ଭୁବନେଶ୍ୱର: ନଥିବିହୀନ ହେବ ପୁଲିସ ବିଭାଗ। ସମସ୍ତ କାମ ଡିଜିଟାଲ ହେବ। ଫାଇଲରୁ କାଗଜ ଫର୍ଦ୍ଦ ଚିରି ପ୍ରମାଣ ନଷ୍ଟ କରିହେବ ନାହିଁ। ଡାକ ବିଳମ୍ବର ଆଳ ଦେଖାଇ ଅଧିକାରୀ ଖସି ପାରିବେ ନାହିଁ। ପୁଲିସ ବିଭାଗରେ କାର୍ଯ୍ୟକ୍ଷମ ହୋଇଥିବା ଇ-ଅଫିସ୍ ଯୋଜନାରେ ପ୍ରଥମଥର ପାଇଁ ସାମିଲ ହୋଇଛନ୍ତି ୫ଟି ବାଟାଲିୟନ୍। ଆସନ୍ତା ମାର୍ଚ୍ଚ ୨୦୨୦ ସୁଦ୍ଧା ସମସ୍ତ ବାଟାଲିୟନ୍ ଏହି ପ୍ରକଳ୍ପରେ ସାମିଲ ହେବ। ଆଜି ପୁଲିସ ଭବନ ପରିସରରେ ରାଜ୍ୟ ସଶସ୍ତ୍ର ପୁଲିସ ବଳ (ଏସ୍ଏପି) ପକ୍ଷରୁ ଆୟୋଜିତ ତୃତୀୟ କମାଣ୍ଡାଣ୍ଟ ସମ୍ମିଳନୀକୁ ଉଦ୍ଘାଟନ କରି ପୁଲିସ ଡିଜି ବିଜୟ ଶର୍ମା ଆଜି ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଡିଜି ଶ୍ରୀ ଶର୍ମା ଓଏସ୍ଏପି, ଆଇଆରବି, ଏସ୍ଏସ୍ବି ଓ ଓଆଇଏସ୍ଏଫ୍ ଆଦି ବାଟାଲିୟନ୍ର ସ୍ବତନ୍ତ୍ର ଲୋଗୋକୁ ମଧ୍ୟ ଲୋକାର୍ପଣ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଡିଜି ଶର୍ମା କହିଥିଲେ, ରାଜ୍ୟ ପୁଲିସର ଏକ-ତୃତୀୟାଂଶ ବାଟାଲିୟନ୍ରେ ଅଛନ୍ତି। ନକ୍ସଲ ସମସ୍ୟା, ଆଇନଶୃଙ୍ଖଳା, ସୁରକ୍ଷା, ଦୈବୀଦୁର୍ବିପାକ ସହ ମୁକାବିଲା କରିବା ପାଇଁ ସେମାନେ କାର୍ଯ୍ୟରତ। ୨୧ ବାଟାଲିୟନ ସହ ୨ଟି ଟ୍ରେନିଂ ସେଣ୍ଟର୍ ରହିଛି। ଏହି ସଂଖ୍ୟା ମଧ୍ୟ ଆଗକୁ ବଢ଼ିବା ସମ୍ଭାବନା ଅଛି। ଆଜି ସମସ୍ତ ବାଟାଲିୟନ୍ର କମାଣ୍ଡାଣ୍ଟ ଓ ଡେପୁଟି କମାଣ୍ଡାଣ୍ଟଙ୍କୁ ଡକା ଯାଇଥିଲା। କାମ କରିବା ବେଳେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପସ୍ଥାପନ କରିଥିଲେ। ସମସ୍ତ ସମସ୍ୟା ସମାଧାନ ପାଇଁ ଯୋଜନା ହେଉଛି। କେଉଁ ପରିସ୍ଥିତିରେ କିଭଳି ଡ୍ରେସ୍-କୋଡ୍ ରହିବ, ତାହା ଉପରେ ମଧ୍ୟ ବିଚାର କରାଯାଉଛି। ବଡ଼କଥା ହେଉଛି, ଦୂରରେ ଥିବା ମାଲାକାନଗିରି (୪ର୍ଥ ଓଏସ୍ଏପି) ବାଟାଲିୟନ ଇ-ଅଫିସ୍ ପ୍ରକଳ୍ପ ସହ ସଂଯୁକ୍ତ କରାଯାଇଛି। ଅନେକ ସମୟରେ ମାଲକାନଗିରିରୁ ଗୋଟିଏ ଚିଠି ଆସି ମୁଖ୍ୟାଳୟରେ ପହଞ୍ଚିବା ଏବଂ ତାହା ଉପରେ କାର୍ଯ୍ୟାନୁଷ୍ଠାନ ହେବା ପାଇଁ ୭ ଦିନରୁ ଅଧିକ ସମୟ ଲାଗୁଥିଲା। ତାହା ଏବେ ଗୋଟିଏ କ୍ଲିକ୍ରେ ସମ୍ଭବ ହେବ। ଏହି ବାଟାଲିୟନ୍ ସମେତ ରାଉରକେଲା, ଢେଙ୍କାନାଳ, କଟକ ଓ ଖୋର୍ଦ୍ଧା ବାଟାଲିୟନ୍ ମଧ୍ୟ ଇ-ଅଫିସ୍ ପ୍ରକଳ୍ପରେ ସାମିଲ ହୋଇଛନ୍ତି। ଇ-ଅଫିସ୍ ଜରିଆରେ ଅଭିଯୋଗ, ଜିପିଏଫ୍, ପେନ୍ସନ୍ ବାବଦରେ ସମସ୍ତ କାଗଜପତ୍ର ମଧ୍ୟ ଅତି ଶୀଘ୍ର ମୁଖ୍ୟାଳୟ ବା ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ପହଞ୍ଚିପାରିବ। ଏହାଦ୍ବାରା ସମୟ ବଞ୍ଚିବ, କାମ ସୁରୁଖୁରୁରେ ହେବ ଓ ସ୍ବଚ୍ଛତା ସହ ଗୋପନୀୟତା ମଧ୍ୟ ବଜାୟ ରହିବ ବୋଲି ସେ କହିଥିଲେ। ଏହି ସମ୍ମିଳନୀରେ ସ୍ବତନ୍ତ୍ର ଡିଜି ମନୋଜ ଛାବ୍ରା, ଏସ୍ଏପି ଆଇଜି ଯତୀନ୍ଦ୍ର କୋଏଲ୍, ସେଣ୍ଟର ଫର୍ ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍(ସିଏମ୍ଜିଆଇ) ପ୍ରକଳ୍ପ ସଂଯୋଜକ ପିନାକୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।