ରାଜଧାନୀ ‘ଖଦି ବଜାର’ରେ କୋଟିଏ ଟଙ୍କାର ବେପାର

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଆୟୋଜିତ ଜାତୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଓ ବିକ୍ରୟ ମେଳା ‘ଖଦି ବଜାର’କୁ ବଡ଼ ସଫଳତା ମିଳିଛି। ୧୧ ଦିନ ବ୍ୟାପୀ ଅନୁଷ୍ଠିତ ଏହି ମେଳାରେ କୋଟିଏରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ମିଳିଛି। ଆଜି ଉଦ୍‌ଯାପନୀ ସମାରୋହରେ ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ ମେଳାର ସଫଳତା ପାଇଁ ସନ୍ତୋଷବ୍ୟକ୍ତ କରିବା ସହିତ ଅଂଶଗ୍ରହଣକାରୀ ସମସ୍ତ ଉଦ୍ୟୋଗୀ, ଜନସାଧାରଣ ଓ ବୋର୍ଡର କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଲଘୁଚାପ ଜନିତ ବର୍ଷା କାରଣରୁ ଦୁଇ ତିନି ଦିନ ଖଦି ବଜାରର ବିକ୍ରିବଟା ସୂଚାରୁରୂପେ କରାଯାଇ ପାରିଲା ନାହିଁ। ତେଣୁ ପ୍ରଦର୍ଶନୀର ଅବଧିକୁ ଆଉ ଗୋଟେ ଦିନ ବୃଦ୍ଧି କରାଯାଇଥିଲା। ଏହି ମେଳାରେ ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ତଥା ଆମ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୭୦ରୁ ଅଧିକ ଉଦ୍ୟୋଗୀ ଅଂଶ ଗ୍ରହଣକାରୀ ସେମାନଙ୍କ ସାମଗ୍ରୀ ପ୍ରଦର୍ଶିତ କରିବା ସହ ଏହାର ବିକ୍ରୟ କରିଥିଲେ। ଏହା ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟର ଷ୍ଟଲ ମଧ୍ୟ ଖୋଲାଯାଇଥିଲା। ଦୈନିକ ୫/୬ ହଜାର ଅଧିକ ଲୋକ ଏହି ମେଳା ପରିଦର୍ଶନ ପାଇଁ ଆସୁଥିଲେ। ଆଗାମୀ ବାଲିଯାତ୍ରା ମହୋତ୍ସବରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଦ୍ୱାରା ଆର୍ଥିକ ସହାୟତାପ୍ରାପ୍ତ ୟୁନିଟ୍‌ଗୁଡ଼ିକ ଯୋଗଦାନ କରି ସେମାନଙ୍କର ସାମଗ୍ରୀ ପ୍ରଦର୍ଶନ କରିବେ। ଏହି ଅବସରରେ ଅଂଶଗ୍ରହଣ କରି ସମସ୍ତ ମଣ୍ଡପକୁ ସାର୍ଟିଫି‌କେଟ୍‌ ପ୍ରଦାନ ସହ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ୩ଟି ପ୍ରମୁଖ ମଣ୍ଡପକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭୁବନେଶ୍ୱରର ପ୍ରମୁଖ ଅନୁଷ୍ଠାନ ଶିଶୁ ଜାଗରଣ ମଞ୍ଚ ଦ୍ୱାରା ଆୟୋଜିତ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବୋର୍ଡର ସଚିବ ସରୋଜ କୁମାର ପଟେଲ ଧନ୍ୟବାଦ ଦେଇଥିଲେ। ବୋର୍ଡର ଉପସଚିବ ରେଣୁପ୍ରଭା ନାୟକ ଓ ତ୍ରିଯୋଗୀ ନାରାୟଣ ଦାସ ଉଦ୍‌ଯାପନୀ ସମାରୋହ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର