ସିଲିଗୁଡ଼ି: ବହୁ କିନ୍ନରଙ୍କ ସଂଘର୍ଷ କାହାଣୀ ବିଷୟରେ ଆମେ ପୂର୍ବରୁ ଆଲୋଚନା କରିସାରିଛେ। ଆଜି କିନ୍ନର ସୁମୀ ଦାସଙ୍କ ସଂପର୍କରେ ଜାଣିବା। ସୁମୀ କୁଚବିହାରରେ ରହନ୍ତି। ଅତୀତରେ ୫୦ ଟଙ୍କାରେ ଷ୍ଟେସନ୍ରେ ନିଜ ଶରୀର ବିକୁଥିବା ସୁମୀ ଆଜି ଲୋକ ଅଦାଲତର ବିଚାରପତି। ଇତି ମଧ୍ୟରେ ତାଙ୍କର ସୁମୀ ମାଉସୀ ବୋଲି ଏକ ପରିଚୟ ବି ସୃଷ୍ଟି ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୁମୀ କହନ୍ତି, ‘ମୁଁ ଜଣେ ପୁଅ ଭାବେ ଜନ୍ମ ହୋଇଥିଲି। ମାତ୍ର ଯେବେ ଅନୁଭବ ଶକ୍ତି ଆସିଲା ନିଜକୁ ଝିଅ ବୋଲି ଅନୁଭବ କଲି। କଥା କହିବା ଶୈଳୀ, ହାବଭାବ ସବୁକିଛି ଯୁବତୀଙ୍କ ପରି ଥିଲା। ଶାରୀରିକ ପରିବର୍ତ୍ତନ ବି ହେବାକୁ ଲାଗିଲା। ଏକମାତ୍ର ସନ୍ତାନ ହୋଇଥିବାରୁ ବାପାମାଆଙ୍କ ଭଲପାଇବା ଢେର୍ ମିଳୁଥିଲା। ମାତ୍ର ଯେବେ ତାଙ୍କୁ ବି ଲାଗିଲା ମୁଁ ଅଲଗା, ସେମାନେ ଧୀରେ ଧୀରେ ଉପେକ୍ଷା କରିବାରେ ଲାଗିଲେ। ଆଜି ବି ମନେଅଛି ମୋ କଣ୍ଠସ୍ୱର ଶୁଣି ସାଙ୍ଗମାନେ ହସୁଥିଲେ, ଚିଡ଼ାଉଥିଲେ। ଏତେ ବିବଶ ହୋଇ ପଡ଼ିଲି ଯେ ୧୪ ବର୍ଷ ବୟସରେ ମୋତେ ଘର ଛାଡ଼ିବାକୁ ପଡ଼ିଲା।
ତା’ପରେ ପେଟ ଭରିବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ମୋ ସୌନ୍ଦର୍ଯ୍ୟରେ କୌଣସି ଅଭାବ ନ ଥିଲା। ଲୋକ ମୋ ଆଡ଼େ ଆକର୍ଷିତ ହେଉଥିଲେ। ମୁଁ ଯୁବତୀଙ୍କ କପଡ଼ା ବି ପିନ୍ଧୁଥିଲି। ଆମ ସମାଜର ଲୋକଙ୍କ ସହ ମୁଁ ଜଲପାଇଗୁଡ଼ି ଷ୍ଟେସନ୍ ଯିବାକୁ ଲାଗିଲି। ସେଠାରେ ୫୦ ଟଙ୍କାରେ ନିଜ ଶରୀର ବିକିବାରେ ଲାଗିଲି। ସେଥିରେ ପେଟ ଭୋକ ମରି ଯାଉଥିଲା। ମାତ୍ର ମୋ ଭିତରେ ସମ୍ମାନର ବି ଭୋକ ଥିଲା। ମୁଁ ଏକ ସ୍ୱେଚ୍ଛାସେବୀ ସଂଗଠନରେ ଏଚ୍ଆଇଭି ପ୍ରକଳ୍ପରେ ଚାକିରି କଲି। ମୋ କାମ ଥିଲା କଣ୍ଡୋମ ବିକିବା। ତା’ପରେ ଲୋକ ମୋତେ କଣ୍ଡୋମ ମାଉସୀ ନାମରେ ଜାଣିବାକୁ ଲାଗିଲେ।
ପାଠ ପଢ଼ିବାର ଆଗ୍ରହ ଥିବାରୁ ଇଗ୍ନୋରେ ନାମ ପଞ୍ଜିକରଣ କରାଇଲି। ପୁସ୍ତକାଳୟ ବିଜ୍ଞାନରେ ସ୍ନାତକ ହାସଲ କଲି। ତା’ପରେ କୁଚବିହାରରେ କିନ୍ନରମାନଙ୍କ ସମ୍ମାନ ପାଇଁ ଆନ୍ଦୋଳନରେ ଯୋଡ଼ି ହେଲି। ତା’ପରେ ମୈତ୍ରୀ ସଂଯୋଗ ସୋସାଇଟି ସ୍ଥାପନ କଲି। ଏହା ଜରିଆରେ କିନ୍ନରମାନେ ଇଂରାଜି କହିବାରୁ ନେଇ ରୋଜଗାର କ୍ଷମ ବି ହେଲେ। ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦେବାର ଆୟୋଜନ ବି କଲି। ଫଳସ୍ୱରପ ଆଜି ଅନେକ କିନ୍ନର ସମ୍ମାନର ସହ ଜୀବିକା ଅର୍ଜନ କରୁଛନ୍ତି। ଯେଉଁ କାରଣକୁ ମୋତେ ଲୋକ ଅଦାଲତର ବିଚାରପତି ବନା ଯାଇଛି।’