ଫେବ୍ରୁଆରିରୁ ପ୍ରାଥମିକ ଶିକ୍ଷକଙ୍କୁ ୨୮୦୦ ଗ୍ରେଡ୍‌ ପେ’

ଭୁବନେଶ୍ୱର : ନୂତନ ପେନ୍‌ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଓ ଓଡ଼ିଶା ଶିକ୍ଷା ସହାୟକ ସଂଘର ବିଭିନ୍ନ ଦାବି ପୂରଣ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଥିବା ଉଚ୍ଚ କ୍ଷମତା କମିଟି ବୈଠକରେ ବିଭିନ୍ନ ଦାବି ନେଇ ଉଭୟ ସଂଘ ଆଲୋଚନା କରିଛନ୍ତି।

୬ ବର୍ଷ ଚାକିରି ପୂରଣ କରିଥିବା ଶିକ୍ଷା ସହାୟକଙ୍କୁ ନିୟମିତ କରିବା, ୭ମ ବେତନ କମିସନ ଅନୁଯାୟୀ ଦରମା ବୃଦ୍ଧି, ଶିକ୍ଷା ସହାୟକଙ୍କୁ ଜୁନିଅର ଶିକ୍ଷକ ଭାବେ ଗଣନା ନିଷ୍ପତ୍ତିରେ ମୋହର ଲାଗିଛି। ପ୍ରାଥମିକ ଶିକ୍ଷକଙ୍କୁ ୨୮୦୦ ଟଙ୍କା ଗ୍ରେଡ୍‌ ପେ’ ହିସାବରେ ୨୦୧୮ ଫେବ୍ରୁଆରିରୁ ନୂଆ ଦରମା ପ୍ରଦାନ କରାଯିବ। ଆସନ୍ତା ୩ ଦିନ ମଧ୍ୟରେ ପ୍ରାଥମିକ ଶିକ୍ଷକଙ୍କର ମୂଳ ପଦବୀ ମାଟ୍ରିକ୍‌ ସିଟିରୁ ଉନ୍ନିତ କରି ଯୁକ୍ତ୨ ଓ ସିଟି କରିବା ପାଇଁ ସରକାରୀ ନିର୍ଦେଶନାମା ଜାରି ହେବ ବୋଲି ବୈଠକରେ ସ୍ଥିର ହୋଇଛି। ଏହାଦ୍ୱାରା ରାଜ୍ୟର ୫୦ ହଜାରରୁ ଅଧିକ ଶିକ୍ଷକ ଉପକୃତ ହେବେ। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ଦୁଇଟି ଯାକ ସଙ୍ଗଠନ ଆନ୍ଦୋଳନରୁ ଓହରିଥିବା ନେଇ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ବୈଠକରେ ଓଡ଼ିଶାର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରାଜେଶ ମହାନ୍ତି, ସାଧାରଣ ସମ୍ପାଦକ ଖଗେନ୍ଦ୍ରନାଥ ପାଲ୍‌, ମହାସଚିବ ବିକ୍ରମ ରଥ, ଦୋଳଗୋବିନ୍ଦ ପଣ୍ଡା, କାର୍ଯ୍ୟକାରୀ ସଭାପତି ସହସ୍ରାଂଶୁ ଶେଖର ମହାନ୍ତି, ଶମ୍ଭୁ ଗିରି, ପ୍ରଶାନ୍ତ କୁମାର ମହାପାତ୍ର, ମନୋଜ ମହନ୍ତ, ମହେନ୍ଦ୍ର କୁମାର ମିଶ୍ର, ସୁଶାନ୍ତ କୁମାର ବେହେରା, ପ୍ରମୋଦ ଭଞ୍ଜ, ପବିତ୍ର ମୋହନ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷା ସହାୟକ ସଂଘ ସଭାପତି ମଳୟ କୁମାର ଜେନା, ଉପଦେଷ୍ଟା ଯୁଧିଷ୍ଠିର ସାହୁ, ଜିତ୍‌ ରଞ୍ଜନ ମହାପାତ୍ର, ଜ୍ୟୋତି ରଞ୍ଜନ ଦାସ, ସୁଶାନ୍ତ ବେହେରା ପ୍ର୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର