ମୁକ୍ତ ଚିନ୍ତନ ମଞ୍ଚର ଆଲୋଚନାଚକ୍ର: ସାହିତ୍ୟରେ ଓଡ଼ିଆତ୍ବ ଓ ମାଟିର ବାସ୍ନା ଭରିବାକୁ ଆହ୍ବାନ

ଭୁବନେଶ୍ବର: ‘ମୁକ୍ତ ଚିନ୍ତନ ମଞ୍ଚ’ ଓ ‘ଭାରତୀୟ ବିଦ୍ୟାଭବନ’ର ମିଳିତ ଆନୁକୂଲ୍ୟରେ ୧୬୧ତମ ଆଲୋଚନାଚକ୍ର ଆଜି ଭାରତୀୟ ବିଦ୍ୟାଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ‘ମୁକ୍ତ ଚିନ୍ତନ ମଞ୍ଚ’ର ସଭାପତି ସାତକୋଡ଼ି ହୋତାଙ୍କ ୯୧ତମ ଜୟନ୍ତୀ ଅବସରରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଶ୍ରୀ ହୋତା କହିଥିଲେ, ଆମେ ସମସ୍ତେ ପରିବର୍ତ୍ତନକୁ ଚାହିଁ ବସିଛେ। ହେଲେ ପରିବର୍ତ୍ତନ ସେମିତି ଆସିଯିବ ନାହିଁ, ସେଥିପାଇଁ ଆମକୁ, ଶିକ୍ଷିତ ସମାଜକୁ ଓ ସାରସ୍ବତ ସାଧନାରେ ଲିପ୍ତ ବ୍ୟକ୍ତିବିଶେଷ; ସମସ୍ତଙ୍କୁ ଯୋଗଦାନ କରିବାକୁ ପଡ଼ିବ। ଜାତିପ୍ରଥା ହଟାଇବାକୁ ପଡ଼ିବ। ଏକବିଂଶ ଶତାବ୍ଦୀରେ ଏହି ଜାତିପ୍ରଥା ଭାରତର ଏକ ବଡ଼ ବ୍ୟାଧିରେ ପରିଣତ ହୋଇଛି। ଏହି ଜାତିପ୍ରଥା ଓ ବୈଷମ୍ୟ ନୀତି ଦୂର ନହେଲେ ଭାରତରେ ପୂର୍ଣ୍ଣ ସଂସ୍କାର ଆସିପାରିବ ନାହିଁ ବୋଲି ସେ କହିଥିଲେ। ଏହି ଅବସରରେ ସେ ଆର୍ଯ୍ୟ, ଦ୍ରାବିଡ଼, ବୌଦ୍ଧ, ବୈଷ୍ଣବ ଓ ଆଧୁନିକ ଆଦି ପଞ୍ଚ ଶତାବ୍ଦୀର ସାହିତ୍ୟର ତୁଳନାତ୍ମକ ବ୍ୟାଖ୍ୟାନ କରିବା ସହ ଆଜିର ସାହିତ୍ୟରେ ଓଡ଼ିଆତ୍ବ ଓ ମାଟିର ବାସ୍ନା ନାହିଁ କହି କ୍ଷୋଭ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମକୁ ପୂର୍ବତନ ବାଚସ୍ପତି ଶରତ କୁମାର କର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ କରଙ୍କ ଜୟନ୍ତୀ ଅବସରରେ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ‌ଯୋଗ ଦେଇ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର କହିଲେ, ଦେଶର ପ୍ରତିଟି ନାଗରିକ ଦେଶ ପାଇଁ ନିଜର ଥିବା ସମସ୍ତ କର୍ତ୍ତବ୍ୟକୁ ପ୍ରଥମେ ସମ୍ପାଦନ କରିବା ଉଚିତ। ତା’ ପରେ ଯାଇ ସେ ତାର ଅଧିକାର ସାବ୍ୟସ୍ତ କରିବାର ଅଧିକାର ପାଏ। ପ୍ରତିଟି ମଣିଷକୁ ଭଗବାନ ସ୍ନେହ, କରୁଣା, ଦୟା, କ୍ଷମା, ଆତ୍ମସମ୍ମାନ ଓ ସାଧୁତା ଆଦି ଗୁଣର ରତ୍ନରେ ଭରି ଦେଇଛନ୍ତି। ମଣିଷ ଉପରେ ଏହା ନିର୍ଭର କରେ ଯେ ସେ କେଉଁ ରତ୍ନକୁ ହରାଇବ କିମ୍ବା କେଉଁ ରତ୍ନକୁ ଜାବୁଡ଼ି ଧରିବ। ଏହା ସହ ସେ ସମସ୍ତଙ୍କୁ ନିଜ କର୍ତ୍ତବ୍ୟରେ ଜଡ଼ିତ ରହି ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଭାବେ ସକ୍ରିୟ ରହିବାକୁ ଉପଦେଶ ଦେଇଥିଲେ।

‘ପୌରୁଷ’ର ସମ୍ପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ରସଗୋଲା ପୁରୁଷ’ ଶୀର୍ଷକ ବୃତ୍ତଚିତ୍ର ମାଧ୍ୟମରେ ନିଜ ଅଭିଭାଷଣ ରଖିଥିଲେ। ଏହି ଅବସରରେ ସେ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ ପରମ୍ପରାରେ ରସଗୋଲାର ମହତ୍ବଠାରୁ ଆରମ୍ଭ କରି ଭକ୍ତକବି ବଳରାମ ଦାସଙ୍କ ଦାଣ୍ଡି ରାମାୟଣ, ଦାମୋଦର ପଟ୍ଟନାୟକଙ୍କ ୧୮୯୩ ମସିହାରେ ପ୍ରକାଶିତ ଲେଖା ବାଲିଯାତ୍ରା ବୁଲିବା ସମୟର ଗୁଡ଼ିଆ ସାହୁର ମିଠେଇ ପସରାରେ ରସଗୋଲାର ଉପସ୍ଥିତି, କର୍ମବୀର ଗୌରୀଶଙ୍କର ରାୟଙ୍କ ‘ଉତ୍କଳ ଦୀପିକା’ ଖବର କାଗଜର ସ୍ତମ୍ଭରେ ପ୍ରକାଶ ପାଇଥିବା ଲେଖାରୁ ମିଳିଥିବା ପ୍ରମାଣ ଆଧାରରେ କିଭଳି ଓଡ଼ିଶା ରସଗୋଲା ଜିଆଇ ମାନ୍ୟତା ପାଇବାରେ ସଫଳ ହୋଇଛି, ଆଲୋଚନା କରିଥିଲେ।

ଆଲୋଚନାଚକ୍ରରେ ଏମ୍‌ସ୍‌ର ପୂର୍ବତନ ନିର୍ଦ୍ଦେଶକ ଅଶୋକ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ମଣିଷ ଅଙ୍ଗଦାନ କରିବାକୁ ଆଗ୍ରହ ପ୍ରକାଶ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ‘କଥା ଲହରୀରେ ଶ୍ରୀଜଗନ୍ନାଥ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ମଞ୍ଚର ସମ୍ପାଦକ ପୀତବାସ ରାଉତରା‌ୟ ସ୍ବାଗତ ଭାଷଣ ଦେଇଥିଲେ ଓ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର