ଚିନ୍ତା ବଢ଼ାଇଲା ଡଲାର, ସେୟାର ବଜାର, ନିବେଶକ ହରାଇଲେ ୧.୭ ଲକ୍ଷ କୋଟି
ନୂଆଦିଲ୍ଲୀ: ତେଲ ଦାମ୍କୁ ନେଇ ଅଡ଼ୁଆ ପରିସ୍ଥିତିରେ ପଡ଼ିଥିବା କେନ୍ଦ୍ର ସରକାରଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ଡଲାର ଦାମ୍ ଓ ସେୟାର ବଜାର। ଗୋଟିଏ ପଟେ ଆନ୍ତର୍ଜାତିକ ବଜାରରେ ଅେଶାଧିତ ତୈଳର ବ୍ୟାରେଲ ପିଛା ଦର ୮୫ ଡଲାରରୁ ଅଧିକ ହୋଇଯାଇଥିବା ବେଳେ ଆଜି ଏକ ଡଲାର ମୂଲ୍ୟ ୭୩ ଟଙ୍କା ୩୪ ପଇସା ଭଳି ସ୍ତରରେ ପହଞ୍ଚିଯାଇଛି। ଏଥିରୁ ଗୋଟିଏ କଥା ନିଶ୍ଚିତ ଯେ ତେଲ ଆମଦାନି କରିବା ପାଇଁ ବିପୁଳ ପରିମାଣର ଅର୍ଥରାଶି ଖର୍ଚ କରିବାକୁ ପଡ଼ିବ। ଏହାର ପ୍ରଭାବରେ ସ୍ଥାନୀୟ ବଜାରରେ ପେଟ୍ରୋଲ୍ ଓ ଡିଜେଲ୍ ଆହୁରି ମହଙ୍ଗା ହେବ। ଅନ୍ୟ ପକ୍ଷରେ ଅଗଷ୍ଟ ଶେଷ ସପ୍ତାହରୁ ଷ୍ଟକ ବଜାର କାରବାରରେ ଯେଉଁ ଅସ୍ଥିରତାର ଧାରା ଆରମ୍ଭ ହୋଇଥିଲା ତାହା ଜାରି ରହିଛି। ମାସେ ଭିତରେ ନିବେଶକମାନେ ଷ୍ଟକ ବଜାରରେ ୧୫.୭୪ ଲକ୍ଷ କୋଟି ଟଙ୍କା ହରାଇସାରିଲେଣି। ଆଜି ନିବେଶକମାନେ ୧.୭୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।ବିଦେଶୀ ନିବେଶକମାନେ ଷ୍ଟକ ବଜାରରୁ ପାଣ୍ଠି ପ୍ରତ୍ୟାହାର କରିନେଉଛନ୍ତି। ସେଥିପାଇଁ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଚାପ ସୃଷ୍ଟି ହୋଇଛି। ଟଙ୍କାର ଦୁର୍ବଳ ସ୍ଥିତି ଉପରେ ମାନସମନ୍ଥନ କରିବା ପାଇଁ ଆସନ୍ତାକାଲି ବିଭିନ୍ନ ମନ୍ତ୍ରଣାଳୟର ବୈଠକ ଡକାଯାଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବାଣିଜ୍ୟ ନିଅଣ୍ଟ ଉପରେ ମଧ୍ୟ ଆଲୋଚନା ହେବ। ଦେଶରେ ଡଲାର ପରିମାଣ ବଢ଼ାଇବା ଲକ୍ଷ୍ୟ ନେଇ ପ୍ରବାସୀ ଭାରତୀୟଙ୍କ ନିମନ୍ତେ ଏକ ଜମା ସ୍କିମ୍ ଘୋଷଣା କରିବା ଉପରେ ସରକାର ବିଚାର କରୁଛନ୍ତି। ଏହା ପଛର ମୂଳ ଲକ୍ଷ୍ୟ ହେଉଛି ଦେଶ ଭିତରକୁ ଅଧିକ ପରିମାଣର ବିଦେଶୀ ମୁଦ୍ରା ଆଣିବା।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ଡଲାର ଦାମ୍ ୭୩.୩୪ ଟଙ୍କା
ମୁମ୍ବାଇ: ଟଙ୍କା ତୁଳନାରେ ଆମେରିକୀୟ ଡଲାର ଆହୁରି ମହଙ୍ଗା ହୋଇଛି। ଡଲାର ଦାମ୍ ପ୍ରଥମ ଥର ପାଇଁ ୭୩ ଟଙ୍କାରୁ ଅଧିକ ହୋଇଛି। ବଜାରରେ ଗୋଟିଏ ଡଲାର କିଣିବା ପାଇଁ ୭୩ ଟଙ୍କା ୩୪ ପଇସା ଗଣିବାକୁ ପଡ଼ୁଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ୮୫ ଡଲାରରୁ ଅଧିକ ହୋଇଯିବାରୁ ଡଲାର ଚାହିଦା ବଢ଼ିଯାଇଥିବା କୁହାଯାଉଛି। ଗତ ସୋମବାର ଏକ ଡଲାର ମୂଲ୍ୟ ୭୨ ଟଙ୍କା ୯୧ ପଇସା ଥିଲା। ମଙ୍ଗଳବାର ଗାନ୍ଧୀ ଜୟନ୍ତୀ ଯୋଗୁ ବଜାର ବନ୍ଦ ରହିଥିଲା। ବୁଧବାର ବଜାର ଖୋଲିବା ମାତ୍ରେ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ିଥିଲା ଓ ଡଲାର ମହଙ୍ଗା ହୋଇଥିଲା।
ସେନ୍ସେକ୍ସ ୫୫୧ ପଏଣ୍ଟ ଖସିଲା
ମୁମ୍ବାଇ, ୩/୧୦: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବଢ଼ିବା ଓ ଟଙ୍କା ତୁଳନାରେ ଡଲାର ଆହୁରି ମହଙ୍ଗା ହେବାରୁ ନିବେଶକମାନଙ୍କ ମନୋବଳ ଦୁର୍ବଳ ହୋଇପଡ଼ିଛି। ସେମାନେ ବିପୁଳ ପରିମାଣର ସେୟାର ବିକ୍ରି କରିଦେବାରୁ ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ୫୫୧ ପଏଣ୍ଟ୍ ହ୍ରାସ ପାଇ ୩୫,୯୭୫ ପଏଣ୍ଟ୍ରେ ବନ୍ଦ ହୋଇଛି। ଜୁନ୍ ପରେ ପ୍ରଥମ ଥର ପାଇଁ ସେନ୍ସେକ୍ସ ୩୬ ହଜାର ପଏଣ୍ଟ୍ ତଳକୁ ଖସିଛି। ଆଜି ଜାତୀୟ ଷ୍ଟକ ବଜାରର ନିଫ୍ଟି ୧୫୦ ପଏଣ୍ଟ ହ୍ରାସ ପାଇ ୧୦୮୫୮ ପଏଣ୍ଟ୍ରେ ବନ୍ଦ ହୋଇଛି।