ରସଗୋଲା ଲଢ଼େଇ : ବାବୁଙ୍କ ମନମାନୀ ଯୋଗୁଁ ଓଡ଼ିଶା ପଛରେ

ଭୁବନେଶ୍ୱର : ପଶ୍ଚିମବଙ୍ଗ ‘ବାଂଲାର୍‌ ରସଗୋଲା’ ପାଇଁ ଆବେଦନ କରି ଭୌଗଳିକ ଉତ୍ପତ୍ତି (ଜିଆଇ) ମାନ୍ୟତା ପାଇଗଲା। କିନ୍ତୁ ଓଡ଼ିଶା ଏ ପର୍ଯ୍ୟନ୍ତ ରସଗୋଲା ନେଇ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରି ନାହିଁ। ବାବୁଙ୍କ ମନମାନୀ ଯୋଗୁଁ ରସଗୋଲାକୁ ଜିଆଇ ମାନ୍ୟତା ଦେବାରେ ଓଡ଼ିଶା ପଛରେ ପଡ଼ିଛି। ଖାଲି ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ଡେଉଁଛି ରସଗୋଲା ଫାଇଲ। ରସଗୋଲା ପାଇଁ କିଏ କାଗଜପତ୍ର ପ୍ରସ୍ତୁତ କରିବ ତାହା ମଧ୍ୟ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କିଭଳି ଢଙ୍ଗରେ ଜିଆଇ ପାଇଁ ଆବେଦନ ହେବ ସରକାରୀ ସ୍ତରରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।

ଗତକାଲି ପଶ୍ଚିମବଂଗକୁ ବାଂଲାର ରସଗୋଲା ପାଇଁ ଜିଆଇ ମାନ୍ୟତା ମିଳିଗଲା ପରେ ସରକାରଙ୍କ ନିଦ ଭାଙ୍ଗିଛି। ଆଜି ସରକାରଙ୍କ ଶିଳ୍ପ ବିଭାଗ ପକ୍ଷରୁ ଏ ନେଇ ତନାଘନା ଆରମ୍ଭ ହୋଇଛି। ସିଟିଟିସିର ଅଧିକାରୀଙ୍କୁ ଡକାଇ କିଭଳି ଭାବେ ରସଗୋଲା ପାଇଁ କାଗଜପତ୍ର ପ୍ରସ୍ତୁତ ହେବ ସେଥିପାଇଁ ଆଲୋଚନା ହୋଇଛି। ମାତ୍ର ସରକାରୀଭାବେ ଏ ପର୍ଯ୍ୟନ୍ତ ସିଟିଟିସିକୁ କୌଣସି ଦାୟିତ୍ୱ ଦିଆଯାଇ ନ ଥିବା ସୂଚନା ମିଳିଛି। ଏବେ ମଧ୍ୟ ସରକାରୀସ୍ତରରେ ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଛି।

ସିଟିଟିସିର ବୌଦ୍ଧିକ ସଂପତ୍ତି ସୁବିଧା କେନ୍ଦ୍ର (ଆଇପିଏଫ୍‌ସି)ର ମୁଖ୍ୟ ସଚ୍ଚିକାନ୍ତ କରଙ୍କ କହିବାନୁଯାୟୀ, ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ସରକାର ସିଟିଟିସିକୁ ଦାୟିତ୍ୱ ଦେବା ପାଇଁ ଚାହୁଁଥିବା ଗଣମାଧ୍ୟମରୁ ଜଣାପଡ଼ିଥିଲା। ସରକାରୀ ଭାବେ ସିଟିଟିସିକୁ ଏ ପର୍ଯ୍ୟନ୍ତ କୌଣସି ଚିଠି ଆସିନାହିଁ। ଚଳିତମାସ ୧୦ ତାରିଖରେ ଶିଳ୍ପ ବିଭାଗ ପକ୍ଷରୁ ସିଟିଟିସିକୁ ଏକ ଚିଠି ଆସିଛି। ଏଥିରେ ରସଗୋଲାକୁ ଜିଆଇ ମାନ୍ୟତା ଦିଆଯିବ ସେଥିପାଇଁ ଏକ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା। ଆଜି ଶିଳ୍ପ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ହୋଇଛି।

ଗତ ଅକ୍ଟୋବର ମାସରେ ଶିଳ୍ପ ବିଭାଗ ପକ୍ଷରୁ ଗବେଷକ ଅସିତ ମହାନ୍ତିଙ୍କ ପକ୍ଷରୁ ଦିଆଯାଇଥିବା ଐତିହାସିକ ରିପୋର୍ଟ ସିଟିଟିସିକୁ ଦିଆଯାଇଥିଲା। କୌଣସି ପଦାର୍ଥକୁ ଜିଆଇ ମାନ୍ୟତା ଦେବାକୁ ହେଲେ ଏହାର କେତେଗୁଡ଼ିଏ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହାର ଫିଲ୍‌ଡ ସର୍ବେକ୍ଷଣ, ଭୌଗଳିକ ମ୍ୟାପିଂ ସମେତ ଗୁଣବତ୍ତା ଉପରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏଥିପାଇଁ ଏକ ବଜେଟ୍‌ ପ୍ରସ୍ତୁତ କରିବା ସହିତ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ଶିଳ୍ପ ବିଭାଗକୁ କୁହାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଭାବେ ରସଗୋଲା ପାଇଁ ସିଟିଟିସିକୁ ପ୍ରସ୍ତାବ ଦିଆଗଲେ କାର୍ଯ୍ୟ ଆଗେଇବ। ବାଂଲାର ରସଗୋଲା ପାଇଁ ପଶ୍ଚିମବଂଗ ଜିଆଇ ମାନ୍ୟତା ପାଇଥିବା ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରୁ ସୂଚନା ମିଳିଛି। ରାଜ୍ୟ ସରକାର ଚାହିଁଲେ ଓଡ଼ିଶା ରସଗୋଲା କିମ୍ବା ଅନ୍ୟ ନାଁରେ ଜିଆଇ ପାଇଁ ଆବେଦନ କରିପାରିବେ ବୋଲି ଶ୍ରୀ କର ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨ବର୍ଷ ତଳେ ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ପ୍ରଥମେ ଶିଳ୍ପ ବିଭାଗକୁ ଏହାର ଦାୟିତ୍ୱ ଦେଇଥିଲେ। ଦିନକୁ ଦିନ ଲଢ଼େଇ ତୀବ୍ରତର ହୋଇଥିବା ବେଳେ ପରବର୍ତୀ ସମୟରେ ରାଜ୍ୟ ସରକାର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗକୁ ଏହାର ଦାୟିତ୍ୱ ଦେଇଥିଲେ। ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଏଥିପାଇଁ ୨୦୧୫ ମସିହାରେ ୩ଟି କମିଟି ଗଠନ କରିଥିଲେ। ପ୍ରଥମ କମିଟିକୁ ରସଗୋଲାର ଉତ୍ପତ୍ତି ସହିତ ଏହାର ପ୍ରମାଣ ସଂଗ୍ରହ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ପଶ୍ଚିମବଙ୍ଗ ସରକାର କିଭଳି ଭାବେ ରସଗୋଲାକୁ ଜିଆଇ ମାନ୍ୟତା ଦେବାକୁ ଚାହୁଁଛନ୍ତି ତାହାର ତଥ୍ୟ ସଂଗ୍ରହ ଦ୍ୱିତୀୟ କମିଟି କରିବାକୁ ଥିବା ବେଳେ ତୃତୀୟ କମିଟି ଓଡ଼ିଶା ରସଗୋଲା ପାଇଁ ଆବଶ୍ୟକ ତଥ୍ୟ ସଂଗ୍ରହ କରିବାକୁ ନିର୍ଦେଶ ଦିଆଯାଇଥିଲା। ମାତ୍ର ଏହି କମିଟି କେଉଁ ରିପୋର୍ଟ ଦେଲା ତାହା ଜଣାପଡ଼ିନାହିଁ।

ଅପରପକ୍ଷରେ ଗବେଷକ ଅସିତ ମହାନ୍ତି ବ୍ୟକ୍ତିଗତ ଭାବେ ରସଗୋଲାର ଐତିହାସିକ ପ୍ରମାଣ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଏଥିରେ ସେ ଓଡ଼ିଶାରେ ରସଗୋଲାର ବ୍ୟବହାର ୬ଶହ ବର୍ଷ ପୁରୁଣା ଥିବା ଦର୍ଶାଇଥିଲେ। ଏହାସତ୍ତ୍ୱେ ରାଜ୍ୟ ସରକାର ରସଗୋଲାକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରିବାରେ ଆଗେଇ ପାରି ନାହାନ୍ତି। ପରବର୍ତୀ ସମୟରେ ରସଗୋଲାର ଦାୟିତ୍ୱ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗରୁ ଶିଳ୍ପ ବିଭାଗକୁ ଦିଆଯାଇଥିଲା। ଏବେ ଶିଳ୍ପ ବିଭାଗକୁ ଏଥିପାଇଁ ଦାୟିତ୍ୱ ଦିଆଯାଇଛି।

