ଧାରା ୩୭୦ ଉଚ୍ଛେଦ ହେବାର ୧୩୫ ଦିନ ପରେ ଐତିହାସିକ ଜାମିଆ ମସ୍ଜିଦ୍ରେ ହେଲା ପ୍ରାର୍ଥନା
ଶ୍ରୀନଗର: ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଦୀର୍ଘ ୧୩୫ ଦିନ ପରେ ପ୍ରଥମ ଥର ପାଇଁ ଶ୍ରୀନଗରର ଐତିହାସିକ ଜାମିଆ ମସ୍ଜିଦ୍ରେ ବୁଧବାର ପ୍ରାର୍ଥନା ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୁରକ୍ଷାବଳ ମସଜିଦ ସମ୍ମୁଖରୁ ଅପସାରିତ ହେବା ପରେ ମସ୍ଜିଦ୍ ପରିଚାଳନା କରୁଥିବା ଅଞ୍ଜୁମାନ-ଇ-ଆକ୍ବାଫ୍ ନିକାୟ ପକ୍ଷରୁ ମଙ୍ଗଳବାର ଏକ ବୈଠକରେ ପ୍ରାର୍ଥନା କରିବା ସହିତ ଆଗକୁ ବଢ଼ିବାର ନିଷ୍ପତ୍ତି ନିଆଯାଇଥିଲା।
ନିକାୟର ଜଣେ ସଦସ୍ୟ ଗଣମାଧ୍ୟମରେ କହିଛନ୍ତି, ‘ଆଜି ଆମେ ମସ୍ଜିଦ୍ରେ ଅପରାହ୍ନ ଓ ସାଂଧ୍ୟ ପ୍ରାର୍ଥନା କରିଛୁ। ଦୋକାନବଜାର ବି ଖୋଲିଯାଇଛି। ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି। ଆଗକୁ ବି ପ୍ରାର୍ଥନା ଏହି ଭଳି ଭାବେ ଚାଲୁ ରହିବ।’
ବୁଧବାର ପ୍ରାୟ ୧୦୦ରୁ ୧୫୦ ଜଣ ଲୋକ ମସ୍ଜିଦ୍ରେ ଏକତ୍ରିତ ହୋଇଥିଲେ। ଧାଡ଼ି ହୋଇ ବସି ସେମାନେ ପ୍ରାର୍ଥନା କରିଥିଲେ। ସୁଲତାନ ସିକନ୍ଦର ଶାହାଙ୍କ ଦ୍ବାରା ଚତୁର୍ଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ଏହି ମସ୍ଜିଦ୍କୁ ମହିଳା ଓ ଶିଶୁ ମଧ୍ୟ ଆସିଥିଲେ।
ନଭେମ୍ବର ୨୨ ତାରିଖରୁ ସଂପୃକ୍ତ ଅଞ୍ଚଳରୁ ସୁରକ୍ଷା କଟକଣା ହଟାଇ ଦିଆଯାଇଛି। ମୁତୟନ ହୋଇଥିବା ସୁରକ୍ଷା ବଳ ସେଠାରୁ ନହଟିବା ପର୍ଯ୍ୟନ୍ତ ପ୍ରାର୍ଥନା କରିବେ ନାହିଁ ବୋଲି ପୂର୍ବରୁ ସ୍ଥାନୀୟ ଲୋକେ ଅଡ଼ି ବସିଥିଲେ।