ପ୍ରଥମ ମହିଳା ଦିନିକିଆ : ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ରେ ହରାଇଲା ଭାରତ

ମାନ୍ଧାନା ଶୃଙ୍ଖଳାରୁ ବଞ୍ଚିତ

ଭଦୋଦରା : ଦକ୍ଷିଣ ଆଫ୍ରିକା ମହିଳା ଦଳ ବିପକ୍ଷ ୬ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୧ରେ ଜିତି ନେଇଥିବା ଭାରତୀୟ ଦଳ ବୃହତ୍‌ ବିଜୟ ସହ ଦିନିକିଆ ଶୃଙ୍ଖଳା ଅଭିଯାନ ଆରମ୍ଭ କରିଛି। ବୁଧବାର ଏଠାରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆକୁ ଘରୋଇ ଭାରତ ୫୦ ବଲ୍‌ ପୂର୍ବରୁ ୮ ୱିକେଟ୍‌ରେ ଜିତି ନେଇଛି। ଏଥି ସହିତ ଭାରତ ୧-୦ର ଅଗ୍ରଣୀ ପାଇଛି। ଦ୍ବିତୀୟ ମ୍ୟାଚ୍‌ ଆସନ୍ତା ଶୁକ୍ରବାର ଖେଳାଯିବ।

ବୁଧବାର ଟସ୍‌ ଜିତି ଭ୍ରମଣକାରୀ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଭିଜ୍ଞ ଝୁଲଣ ଗୋସ୍ବାମୀ (୩/୩୩), ଶିଖା ପାଣ୍ଡେ (୨/୩୮), ଏକ୍‌ତା ବିସ୍ତ (୨/୨୮), ପୂନମ୍‌ ଯାଦବ (୨/୩୩) ଏବଂ ଦୀପ୍ତି ଶର୍ମା (୧/୩୧)ଙ୍କ ମାପଚୁପ ବୋଲିଂ ନିକଟରେ ତିଷ୍ଠି ନପାରି ଦକ୍ଷିଣ ଆଫ୍ରିକା ୨୯ ବଲ୍‌ ପୂର୍ବରୁ (୪୫.୧ ଓଭର) ୧୬୪ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। କାପ୍‌ (୫୪) ଏକା ଅର୍ଧଶତକ ଜମାଇଥିଲା ବେଳେ ଉଲ୍‌ଭାର୍ଟ (୩୯), ଅଧିନାୟିକା ଲୁସ୍‌ (୨୨), ଡୁ ପ୍ରିଜ୍‌ (୧୬) ଏବଂ ୱିକେଟ୍‌ରକ୍ଷକ ଚେଟି (୧୪) ଦୁଇ ଅଙ୍କ ଛୁଇଁଥିଲେ।

ଜବାବରେ ପ୍ରାରମ୍ଭିକ ଯୋଡ଼ି ପ୍ରିୟା ପୂନିଆ (ଅପରାଜିତ ୭୫) ଓ ଜେମିମା ରୋଦ୍ରିଗ୍ବେଜ୍‌ (୫୫)ଙ୍କ ଅର୍ଧଶତକ ବଳରେ ଭାରତ ୪୧.୪ ଓଭରରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଉଭୟ ପ୍ରିୟା ଓ ଜେମିମା ପ୍ରଥମ ୱିକେଟ୍‌ରେ ୮୩ ରନ୍ ଯୋଡ଼ିଥିଲେ। ପୁନମ୍‌ ରାଉତ (୧୬) ଆଉଟ୍‌ ହୋଇଯାଇଥିଲା ବେଳେ ଅଧିନାୟିକା ମିତାଲି ରାଜ ୧୧ ରନ୍‌ରେ ଅପରାଜିତ ରହିଥିଲେ। ଭାରତ ୨ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ପଦାର୍ପଣରେ ଅର୍ଧଶତକ ଜମାଇଥିବା ପ୍ରିୟା ପୂନିଆଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ମାନ୍ଧାନା ଶୃଙ୍ଖଳାରୁ ବଞ୍ଚିତ

ପ୍ରାରମ୍ଭିକ ବ୍ୟାଟର୍‌ ସ୍ମୃତି ମାନ୍ଧାନା ଆହତ ଯୋଗୁଁ ଦିନିକିଆ ଶୃଙ୍ଖଳାରୁ ବଞ୍ଚିତ ହୋଇଛନ୍ତି। ନେଟ୍‌ସରେ ବ୍ୟାଟିଂ କରୁଥିଲା ବେଳେ ତାଙ୍କ ମୁଣ୍ଡରେ ବଲ୍‌ ବାଜିଥିଲା। ଏବେ ବିସିସିଆଇ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ତଦାରଖ କରୁଛନ୍ତି। ତାଙ୍କ ଦେହରେ କିଛି ଯାଗା ଫୁଲି ଯାଇଛି। ଏମ୍‌ଆର୍‌ଆଇ ପରେ ତାଙ୍କ ଅବସ୍ଥା ସଂପର୍କରେ କୁହାଯାଇପାରିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ସେ କେବେ ଦଳକୁ ଫେରିବେ ସେ ନେଇ ଏବେ କହିହେବ ନାହିଁ ବୋଲି ଏହି ସୂତ୍ରରୁ ପ୍ରକାଶ। ଫଳରେ ଦିନିକିଆ ଶୃଙ୍ଖଳାରୁ ତାଙ୍କୁ ବାଦ୍‌ ଦିଆଯାଇଛି ଏବଂ ତାଙ୍କ ବଦଳରେ୨୦ ବର୍ଷିୟା ବୋଲିଂ ଅଲ୍‌ରାଉଣ୍ଡର ପୂଜା ଭସ୍ତ୍ରକାରଙ୍କୁ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର