୨ ଲକ୍ଷ ୨୫ ହଜାର କୋଟିର କ୍ଷତି

ବିମୁଦ୍ରାକରଣ କ୍ଷତିକାରକ: ଚିଦମ୍ବରମ୍‌

ନୂଆଦିଲ୍ଲୀ: ବିମୁଦ୍ରାକରଣର ବର୍ଷ ପୂର୍ତି ଅବସରରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ଏହାକୁ କ୍ଷତିକାରକ ବୋଲି କହିଛନ୍ତି। ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ବିମୁଦ୍ରାକରଣ ଯୋଗୁଁ ଦେଶର ଜିଡିପିକୁ ୨ ଲକ୍ଷ ୨୫ ହଜାର କୋଟି ଟଙ୍କାର କ୍ଷତି ପହଞ୍ଚିଛି।

ଜାଲ୍‌ କଂପାନି ଉପରେ ସରକାର ଗ୍ରହଣ କରୁଥିବା କାର୍ଯ୍ୟାନୁଷ୍ଠାନ ଏବଂ ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି ଉପରେ ନିଜ ମତ ରଖି ଚିଦମ୍ବରମ୍‌ କହିଛନ୍ତି ଯେ ଏ ସବୁ କିଛି ବିମୁଦ୍ରାକରଣ ବିନା ମଧ୍ୟ ସମ୍ଭବ ହୋଇପାରିଥାନ୍ତା।

ଚିଦମ୍ବରମ୍‌ କହିଛନ୍ତି ଯେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୧.୫% ହ୍ରାସ ହୋଇଛି। ବିଗଚ ୬ଟି ତ୍ରୈମାସିକରେ ଜିଡିପି ହାର କ୍ରମାଗତ ଭାବେ ହ୍ରାସ ପାଇଛି। ତାହା ୯%ରୁ ୭.୫%, ୭%, ୬.୧% ଏବଂ ୫.୭% ପର୍ଯ୍ୟନ୍ତ ହ୍ରାସ ପାଇଛି। ଅର୍ଥାତ ୨୦୧୬ ନଭେମ୍ବରରୁ ୨୦୧୭ ଜୁନ୍‌ ମଧ୍ୟରେ ଜିଡିପି ହାର ୭.୧%ରୁ ହ୍ରାସ ପାଇ ୫.୭%ରେ ପହଞ୍ଚିଛି। ଜିଡିପିରେ ୧.୪% ହ୍ରାସ ହୋଇଛି। ଏହାକୁ ଯଦି ଟଙ୍କାରେ ହିସାବ କରାଯିବ ତାହାର ମୂଲ୍ୟ ୨ ଲକ୍ଷ ୨୫ ହଜାର କୋଟି ଟଙ୍କା ହେବ। ଏହା ବ୍ୟତୀତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କହିବାନୁସାରେ ବିମୁଦ୍ରାକରଣ ପ୍ରକ୍ରିୟା ଏବଂ ନୂଆ ନୋଟ୍‌ ଛପାଇବାରେ ୨୧ ହଜାର କୋଟି ଟଙ୍କା ଖର୍ଚ ହୋଇଛି ବୋଲି ସେ ଜଣାଇଛନ୍ତି।ବିମୁଦ୍ରାକରଣର କୌଣସି ସକାରାତ୍ମକ ପ୍ରଭାବ ପଡ଼ିନାହିଁ ବୋଲି ସେ କହିଛନ୍ତି। ଟିକସ ଚୋରିକୁ ରୋକିବା ପାଇଁ ଦେଶର ୧୦-୨୦ କିମ୍ବା ୩୦ ଲକ୍ଷ ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ଏତେ ବଡ଼ ପଦକ୍ଷେପ ଗ୍ରହଣ କରାଗଲା। ଏଭଳି ୩୦ ଲକ୍ଷ ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ସମଗ୍ର ଦେଶବାସୀଙ୍କୁ ପ୍ରଭାବିତ କରିବା ଭଳି ପଦକ୍ଷେପ ଗ୍ରହଣ କରାଗଲା। ସାରା ଦେଶବାସୀଙ୍କୁ ଦୁଃଖୀ କରିବାର ଅଧିକାର କୌଣସି ନିର୍ବାଚିତ ସରକାରଙ୍କ ପାଖରେ ନାହିଁ ବୋଲି ଚିଦମ୍ବରମ୍‌ କହିଛନ୍ତି। ଏଭଳି ଅଧିକାର କେବଳ ଏକଛତ୍ରଦାବୀଙ୍କ ପାଖରେ ରହିଛି ବୋଲି ସେ କହିଛନ୍ତି।

ଏବେ ପ୍ରଚଳନରେ ୧୬.୩୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଏବେ ଦେଶରେ ପ୍ରଚଳନରେ ଥିବା ଟଙ୍କାର ପରିମାଣ ହେଉଛି ୧୬.୩୫ ଲକ୍ଷ କୋଟି ଟଙ୍କା। ଗତର୍ଷ ବିମୁଦ୍ରାକରଣ ପୂର୍ବରୁ ଯେତିକି ପରିମାଣର ଟଙ୍କା ପ୍ରଚଳନରେ ଥିଲା ତାହାର ୯୧% ସହ ଏହା ସମାନ। ବିମୁଦ୍ରାକରଣ ପୂର୍ବରୁ ଦେଶରେ ୧୭.୯୭ ଲକ୍ଷ କୋଟି ଟଙ୍କା ପ୍ରଚଳନରେ ଥିଲା। ନୂଆ ନୋଟ୍‌ ଜରିଆରେ ସରକାର ଅଚଳ ନୋଟ୍‌ର ଫାଙ୍କା ସ୍ଥାନକୁ ଅନେକାଂଶରେ ପୂରଣ କରିଛନ୍ତି। ଆଉ ମାତ୍ର ୯% ଅଚଳ ନୋଟ୍‌ର ସ୍ଥାନ ନେଇପାରିନାହିଁ ନୂଆ ନୋଟ୍‌। ବିମୁଦ୍ରାକରଣ ପରେ ଡିଜିଟାଲ୍‌ କାରବେ ବେଶ ବୃଦ୍ଧି ହୋଇଛି।

୧୫ ଲକ୍ଷ ଚାକିରି ହରାଇଥିଲେ

ନୂଆଦିଲ୍ଲୀ: ଗତବର୍ଷ ନଭେମ୍ବର ୮ରେ ବିମୁଦ୍ରାକରଣ ଘୋଷଣା ହୋଇଥିଲା। ଏହାର କିଛି ଦିନ ପରେ ଅର୍ଥାତ ୨୦୧୭ର ଜାନୁଆରିରୁ ଏପ୍ରିଲ୍‌ ମାସ ଭିତରେ ୧୫ ଲକ୍ଷ ଲୋକ ଚାକିରି ହରାଇଥିଲେ। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଇଆଇ) ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି। ଦେଶର ତାଲିକାଭୁକ୍ତ କଂପାନିଗୁଡ଼ିକରେ ମଧ୍ୟ ନୂତନ ନିଯୁକ୍ତି ପରିମାଣ ହ୍ରାସ ପାଇଛି। ସିଏମ୍‌ଇଆଇର ତଥ୍ୟ ଅନୁଯାୟୀ ୨୦୧୬ ସେପ୍ଟେମ୍ବରୁ ଡିସେମ୍ବର ଭିତରେ ଦେଶର ମୋଟ ନିଯୁକ୍ତି ପରିମାଣ ୪୦.୬୫ କୋଟି ଥିଲା। ସେହି ସଂଖ୍ୟା ୨୦୧୭ ଜାନୁଆରି-ଏପ୍ରିଲ୍‌ରେ ୪୦.୫୦ କୋଟିକୁ ହ୍ରାସ ପାଇଛି। ଅର୍ଥାତ ଏହି ତିନି ମାସରେ ନିଯୁକ୍ତି ପରିମାଣ ୧୫ ଲକ୍ଷ ହ୍ରାସ ପାଇଥିଲା। କେବଳ ଏହି ତଥ୍ୟ ନୁହେଁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ତଥ୍ୟ ମଧ୍ୟ ନିରୁତ୍ସାହଜନକ ସାବ୍ୟସ୍ତ ହୋଇଛି। ଏହି ଯୋଜନା ୨୦୧୭ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ୩୦.୬୭ ଲକ୍ଷ ପ୍ରାର୍ଥୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ମାତ୍ର ୨.୯ ଲକ୍ଷ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି।

୮୪ଟି ମାମଲାର ଯାଞ୍ଚ କରୁଛି ସିବିଆଇ

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ବିପୁଳ ପରିମାଣର ଅଚଳ ନୋଟ୍‌ ବିନିମୟ କରାଯାଇଥିଲା। ସିବିଆଇ ପକ୍ଷରୁ ସନ୍ଦେହଜନକ ଥିବା ୮୪ଟି ମାମଲାର ଯାଞ୍ଚ କରାଯାଉଛି। ଏହି ମାମଲାଗୁଡ଼ିକ ସହିତ ୩୯୫.୧୯ କୋଟି ଟଙ୍କା ଜଡ଼ିତ ରହିଛି। ବ୍ୟାଙ୍କ, ଡାକ ଘର, ରେଳବାଇ ଏବଂ ବୀମା କଂପାନିଗୁଡ଼ିକ ଜରିଆରେ ଏହି ଅଚଳ ନୋଟ୍‌ଗୁଡ଼ିକୁ ବିନିମୟ କରାଯାଇଥିଲା। ଏହି ମାମଲାଗୁଡ଼ିକର ଯାଞ୍ଚ ସମୟରେ ସିବିଆଇ ପକ୍ଷରୁ ୭୭ଟି ଏଫ୍‌ଆଇଆର୍‌ ଦାୟର କରିଛି। ୨୧ ଜଣ ସରକାରୀ କର୍ମଚାରୀଙ୍କ ସମେତ ମୋଟ ୪୭ ଜଣଙ୍କୁ ଗିରଫ କରିଛି।

 

 

 

 

 

 

 

 

ସମ୍ବନ୍ଧିତ ଖବର