ନୂଆଦିଲ୍ଲୀ: ମୋବାଇଲ୍ ନମ୍ବର ସହିତ ଆଧାର ଲିଙ୍କ୍ କରିବା ପ୍ରକ୍ରିୟା ଜାରି ରହିଛି। ତେବେ ଅନେକ ଗ୍ରାହକ ଏପର୍ଯ୍ୟନ୍ତ ନିଜର ମୋବାଇଲ୍କୁ ଆଧାର ସହିତ ଲିଙ୍କ୍ କରିନାହାନ୍ତି। ଯେଉଁମାନେ ଆଧାର ଲିଙ୍କ୍ କରିନାହାନ୍ତି ସେମାନଙ୍କର ମୋବାଇଲ୍ ସଂଯୋଗକୁୁ ସରକାର କାଟିବେନି ବୋଲି ଟେଲିକମ୍ ସଚିବ ଅରୁଣା ସୁନ୍ଦରରାଜନ କହିଛନ୍ତି। ଆଧାର ଉପରେ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ଚୂଡ଼ାନ୍ତ ରାୟକୁ ଟେଲିକମ୍ ବିଭାଗ ଅପେକ୍ଷା କରିଛି। ଏହା ପରେ ପରବର୍ତି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ ମୋବାଇଲ୍ ସେବା କାଟିବା କିମ୍ବା ନ କାଟିବା ଉପରେ ଯାହା କିଛି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଯେଉଁମାନେ ବିଦେଶରେ ରହୁଛନ୍ତି ସେମାନେ ଯେଭଳି ସୁବିଧାରେ ମୋବାଇଲ୍ ନମ୍ବର ସହିତ ଆଧାର ଲିଙ୍କ୍ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଟେଲିକମ୍ ବିଭାଗ ଏବେ ନୂଆ ଟେଲିକମ୍ ନୀତି ପ୍ରସ୍ତୁତ କରୁଛି। ଆସନ୍ତା ଫେବ୍ରୁଆରି ସୁଦ୍ଧା ଏହାକୁ ଚୂଡ଼ାନ୍ତ ରୂପରେଖ ପ୍ରଦାନ କରାଯିବ। ଡିସେମ୍ବର ସୁଦ୍ଧା ଚିଠା ନୀତି ଉପରେ ଲୋକମାନଙ୍କ ମତାମତ ଆହ୍ଵାନ କରାଯିବ ବୋଲି ଟେଲିକମ୍ ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି।
ଭାରତନେଟ୍ ପ୍ରକଳ୍ପ ଉପରେ ଶ୍ରୀ ସିହ୍ନା କହିଛନ୍ତି ଯେ ୭୫ ହଜାରରୁ ଅଧିକ ଗ୍ରାମ ପଞ୍ଚାୟତ ଦ୍ରୁତ ବେଗର ବ୍ରଡବ୍ୟାଣ୍ଡ୍ ସେବା ହାସଲ କରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ୧ ଲକ୍ଷ ଗ୍ରାମ ପଞ୍ଚାୟତ ଏଥିପାଇଁ ପ୍ରସ୍ତୁତ ହୋଇଯିବ। ପ୍ରତି ମାସରେ ୮୦୦୦-୯୦୦୦ ଗ୍ରାମ ପଞ୍ଚାୟତରେ ଆବଶ୍ୟକ ଉପକରଣ ଖଞ୍ଜାଯାଉଛି ବୋଲି ସେ କହିଛନ୍ତି। ଏହି ପ୍ରକଳ୍ପ ପାଇଁ ଦେଶ ଭିତରେ ବିକଶିତ କରାଯାଇଥିବା ଉପକରଣଗୁଡ଼ିକୁ ବ୍ୟବହାର କରାଯାଉଛି। ଭାରତନେଟ୍ ପ୍ରକଳ୍ପ ଗ୍ରାମ ପଞ୍ଚାୟତଗୁଡ଼ିକରେ ଆରମ୍ଭ ହୋଇଯିବା ପରେ ଅତିକମରେ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ସିହ୍ନା କହିଛନ୍ତି। ଏୟାରଟେଲ୍ ୧୦ ହଜାର ଗ୍ରାମ ପଞ୍ଚାୟତ ପାଇଁ ଆଗ୍ରହ ଦେଖାଇଥିବା ବେଳେ ରିଲାଏନ୍ସ ଜିଓ ୩୦ ହଜାର, ଭୋଡାଫୋନ୍ ୨୦୦୦ ଏବଂ ଆଇଡିଆ ୧୦୦୦ ଗ୍ରାମ ପଞ୍ଚାୟତ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଭାରତନେଟ୍ ଅଧିନରେ ବ୍ରଡ୍ବ୍ୟାଣ୍ଡ୍ ସେବା ପ୍ରଦାନ କରିବାକୁ ଥିବା କଂପାନିଗୁଡ଼ିକଠାରୁ ବହୁତ କମ ପରିମାଣର ଶୁଳ୍କ ଆଦାୟ କରାଯିବ। ସେମାନେ ଡାଟା ସେବାର କୌଣସି ସୀମା ଧାର୍ଯ୍ୟ କରାଯିବ ନାହିଁ। କଂପାନିଗୁଡ଼ିକ ଯେତେ ସଂଯୋଗ ଚାହିଁବେ ପ୍ରଦାନ କରିପାରିବେ।