ଦୀପାବଳି ଆଉ ୧୧ ଦିନ, ସବୁଜ ବାଣ ନେଇ ଦ୍ବନ୍ଦ୍ବ

ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌କୁ ଅପେକ୍ଷା କରିଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଚିନ୍ତାରେ ବାଣ ବ୍ୟବସାୟୀ

ଭୁବନେଶ୍ବର: ଏଥର ଅଗ୍ନିକାଣ୍ଡଜନିତ କ୍ଷୟକ୍ଷତି ହେବ ନାହିଁ। ରାତିସାରା ବାଣ ଶବ୍ଦ ବି ଅତିଷ୍ଠ କରିବ ନାହିଁ। ଧୂଆଁ ମଧ୍ୟ ପରିବେଶକୁ ଦୂଷିତ କରିବ ନାହିଁ। ଏଥର ଦୀପାବଳି ନିଜ ପରିବାର ସହ ସୁରକ୍ଷିତ ଭାବେ ପାଳିହେବ। ଚଳିତ ଦୀପାବଳିରେ ଉଚ୍ଚଶବ୍ଦ ଯୁକ୍ତ ତଥା ଅଧିକ ଧୂଆଁ ସୃଷ୍ଟି କରୁଥିବା ବାଣ ଆଉ ଚଳିବ ନାହିଁ। ପରିବେଶ ତଥା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସୁପ୍ରିମକୋର୍ଟ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାତି ୮ଟାରୁ ୧୦ଟା ଯାଏଁ କେବଳ ଦୁଇ ଘଣ୍ଟା ପାଇଁ ବାଣ ଫୁଟିବ। ‌ତାହା ପୁଣି ସବୁଜ ବାଣ। ଏନେଇ ବାଣ ଉତ୍ପାଦନକାରୀ, ବିକ୍ରେତା ଓ ସାଧାରଣ ଜନତାଙ୍କୁ ନିର୍ଦ୍ଦେଶ ହୋଇଛି। ତେବେ ଏ ସବୁଜ ବାଣ କ’ଣ? ଏନେଇ ସବୁ ମହଲରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଦୀପାବଳିକୁ ଆଉ ୧୧ ଦିନ ବାକିଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଖୋଦ୍‌ ସରକାର ବି ଦ୍ବନ୍ଦ୍ବରେ ଅଛନ୍ତି। ସବୁଜ ବାଣ। ଅର୍ଥାତ ପରିବେଶଭିତ୍ତିକ ବାଣ। କମ୍‌ ଧୂଆଁ ନିର୍ଗତ ହେଉଥିବା ତଥା କମ୍‌ ଡେସିବେଲ୍‌ ଶବ୍ଦ ସୃଷ୍ଟିକାରୀ ବାଣ ଏହି ସବୁଜ ବାଣର ପରିସରଭୁକ୍ତ। ‘ପେଟ୍ରୋଲିୟମ୍‌ ଆଣ୍ଡ ଏକ୍ସପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେସନ୍‌ (ପେ‌ସୋ)’ ଦ୍ବାରା ନିର୍ଦ୍ଧାରତ ମାନଦଣ୍ଡକୁ ବାଣ ପ୍ରସ୍ତୁତକାରୀ ସଂସ୍ଥା ମାନିବାକୁ ବାଧ୍ୟ। ପେସୋ ଦ୍ବାରା ଆତସବାଜିର କ୍ଲିନିକାଲ୍‌ କମ୍ପୋଜିସନ୍‌ ସବୁ ସମୀକ୍ଷା କରାଯିବ। ଆଲୁମିନିୟମ୍‌ ଗୁଣ୍ଡ ପରିବେଶ ପାଇଁ କ୍ଷତିକାରକ ହୋଇଥିବାରୁ ବାଣରେ ଆଲୁମିନିୟମ୍‌ ଅଂଶ କମ୍‌ରୁ କମ୍‌ ବ୍ୟବହାର କରିବା ପାଇଁ ସଂସ୍ଥା ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏ ସଂପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳଙ୍କ କହିବା ଅନୁଯାୟୀ, କମ୍‌ ଧୂଆଁ ଓ ଶବ୍ଦ ସୃଷ୍ଟି କରୁଥିବା ବାଣକୁ ସବୁଜ ବାଣ କୁହାଯାଇଥାଏ। ଯାହା ପରିବେଶକୁ ସୁହାଇଲା ଭଳି ହୋଇଥିବ। କିନ୍ତୁ ଏହାର ପ୍ରକୃତ ଅର୍ଥ ଓ କେଉଁ କେଉଁ ବାଣ ଏହାର ପରିସରଭୁକ୍ତ ତାହା ମଧ୍ୟ ଆମେ ଜାଣିନୁ। ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌କୁ ଅପେକ୍ଷା କରିଛୁ। ତା’ ପରେ ଯାଇ ଜନସାଧାରଣଙ୍କ ମଧ୍ୟରେ ସଚେତନତ‌ା ସୃଷ୍ଟି କରାଯିବ ବୋଲି ଶ୍ରୀ ବିଶ୍ବାଳ କହିଥିଲେ। ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଜେ ଦ୍ବନ୍ଦ୍ବରେ ଥିବା ବେଳେ ଏବେ ବାଣ ବ୍ୟବସାୟୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଓଡ଼ିଶାକୁ ବାହାରୁ ବାଣ ଆମଦାନୀ ହେଉଥିବା ବେଳେ ପୂର୍ବରୁ ବାରଦ ଦିଆସରିଛି। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ କ’ଣ ଗାଇଡ୍‌ଲାଇନ୍‌ ରହିବ ସେ ନେଇ ବ୍ୟବସାୟୀ ଚିନ୍ତା ପ୍ରକଟ କରିଛନ୍ତି। ଜଟଣୀ ଲଲିତ ଭଣ୍ଡାରର ପାଇକାରୀ ବାଣ ବ୍ୟବସାୟୀ ଲଲାଟେନ୍ଦୁ ବେବର୍ତ୍ତା କୁହନ୍ତି, ଏ ସବୁଜ ବାଣ କ’ଣ, ଏହା‌ର ସ୍ବତନ୍ତ୍ରତା କ’ଣ ଆମେ ଏଯାଏଁ ବୁଝିପାରୁନୁ। କିନ୍ତୁ ସୁପ୍ରିମକୋର୍ଟଙ୍କ ଗତ ୧୦ ବର୍ଷ ତଳର ନିର୍ଦ୍ଦେଶ ଅନୁଯାୟୀ ଆମେ କମ୍‌ ଧୂଆଁ ବାହାରୁଥିବା ତଥା କମ୍‌ ଶବ୍ଦଯୁକ୍ତ ବାଣ ବିକ୍ରି କରୁଛୁ। ଏସବୁରେ ଫୁଲଝରି, ଦଉଡ଼ି ବାଣ, କୁମ୍ପି ଓ ଝିରିଝିରି ଆଦି ରହିଛି। ପ୍ରତିବର୍ଷ ଆମେ ତାମିଲନାଡ଼ୁରୁ ବାଣ ଆମଦାନୀ କରୁ ଓ ଓଡ଼ିଶାରେ ବିକ୍ରି କରୁ। ଗତ ବର୍ଷ ଦୀପାବଳିରେ ୩ ଦିନ ଧରି ବର୍ଷା ଲାଗି ରହିବା ଫଳରେ ବେପାର ମାନ୍ଦା ପଡ଼ିବା‌ ସହ ବାଣ ସବୁ ଏଯାଏଁ ଷ୍ଟକ୍‌ ରହିଛି। ତେଣୁ ଯଦି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସବୁଜ ବାଣର ଅଲଗା କିଛି କାଟାଗୋରି ଥାଏ ତେବେ ଚଳିତ ବର୍ଷ ଆମେ ବିରାଟ କ୍ଷତିରେ ପଡ଼ିପାରୁ ବୋଲି ଶ୍ରୀ ବେବର୍ତ୍ତା ଆଶଙ୍କା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର