ବ୍ରହ୍ମପୁର: ବ୍ରହ୍ମପୁର ସହର ଖାଜାସାହିରେ ଗଂଜାମ ମୁସଲିମ ସାଂସ୍କୃତିକ ସଂଘ ପକ୍ଷରୁ ଗରିବ ତଥା ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ଗଣବିବାହ ଆୟୋଜନ କରି ଭାଇଚାରାର ବାର୍ତ୍ତା ବାଣ୍ଟିଛି। ଗରିବ ପିତାମାତା ଝିଅର ବାହାଘର ପାଇଁ ଦେଖିଥିବା ସ୍ୱପ୍ନ ପୂରଣ କରି ପାରିନଥିବା ବେଳେ ସଂଘ ପକ୍ଷରୁ ଏହି ମହାନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଫଳରେ ଜାତିବର୍ଣ୍ଣ ନିର୍ବିଶେଷରେ ୧୫ ଯୋଡ଼ିଙ୍କ ଦାମ୍ପତ୍ୟ ଜୀବନ ଆରମ୍ଭ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସଂଘ ତରଫରୁ ୧୧ ଯୋଡ଼ି ମୁସଲିମ ଓ ୪ ଯୋଡି ହିନ୍ଦୁ ବର-କନ୍ୟାଙ୍କୁ ବିବାହ କରାଯାଇଛି। ହିନ୍ଦୁମାନଙ୍କର ୪ ଯୋଡ଼ି ଶନିବାର ରାତିରେ ବିବାହ କରିଥିବା ବେଳେ ରବିବାର ପୂର୍ବାହ୍ନରେ ମୁସଲିମ ଯୋଡ଼ିମାନେ ବିବାହ କରିଥିଲେ। ଏକ ଛାତ ତଳେ ବିବାହର ଆୟୋଜନ କରାଯାଇଥିଲା। ସମାଜର କିଛି ବଦାନ୍ୟ ବ୍ୟକ୍ତି ମଧ୍ୟ ବିବାହ ପାଇଁ ଆର୍ଥିକ ଓ ଅନ୍ୟାନ୍ୟ ସହଯୋଗ କରିଥିଲେ। ଭୋଜିଭାତରେ ପ୍ରାୟ ୫୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ସମସ୍ତେ ଏହି କାମକୁ ପ୍ରଶଂସା କରିଛନ୍ତି।
ବିବାହ ସମାରୋହରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଉପଜିଲ୍ଲାପାଳ ଦତ୍ତାତ୍ରେୟ ପ୍ରମୁଖ ଯୋଗ ଦେଇଥିଲେ।