ଓଡ଼ିଶା ରସଗୋଲାର ଜିଆଇ ମାନ୍ୟତା ପାଇଁ ଆବେଦନ କରିବେ ସରକାର

ଭୁବନେଶ୍ୱର : ପଶ୍ଚିମବଙ୍ଗ ସରକାର ବାଂଲାର୍‌ ରସଗୋଲାକୁ ଜିଆଇ ମାନ୍ୟତା ହାତେଇବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ଓଡ଼ିଶାର ରସଗୋଲାର ଜିଆଇ ମାନ୍ୟତା ଦେବା ପାଇଁ ପଞ୍ଜୀକରଣ ସଂସ୍ଥାରେ ଆବେଦନ କରିବାକୁ ନିଷ୍ପତ୍ତି ହୋଇଛି। ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏ ସଂପର୍କରେ ଆଲେଚନା ହୋଇଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି, ପଶ୍ଚିମବଙ୍ଗ ସରକାରଙ୍କ ଆବେଦନକୁ ଗ୍ରହଣ କରି ବାଂଲାର୍‌ ରସଗୋଲାକୁ ଜିଆଇ ମାନ୍ୟତା ମିଳିଛି। କିନ୍ତୁ ଓଡ଼ିଶାର ରସଗୋଲାର ଜିଆଇ ପଞ୍ଜୀକରଣ ଦାବି ପଥରେ ଏହା କୌଣସି ପ୍ରତିବନ୍ଧକ ସାଜିକ ନାହିଁ। ପଶ୍ଚମବଙ୍ଗ ଓ ଓଡ଼ିଶାର ରସଗୋଲାର ରଂଗ, ତନ୍ତୁବିନ୍ୟାସ, ସ୍ୱାଦ, ରସାଳତା ଏପରିକି ପ୍ରସ୍ତୁତି ପ୍ରଣାଳୀ ଭିନ୍ନ ଭିନ୍ନ। ଓଡ଼ିଶାର ରସଗୋଲା ଅପେକ୍ଷାକୃତ କୋମଳ ଓ ଇଷତ ଧୂସର ରଂଗର ହୋଇଥିବାବେଳେ ବାଂଲାର୍‌ ରସଗୋଲା ଧଳା ଓ ଦୁଧସର ରଂଗର। ଉଭୟ ମିଷ୍ଟାନ୍ନରେ ବ୍ୟବହାର କରାଯାଉଥିବା ଚିନିସିରା ମଧ୍ୟ ଅଲଗା। ଏହାକୁ ଅଧିକ ତର୍ଜମା କଲେ ସମାନ ଧରଣର ଉତ୍ପାଦ ଓ ଦ୍ରବ୍ୟଗୁଡ଼ିକ ସେମାନଙ୍କ ଭୌଗଳିକ ଉତ୍ପତ୍ତି, ବୈଶିଷ୍ଟ୍ୟ ଓ ସ୍ୱାତନ୍ତ୍ର୍ୟ ପାଇଁ ଅଲଗା ଅଲଗା ଭୌଗଳିକ ସଂକେତ ବହନ କରିଥାନ୍ତି। ଲଡ଼ୁ ପାଇଁ ତିରୁପତି ଲଡ଼ୁ ଓ ବନ୍ଦର ଲଡ଼ୁ, ଚା ପାଇଁ ଦାର୍ଜିଲିଂ ଚା ଓ କାଙ୍ଗରା ଚା, ଲଙ୍କା ପାଇଁ ମିଜୋ ଲଙ୍କା ଓ ଭିଓ୍ଵାପୁରା ଲଙ୍କା ଏବଂ ଆମ୍ବ ପାଇଁ ଲକ୍ଷ୍ମଣଭୋଗ ଆମ୍ବ ଓ ବାଇଗଣପଲେଇ ଆମ୍ବ ଆଦି ଅଲଗା ଅଲଗା ଜିଆଇ ଟ୍ୟାଗ୍‌ ପାଇଛନ୍ତି।

ଶ୍ରୀ ଜଗନ୍ନାଥଙ୍କ ପରମ୍ପରା ଓ ପ୍ରଥା ସହିତ ରସଗୋଲାର ଐତିହାସିକ ସଂପୃକ୍ତି ରହିଛି। ପାରମ୍ପରିକ ଭାବେ ପୁରୀ ଜଗନ୍ନାଥ ମନ୍ଦିରରେ ଦେବୀ ଲକ୍ଷ୍ମୀଙ୍କ ନିକଟରେ ରସଗୋଲା ଭୋଗ ଭାବେ ଅର୍ପଣ କରାଯାଇଥାଏ। ଏହି ନୀତିକୁ ବାଚନିକ କୁହାଯାଏ। ଏହା ନୀଳାଦ୍ରି ବିଜେ ଉତ୍ସବର ଏକ ଅଂଶ। ଏହା ରଥଯାତ୍ରା ପରେ ଶ୍ରୀଜୀଉଙ୍କର ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ ସମୟରେ ଅନୁଷ୍ଠିତ ହୋଇଥାଏ। ଏହି ପ୍ରଥା ଶହ ଶହ ବର୍ଷ ଧରି ପ୍ରଚଳିତ ରହିଛି ବୋଲି ବୈଠକରେ କୁହାଯାଇଥିଲା।

ବୈଠକରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ, ବିଜ୍ଞାନ ଓ କାରିଗରୀ ବିଭାଗର କମିସନର ତଥା ଶାସନ ସଚିବ ଓ ଶିଳ୍ପ ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର