ସତୀଶ ମିଷ୍ଟର ଓ ଅନନ୍ୟା ମିସ୍ ଇଷ୍ଟ ଇଣ୍ଡିଆ

ପୂର୍ବ ଭାରତ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା:ଭାଗନେଲେ ୮ ରାଜ୍ୟର ଶତାଧିକ ପ୍ରତିଯୋଗୀ

ପୁରୀ: ପୂର୍ବ ଭାରତର ପ୍ରତିଯୋଗୀଙ୍କୁ ନେଇ ମିଷ୍ଟର ଆଣ୍ଡ୍ ମିସ୍ ଇଷ୍ଟ୍‌ ଇଣ୍ଡିଆ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ପୁରୀ ବେଳାଭୂମିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ ଆସାମ, ମିଜୋରାମ, ଛତିଶଗଡ଼, ତ୍ରିପୁରା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସମସ୍ତଙ୍କୁ ପଛରେ ପକାଇ ପୁରୁଷ ବର୍ଗରେ ପୁରୀର ସତୀଶ ହୁଡ଼ା ମିଷ୍ଟର ଇଷ୍ଟ୍‌ ଇଣ୍ଡିଆ-୨୦୧୯ ମୁକୁଟ ପିନ୍ଧିଛନ୍ତି। ଆସାମର ବିକି ଡାଜ୍ ଉପବିଜେତା ହୋଇଛନ୍ତି। ମହିଳା ବର୍ଗରେ ପଶ୍ଚିମବଙ୍ଗର ଅନନ୍ୟା ରାୟ ମିସ୍ ଇଷ୍ଟ୍‌ ଇଣ୍ଡିଆ-୨୦୧୯ ମୁକୁଟ ଜିତିଛନ୍ତି। ଓଡ଼ିଶା ସବୁ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ଅର୍ଜନ କରିଛି। ପ୍ରତିଯୋଗିତାରେ ପଶ୍ଚିମବଙ୍ଗ ୯, ଓଡ଼ିଶା ୫ ଏବଂ ଆସାମ ୨ ସ୍ବର୍ଣ୍ଣ ପଦକ ହାସଲ କରିଛି।
ଉପଜିଲ୍ଲାପାଳ ଭବତାରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରିଥିଲେ। ଜାତୀୟ ସୌଖୀନ ସୁନ୍ଦରସ୍ବାସ୍ଥ୍ୟ ସଂଘର ସଭାପତି ଧୀରଜ ମୋହନ ଦାସ, କଳିଙ୍ଗ ବଡି ବିଲ୍ଡିଂ ଫିଟ୍‌ନେସ୍‌ ଆସୋସିଏସନର ସଭାପତି ଗୌରୀଶଙ୍କର ସିଂହାରୀ, ଯୁଗ୍ମ ସଂପାଦକ ରଂଜନ ମହାନ୍ତି, ଆଇନଜୀବୀ ସୁଶାନ୍ତ ମହାନ୍ତି, ସଂପାଦକ ସନ୍ତୋଷ ମହାନ୍ତି, କାର୍ଯ୍ୟକାରୀ ସଂପାଦକ ଚିତ୍ତରଂଜନ ବେହେରା, ବିଧାନ ଦାସ, ସନ୍ତୋଷ ଆଡୀୟ, ଶୁଭେନ୍ଦୁ ସାହୁ, ନୀଳକଣ୍ଠ ବାରିକ, ପ୍ରମୋଦ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର