ଭାରତୀୟ ଦଳର ଅଧିନାୟିକା ମିତାଲିଙ୍କ ଆଉ ଏକ ମାଇଲଖୁଣ୍ଟ

ଭାରତୀୟ ଦଳର ଅଧିନାୟିକା ମିତାଲି ରାଜ ପୁଣି ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା ଦଳ ବିପକ୍ଷରେ ବୁଧବାର ପ୍ରଥମ ଦିନିକିଆ ଖେଳିବା ପରେ ଆନ୍ତର୍ଜାତିକ କ୍ରିକେଟ୍‌ରେ ୨୦ ବର୍ଷରୁ ଅଧିକ ସମୟ ବିତାଇବାରେ ସେ ପ୍ରଥମ ମହିଳା ଖେଳାଳି ହୋଇଛନ୍ତି। ୧୯୯୯ ମସିହା ଜୁନ୍‌ ୨୬ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଆନ୍ତର୍ଜାତିକ ଦିନିକିଆ ପଦାର୍ପଣ କରିଥିବା ମିତାଲି ଇତି ମଧ୍ୟରେ ୨୦ ବର୍ଷ ୧୦୫ ଦିନ ସମୟ ବିତାଇ ସାରିଲେଣି। ସେ ଏକମାତ୍ର ମହିଳା ଖେଳାଳି ଭାବେ ଦୁଇ ଦଶନ୍ଧୀରୁ ଅଧିକ ସମୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିବାର ଗୌରବ ବହନ କରିଛନ୍ତି। ମିତାଲି ଏହି ଲମ୍ବା ସମୟ ମଧ୍ୟରେ ୨୦୪ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି ଯାହାକି କୌଣସି ମହିଳା ଖେଳାଳିଙ୍କ ତୁଳନାରେ ସର୍ବାଧିକ। ଏକ୍ଷେତ୍ରରେ ତାଙ୍କ ପଛକୁ ରହିଛନ୍ତି ଇଂଲଣ୍ଡର ଚାର୍ଲୋଟେ ଏଡ୍‌ୱାର୍ଡସ (୧୯୧ ମ୍ୟାଚ୍‌), ଭାରତର ଝୁଲଣ ଗୋସ୍ବାମୀ (୧୭୮ ମାଚ୍‌) ଏବଂ ଅଷ୍ଟ୍ରେଲିଆର ଆଲେକ୍ସ ବ୍ଲାକ୍‌ୱେଲ୍‌ (୧୪୪ ମ୍ୟାଚ୍‌)। ୩୬ ବର୍ଷ ବୟସ୍କା ମିତାଲି ଦିନିକିଆ ବ୍ୟତୀତ ଭାରତ ପାଇଁ ୧୦ ଟେଷ୍ଟ୍‌ ଓ ୮୯ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି। ଗତମାସରେ ସେ ‌ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରୁ ଅବସର ନେଇଛନ୍ତି।

ସମ୍ବନ୍ଧିତ ଖବର