ସାରା ବିଶ୍ବ ଏବେ ପକେଟ୍ରେ। ସ୍ମାର୍ଟ ଫୋନ୍ ଜୀବନରେ ଯୋଡ଼ିଛି ଏକ ନୂଆ ଆଶା। ଅଧିକାଂଶ ଯୁବପିଢ଼ି ଏହାକୁ ମନୋରଞ୍ଜନର ମାଧ୍ୟମ ଭାବରେ ବ୍ୟବହାର କରୁଥିବା ବେଳେ ଚାହିଦା ମୁତାବକ ପ୍ରସ୍ତୁତ ହେଉଛି ନୂଆନୂଆ ଆପ୍। ବିଭିନ୍ନ ଲାଇଭ୍ ଭିଡିଓ ଆପ୍ ଏବେ ଯୁବପିଢ଼ିଙ୍କର ପ୍ରଥମ ପସନ୍ଦ ହୋଇଛି। ପୂର୍ବରୁ ରେକର୍ଡ ହୋଇ ରହିଥିବା ଗୀତ, ଡାଏଲଗ୍ରେ ଓଠ ମିଶାଉଥିବା ବେଳେ ବାଦ୍ୟର ତାଳେତାଳେ ପାଦ ମିଶାଉଥିବା ଦେଖାଯାଇଛି। ତା ସହିତ ନିଜର ଗୀତ, ଡାଏଲଗ୍ ଓ ନାଚ ମଧ୍ୟ ରେକର୍ଡିଂ ହୋଇ ପାରୁଛି। ଲୁଚି ରହିଥିବା ପ୍ରତିଭାକୁ ସାମ୍ନାକୁ ଆଣିବାରେ ଭିଗୋ, ଟୁ ଗେଟ୍ ୟୁ, ଲାଇକ୍, ଲାଇଭ୍ ୟୁ, ବରମୁଡା ଭିଡିଓ ଚାଟ୍, ଲାଇଭ୍ ମି, ଭଳି ୫୦ରୁ ଅଧିକ ଲାଇଭ୍ ଭିଡିଓ ଆପ୍ ରହିଛି। ଅଧିକାଂଶ ଆପ୍ରେ ଅଶ୍ଳୀଳତା ରହିଥିବାରୁ ସ୍ବଚ୍ଛତା ଦୃଷ୍ଟିରୁ ‘ଟିକ୍-ଟକ୍’ ବେଶ୍ ଆଦୃତି ଲାଭ କରିଛି।
ଉପସ୍ଥାପନା:ବିବୁଧ ମହାନ୍ତି
Sambad is now on WhatsApp
Join and get latest news updates delivered to you via WhatsApp
ଦାଓଇନ୍ରୁ ଟିକ୍ଟକ୍
୨୦୧୬ ମସିହାରେ ଏହି ଆପ୍କୁ ପ୍ରସ୍ତୁତ କରିଥିଲା ଚାଇନାର ‘ବାଇଟ୍ ଡାନ୍ସ’। ସେଠାରେ ଏହା ପ୍ରଥମେ ‘ଦାଓଇନ୍’ ନାମରେ ବଜାରକୁ ଆସିଥିଲା। ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବା ସହ ୨ ବର୍ଷ ପରେ ଏହା ‘ଟିକ୍-ଟକ୍’ ନାମରେ ବିଶ୍ବ ବଜାରକୁ ଆସିଥିଲା। ୨୦୧୮ ମସିହାରେ ଏହା ଅନ୍ୟତମ ଲାଇଭ୍ ଭିଡିଓ ଆପ୍ ‘ସଂଗୀତ’ ସହ ହୋଇଯାଇଥିଲା। ଏହି ଆପ୍ର ଅଦ୍ୟାବଧି ୧୫୦ ଦେଶରେ ୫୦ କୋଟି ବ୍ୟବହାରକାରୀ ଅଛନ୍ତି। ନିଜ ପସନ୍ଦର ଭିଡିଓ ତିଆରି କରିବା ପାଇଁ ସୁଯୋଗ ଦେଉଥିବା ଏହି ଆପ୍ ଏବେ ୭୫ ଭାଷାରେ ଉପଲବ୍ଧ ହେଉଛି। ୨୦୧୮ ମସିହା ଜାନୁଆରି ମାସରେ ସର୍ବାଧିକ ଡାଉନ୍ଲୋଡ୍ ହୋଇଥିବା ଆପ୍ ତାଲିକାରେ ଏହା ୧ ନମ୍ବରରେ ଥିଲା। ଫୋନ୍ ନମ୍ବର କିମ୍ବା ଇ-ମେଲ୍ ଆଇଡି ଜରିଆରେ ଆକାଉଣ୍ଟ ଖୋଲି ଏହାକୁ ବ୍ୟବହାର କରାଯାଇପାରୁଛି।
ସେଲିବ୍ରିଟି ବି ସାମିଲ୍
କେବଳ ସାଧାରଣ ଲୋକ ନୁହନ୍ତି, ବରଂ ଅଭିନେତାମାନେ ମଧ୍ୟ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି। କଣ୍ଠଶିଳ୍ପୀ ଅସୀମା ପଣ୍ଡା, ଅଭିନେତ୍ରୀ କୀର୍ତି ମହାନ୍ତି, ଝିଲିକ୍ ଭଟ୍ଟାଚାର୍ଯ୍ୟ, ଶ୍ରଦ୍ଧା ପାଣିଗ୍ରାହୀ, କମେଡିଆନ୍ ପପୁ ପମ୍ପମ୍, ପ୍ରଜ୍ଞା, ଅରବିନ୍ଦ ମହାରଣା, ମିଲି ମହାନ୍ତି, ଅରିନ୍ଦମ୍, ପ୍ରକୃତି ମିଶ୍ର, ପ୍ରିୟା ମହାପାତ୍ର, ଜଗଜିତ ପାଲ, ଶିବାନୀ,ଏଲିନା, ଲିପି, ଗୁଡ଼ୁ, ନିଲୁ, ଜ୍ୟାକଲିନ୍, ରିୟା ଦେ, ବର୍ଷା, ହରି ପ୍ରମୁଖ ଏଥିରେ ଚର୍ଚ୍ଚାରେ ରହିଛନ୍ତି।
ଗୀତ, ସଂଳାପ ସହ ଅଭିନୟ
କେବଳ ଯୁବପିଢ଼ି ନୁହନ୍ତି, ବରଂ ସବୁ ବର୍ଗରେ ଏହା ଆଦୃତ ହୋଇଛି। ଛୋଟ ପିଲାଙ୍କଠୁ ନେଇ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହା ସହ ଯୋଡ଼ି ହୋଇଛନ୍ତି। ପୂର୍ବରୁ ଏଥିରେ ହିଟ୍ ଗୀତ କିମ୍ବା ହିଟ୍ ସଂଳାପର ଅଡିଓ ରହିଛି। କେବଳ ଓଠ ମିଶାଇ ଭିଡିଓ ସୁଟ୍ କରିବାକୁ ପଡ଼ୁଛି। ବିଚିତ୍ର ବେଶରେ ଅନେକ ଗୀତରେ ନାଚ କରୁଥିବା ବେଳେ ଏହାକୁ ସୋସିଆଲ୍ ମିଡ଼ିଆରେ ସେୟାର କରି ମଜ୍ଜା ନିଅନ୍ତି। ଏହା ଛଡ଼ା ପ୍ରଶଂସା ବି ମିଳୁଛି। କେତେକ ହିଟ୍ ଯାତ୍ରା ସଂଳାପ ମଧ୍ୟ ଏଥିରେ ଚର୍ଚ୍ଚାରେ ରହିଛି। କେତେକ ଅଭିନେତାଙ୍କର ନିଜସ୍ବ ଡାଏଲଗ୍ରେ ଅନ୍ୟମାନେ ଅଭିନୟ କରୁଥିବା ଦେଖାଯାଇଛି। ଗୋଟିଏ ଗୀତ କିମ୍ବା ଡାଏଲଗ୍ରେ ଶହ ଶହଙ୍କୁ ଅଭିନୟ କରୁଥିବା ଦେଖି ଦର୍ଶନ ମଜ୍ଜା ନିଅନ୍ତି। ପ୍ଲେଷ୍ଟୋରରୁ ସହଜରେ ଏହି ଆପ୍ ଡାଉନ୍ଲୋଡ୍ ହୋଇପାରୁଛି।
ଏ ସମିତା..ଠୁ ତାଧୁମ୍ ତାକ୍..
ଗୀତ ଭିତରେ ‘ଏ ସମିତା ଆଗୋ ସମିତା, ଫାଷ୍ଟ ଟାଇମ୍ ଗୋଟେ ଝିଅ ତୁ,ପଲ୍ପଲ୍ ତତେ ଚାହେଁ, ତମେ ଆମକୁ କାଇଁ ଦିଲ୍ଟା ଦବ ଗୋ, ଆର ଦଶଟା ପାଉଚ୍ ପିଉଛେ, ସତ ଲାଗେ ଆଜି ସପନ, ମନ ଦେଲି ମନ ନେଲି, ଗୋଲ୍ କିପର ଥିଲେ କଣ ଗୋଲ୍ ହୁଏନି, ଉଫ୍ ତୋର ଦୁଷ୍ଟାମି, ତୋ ପ୍ରେମରେ ଥିଲା ଏତେ ଭରସା, ଫୁଲେଇ ରାଧା, ଆଉକିଛି ଦିନ ବଞ୍ଚିଯିବି ଭଳି ଓଡ଼ିଆ ଗୀତ ପପୁଲାର ହୋଇଛି। ଏହା ଛଡ଼ା ଅନେକ ହିନ୍ଦି ଗୀତରେ ଓଡ଼ିଆଙ୍କୁ ଅଭିନୟ କରୁଥିବା ଦେଖାଯାଉଛି। ପପୁଙ୍କର କେତେକ କମେଡି ସଂଳାପ ବେଶ୍ ଆଦୃତି ଲାଭ କରିଥିବା ବେଳେ ଯାତ୍ରା ସଂଳାପ ‘ଭାଇ, ଆଜି ଭଳି ଦିନରେ’, ‘ମୁଁ ଯିବି ଗୋ’, ‘ଡିଲକ୍ସ ୧୨୧’, ‘ତାଧୁମ୍-ତାକ’ ଭଳି ଡାଏଲଗ୍ ରହିଛି। ଓଡ଼ିଆ ଯୁବପିଢ଼ିଙ୍କ ମଧ୍ୟରେ ଝିଅଙ୍କ ସଂଖ୍ୟା ଅଧିକ ରହିଛି। ତେବେ ଅପ୍ଲୋଡ୍ ହୋଇଥିବା ଭିଡିଓରେ ଅଶ୍ଳୀଳ କମେଣ୍ଟ୍ ଆସୁଥିବାରୁ ଏହା ଅନେକଙ୍କୁ ବ୍ୟଥିତ କରିଛି।