରି ମାମଲାର ଶୁଣାଣି ଆନ୍ତର୍ଜାତିକ ମଧ୍ୟସ୍ଥତା ଅଦାଲତରେ ହୋଇଥିଲା। ତିନି ସଦସ୍ୟ ବିଶିଷ୍ଟ ଏହି ଅଦାଲତ ବହୁମତ ଭିତ୍ତିରେ ରିଲାଏନ୍ସ ସପକ୍ଷରେ ରାୟ ଦେଇଥିଲେ ଓ ସରକାରଙ୍କ ଆବେଦନକୁ ଖାରଜ କରିଦେଇଥିଲେ। କେଜି-ଡି୬ରେ ଥିବା ଓଏନ୍ଜିସିର ଗ୍ୟାସ୍ ଚୋରି କରିିଥିବାରୁ ରିଲାଏନ୍ସ ଉପରେ ୧୫୦ କୋଟି ଡଲାରର ଜରିମାନା ଲାଗୁ କରାଯାଇଥିଲା। ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ରିଲାଏନ୍ସ ପକ୍ଷରୁ ଆନ୍ତର୍ଜାତିକ ମଧ୍ୟସ୍ଥତା ଅଦାଲତରେ ମାମଲା ଦାୟର କରାଯାଇଥିଲା।