ନୂଆଦିଲ୍ଲୀ: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍ଏସ୍ଏମ୍ଇ) କ୍ଷେତ୍ରକୁ ଋଣ ପ୍ରଦାନ କରିବାରେ ଗୁଜରାଟ ସବୁଠୁ ଭଲ ପ୍ରଦର୍ଶନ କରିଛି। ଏହି ରାଜ୍ୟ ଏମ୍ଏସ୍ଏମ୍ଇକୁ ଋଣ ପ୍ରଦାନ କରିବାରେ ଶୀର୍ଷ ସ୍ଥାନ ହାସଲ କରିଛି। ଏହା ପଛକୁ ରହିଛନ୍ତି ଆନ୍ଧ୍ର ପ୍ରଦେଶ, ହରିଆନା, କର୍ଣ୍ଣାଟକ ଓ ଦିଲ୍ଲୀ। ଏହି ତାଲିକାରେ ଓଡ଼ିଶା ୧୯ତମ ସ୍ଥାନରେ ରହିଛି। ଗତବର୍ଷ ତୁଳନାରେ ଓଡ଼ିଶାର ପ୍ରଦର୍ଶନରେ ତିନି ପାହାଚ ଉନ୍ନତି ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଓଡ଼ିଶା ୨୨ତମ ସ୍ଥାନରେ ଥିଲା। କର୍ପୋରେଟ୍ ଭାବେ ପରିଚାଳିତ ହେଉଥିବା ଏମ୍ଏସ୍ଏମ୍ଇଗୁଡ଼ିକୁ ଦିଆଯାଇଥିବା ଋଣ ତଥ୍ୟକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପ୍ରଦାନ କରାଯାଇଥିବା ଋଣକୁ ନେଇ ‘ଟ୍ରାନ୍ସୟୁନିଅନ୍ ସିବିଲ୍’ ତରଫରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ବିଚାରକୁ ନିଆଯାଇଥିଲା। ଓଡ଼ିଶା, ବିହାର ଓ ଉତ୍ତର ପ୍ରଦେଶରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଋଣ ପରିମାଣ ବଢ଼ାଇବାର ବିପୁଳ ସୁଯୋଗ ରହିଛି ବୋଲି ଏହି ରିପୋର୍ଟ କୁହାଯାଇଛି। ରିପୋର୍ଟ ଅନୁଯାୟୀ, ୨୦୧୯ ମାର୍ଚ ସୁଦ୍ଧା ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ୧୧୬.୭ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ସେଥି ମଧ୍ୟରୁ କର୍ପୋରେଟ୍ ଏମ୍ଏସ୍ଏମ୍ଇଗୁଡ଼ିକୁ ସର୍ବାଧିକ ୬୪.୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯାଇଛି।