ନେତା ଓ ପ୍ରଶାସକଙ୍କ ବିରୋଧରେ ଅଭିଯୋଗ ନାହିଁ, ୮୨ ମାମଲାରେ ଲୋକାୟୁକ୍ତଙ୍କ ତନାଘନା
୨୮ ନୂଆ, ବାକି ସବୁ ପୂରୁଣା ମାମଲା, କର୍ମଚାରୀ ସଂପତ୍ତି ସତ୍ୟପାଠ ଦାଖଲ କରିବାକୁ ବାଧ୍ୟ
ଭୁବନେଶ୍ବର : ଗତ ମାର୍ଚ ମାସରେ ଲୋକାୟୁକ୍ତ ଅଧ୍ୟକ୍ଷ ନିଯୁକ୍ତ ହୋଇଛି। ଏହି ୩ ମାସରେ ଲୋକାୟୁକ୍ତଙ୍କ ନିକଟରେ ୨୮ଟି ମାମଲା ଆସିଛି। ତହିଁରୁ ଲୋକାୟୁକ୍ତ ନିଜ ପକ୍ଷରୁ ୨ଟି ମାମଲା ରୁଜୁ କରିଛନ୍ତି। ପୂର୍ବରୁ ଲୋକପାଳଙ୍କ ନିକଟରେ ଥିବା ୫୪ଟି ଦୁର୍ନୀତି ଅଭିଯୋଗ ମାମଲାକୁ ମିଶାଇ ଲୋକାୟୁକ୍ତଙ୍କ ନିକଟରେ ଏବେ ୮୨ଟି ମାମଲା ବିଚାରାଧୀନ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଜଣେ ହେଲେ ନେତା କିମ୍ବା ପ୍ରଶାସକଙ୍କ ବିରୋଧରେ ଗୋଟିଏ ହେଲେ ମାମଲା ଆସିନାହିଁ। ଅପରପକ୍ଷରେ ଲୋକାୟୁକ୍ତଙ୍କ କାର୍ଯ୍ୟ ସଂପର୍କରେ ଲୋକମାନେ ଜାଣି ନାହାନ୍ତି। ଏଥିପାଇଁ ଲୋକମାନଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି। ଏ ଦୃଷ୍ଟିରେ ରଖି ଜିଲ୍ଲାବ୍ୟାପୀ ସଚେତନତା କାର୍ଯ୍ୟକ୍ରମ କରାଯିବ। ଚଳିତମାସ ୨୯ତାରିଖରେ ସମ୍ବଲପୁରରେ ଏହା ଅନୁଷ୍ଠିତ ହେବ।
ଲୋକାୟୁକ୍ତ ଗଠନ ପରେ ଆଜି ପ୍ରଥମ ଥର ଲାଗି ଏହାର ଅଧ୍ୟକ୍ଷ ଓ ୨ଜଣ ସଦସ୍ୟ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ ସିଂହ କହିଲେ, ପୂର୍ବରୁ ଥିବା ଲୋକପାଳ ଓ ଲୋକାୟୁକ୍ତଙ୍କୁ ମିଶାଇ ସମୁଦାୟ ୫୯୨ ମାମଲା ଆସିଛି। ତହିଁରୁ ୬୨ଟି ମାମଲା ଉପଯୁକ୍ତ ନ ଥିବାରୁ ରଦ୍ଦ କରି ଦିଆଯାଇଛି। ୪୭୬ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ମାମଲା ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରି ଦିଆଯାଇଛି। ଲୋକାୟୁକ୍ତ ଆଇନରେ କେବଳ ସରକାରୀ କର୍ମଚାରୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗକୁ ବିଚାର କରିବା ପାଇଁ ନିୟମ ରହିଛି। ଆସିଥିବା ଅଭିଯୋଗରେ ଦୁର୍ନୀତି େନଇ ଆପାତତଃ ପ୍ରମାଣ ଥିଲେ ଏହାକୁ ତଦନ୍ତ କରାଯିବ। ଏଥିପାଇଁ ଲୋକାୟୁକ୍ତଙ୍କ ସ୍ବତନ୍ତ୍ର ତଦନ୍ତ ଓ ପ୍ରସୋକ୍ୟୁସନ୍ ୱିଙ୍ଗ୍ ଗଠନ କରାଯିବ। ପ୍ରାଥମିକ ତଦନ୍ତ ପାଇଁ ୨ମାସ କିମ୍ବା ଆବଶ୍ୟକ ସ୍ଥଳେ ଏହାକୁ ବଢ଼ାଯିବ। ସେହିପରି ତଦନ୍ତ ୯୦ଦିନ ମଧ୍ୟରେ ସାରିବାର ନିୟମ ଥିବା ବେଳେ ଆବଶ୍ୟକସ୍ଥଳେ ଏହାକୁ ବଢ଼ାଯାଇପାରେ। ଚାର୍ଜସିଟ୍ ଦାଖଲ ପରେ ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକତା ନାହିଁ। ତେବେ ଅଭିଯୋଗର ଶୁଣାଣି ପାଇଁ ଏ ପର୍ଯ୍ୟନ୍ତ କୌଣସି କୋର୍ଟ ଗଠନ ହୋଇନାହିଁ। ସରକାର ଚାହିଁଲେ ଭିଜିଲାନ୍ସ କୋର୍ଟକୁ ସ୍ବତନ୍ତ୍ରଭାବେ ଲୋକାୟୁକ୍ତଙ୍କ କୋର୍ଟ ଭାବେ ଘୋଷଣା କରିପାରନ୍ତି। ଲୋକାୟୁକ୍ତ ରୁଲ୍ ଫ୍ରେମ୍ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଆସିନାହିଁ।
ଲୋକାୟୁକ୍ତ ସଦସ୍ୟ ଜଷ୍ଟିସ୍ ବିଜୟ କୁମାର ନାୟକ କହିଲେ, ଲୋକାୟୁକ୍ତଙ୍କ ଧାରା ୪୪ ଅନୁସାରେ ସମସ୍ତ ସରକାରୀ କର୍ମଚାରୀ ନିଜର ସଂପତ୍ତି ସଂପର୍କରେ ସତ୍ୟପାଠ ଦାଖଲ କରିବେ। ନୂତନ ଭାବେ ନିଯୁକ୍ତ ହୋଇଥିବା କର୍ମଚାରୀ ୩୦ ଦିନ ଭିତରେ ଏହାକୁ ଦାଖଲ କରିବାର ନିୟମ ରହିଛି। ପୂର୍ବରୁ ନିଯୁକ୍ତ ହୋଇଥିବା କର୍ମଚାରୀମାନେ ପ୍ରତିବର୍ଷ ମାର୍ଚ ୩୧ତାରିଖ ଭିତରେ ନିଜର ସଂପତ୍ତିର ତାଲିକା ଓ ବାର୍ଷିକ ଆୟ ନିଜ ନିଜ ବିଭାଗକୁ ପ୍ରଦାନ କରିବେ। ସଂପୃକ୍ତ ବିଭାଗ ସେହିବର୍ଷର ଅଗଷ୍ଟ ୩୧ତାରିଖ ସୁଦ୍ଧା ଏହାକୁ ବିଭାଗୀୟ ୱେବସାଇଟ୍ରେ ପ୍ରକାଶ କରିବେ। ଯଦି ଧାର୍ଯ୍ୟ ସମୟ ଭିତରେ ସଂପୃକ୍ତ କର୍ମଚାରୀ ନିଜର ସଂପତ୍ତି ତାଲିକା ପ୍ରଦାନ କରିବାରେ ବିଫଳ ହୁଅନ୍ତି କିମ୍ବା ଭୁଲ୍ ତଥ୍ୟ ପ୍ରଦାନ କରିନ୍ତି ତେବେ ସେ ଦୁର୍ନୀତି କରି ଉକ୍ତ ସଂପତ୍ତି ହାସଲ କରିଛନ୍ତି ବୋଲି ଧରି ନିଆଯିବ ବୋଲି ଜଷ୍ଟିସ୍ ନାୟକ କହିଥିଲେ।
ଅନ୍ୟତମ ସଦସ୍ୟ ଦେବବ୍ରତ ସ୍ବାଇଁ କହିଲେ, ଲୋକାୟୁକ୍ତ ଏକ ନୂଆ ଆଇନ ହୋଇଥିବା ବେଳେ ଲୋକମାନେ ଏ ସଂପର୍କରେ ଅଜ୍ଞ ରହିଛନ୍ତି। ତେଣୁ ଲୋକମାନଙ୍କୁ ସଚେତନ କରିବା ପାଇଁ ଲୋକାୟୁକ୍ତଙ୍କ ପକ୍ଷରୁ ଉଦ୍ୟମ କରାଯିବ। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଅଧିକ ଗୁରୁତ୍ବ ଦିଆଯାଇଛି। ପ୍ରତି ମାସରେ ଭିନ୍ନ ଭିନ୍ନ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଲୋକମାନେ ଚାହିଁଲେ ରେଜିଷ୍ଟ୍ରି ପୋଷ୍ଟ କିମ୍ବା ଇ-ମେଲ୍ ଜରିଆରେ ନିଜ ଅଭିଯୋଗ ପଠାଇ ପାରିବେ। ଏଥିପାଇଁ ଲୋକାୟୁକ୍ତଙ୍କ ସ୍ବତନ୍ତ୍ର ୱେବସାଇଟ୍ ପ୍ରସ୍ତୁତ କରାଯିବ।