ଜିଏସ୍ଟି ଛାଡ଼ ସୀମା ୪୦ ଲକ୍ଷକୁ ବଢ଼ିଲା
କ୍ଷୁଦ୍ର ବ୍ୟବସାୟୀଙ୍କୁ ରିହାତି:କ୍ଷୁଦ୍ର ବ୍ୟବସାୟୀଙ୍କୁ ଦିଆଯିବ ମାଗଣାରେ ସଫ୍ଟଓୟାର
କମ୍ପୋଜିସନ୍ ସ୍କିମ୍ ସୀମା ହେଲା ଦେଢ଼ କୋଟି
ସେସ୍ ଲଗାଇବା ପାଇଁ
କେରଳକୁ ଅନୁମତି
Sambad is now on WhatsApp
Join and get latest news updates delivered to you via WhatsApp
ନୂଆଦିଲ୍ଲୀ: କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଜିଏସ୍ଟି ଛାଡ଼ ସୀମାକୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁ ବ୍ୟବସାୟୀମାନଙ୍କ ବାର୍ଷିକ କାରବାର ପରିମାଣ ୪୦ ଲକ୍ଷ ଟଙ୍କାରୁ କମ୍ ହେଉଥିବା ସେମାନଙ୍କୁ ଜିଏସ୍ଟି ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କ ଅଧ୍ୟକ୍ଷତାରେzx ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଜିଏସ୍ଟି ଛାଡ଼ ସୀମାକୁ ୧୦ ଲକ୍ଷ ଟଙ୍କାରୁ ବଢ଼ାଇ ୨୦ ଲକ୍ଷ ଟଙ୍କା କରାଯାଇଥିବା ବେଳେ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏହି ସୀମାକୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ଯାହା ପୂର୍ବରୁ ୨୦ ଲକ୍ଷ ଟଙ୍କା ଥିଲା।
କମ୍ପୋଜିସନ୍ ସ୍କିମ୍ର ଲାଭ ଉଠାଇବା ପାଇଁ ଯେଉଁ ସୀମା ରହିଥିଲା ତାହାକୁ ମଧ୍ୟ ବଢ଼ାଇ ଦିଆଯାଇଛି ବୋଲି ଜେଟ୍ଲି କହିଛନ୍ତି। ସେ କହିଲେ, କମ୍ପୋଜିସନ୍ ସ୍କିମ୍ର ସୀମା ୧ କୋଟି ଟଙ୍କା ଥିଲା ଯାହାକୁ ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ନୂଆ ନିୟମ ଏପ୍ରିଲ୍ ୧ରୁ ଲାଗୁ କରାଯିବ। ଏହି ସ୍କିମ୍ରେ ବ୍ୟବସାୟୀମାନଙ୍କ ତ୍ରୟମାସ ଭିତିରେ ଟିକସ ଗଣିବାକୁ ପଡ଼ିବ। ମାତ୍ର, ଜିଏସ୍ଟି ରିଟର୍ଣ୍ଣ ବାର୍ଷିକ ଭିତ୍ତିରେ ଦାଖଲ କରିବାକୁ ହେବ। କ୍ଷୁଦ୍ର ବ୍ୟବସାୟୀଙ୍କୁ ମାଗଣାରେ ଆକାଉଣ୍ଟିଂ ଓ ବିଲିଂ ସଫ୍ଟଓୟାର ପ୍ରଦାନ କରାଯିବ ବୋଲି ଜେଟ୍ଲି ଘୋଷଣା କରିଛନ୍ତି। ପଚାଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ସାମଗ୍ରୀ ଯୋଗାଣକାରୀ ଓ ସେବା ପ୍ରଦାନକାରୀମାନେ ଜିଏସ୍ଟି କମ୍ପୋଜିସନ୍ ସ୍କିମ୍ରୁ ବାହାରି ଯିବାର ବିକଳ୍ପ ଚୟନ କରିପାରିବେ ଓ ୬% ଟିକସ ଦେଇପାରିବେ। ସ୍କିମ୍ରେ କରାଯାଇଥିବା ଏହି ଦୁଇ ପ୍ରକାର ପରିବର୍ତନ ଯୋଗୁ ବର୍ଷକୁ ୩୦୦୦ କୋଟି ଟଙ୍କାର ଟିକସ ଆଦାୟ ପ୍ରଭାବିତ ହେବ।
ଦୁଇ ବର୍ଷ ଅବଧି ନିମନ୍ତେ ସର୍ବାଧିକ ୧% ସେସ୍ ଲାଗୁ କରିବାକୁ କେରଳ ସରକାରଙ୍କୁ ଆଜିର ବୈଠକରେ ଅନୁମତି ପ୍ରଦାନ କରାଯାଇଛି।
ତେବେ ରିଅଲ ଇଷ୍ଟେଟ୍ ଓ ଲଟେରିକୁ ନେଇ ଆଜିର ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନଥିଲା। ଏହି ଦୁଇ ପ୍ରସଙ୍ଗକୁ ନେଇ ଏକ ସାତ ଜଣିଆ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି।