ଭୁବନେଶ୍ୱର: ମୁଁ ଏଠି ରହିବିନି, ମତେ ଛାଡ଼ି ଦିଅ, ମୋ ପୁଅ ଆସିଲାଣି, ଝିଅ ଫୋନ୍ କରିଥିଲା ଅଧା ବାଟରେ ଆସୁଛି, ମୋ ଜ୍ୱାଇଁ ବି ଆସୁଛି, ତମ ପାଖରେ ମୁଁ କାହିଁକି ରହିବି? ଏମିତି ପ୍ରଳାପ କରି ବାଡେଇପିଟି ହେଉଛନ୍ତି ବୃଦ୍ଧା ସରସ୍ୱତୀ ବେହେରା। ଯଦିଓ ନିଜ ନାମ କିମ୍ବା ପରିବାର ସଦସ୍ୟଙ୍କ ନାମ କହିପାରୁନାହାନ୍ତି କିନ୍ତୁ ଘର ଖାଲି ପୁରୀ ଜିଲ୍ଲା ବୋଲି କହୁଛନ୍ତି। ହାତରେ କୁଟାଯାଇଥିବା ଚିତାରେ ଲେଖାଯାଇଛି ସରସ୍ୱତୀ ବେହେରା। ଏଥିରୁ କେବଳ ତାଙ୍କର ନାମ ଜଣାପାଡ଼ୁଛି। କିନ୍ତୁୁ ଠିକଣା ମିଳୁ ନ ଥିବାରୁ ତାଙ୍କ ଘର ଲୋକଙ୍କୁ ଖବର ଦିଆଯାଇ ପାରୁନାହିଁ। ତେଣୁ ୬ ମାସ ହେଲା ବିଏମ୍ସି ପରିଚାଳିତ ଗଙ୍ଗନଗରସ୍ଥିତ ସହରାଞ୍ଚଳ ବାସହୀନଙ୍କ ଆଶ୍ରୟସ୍ଥଳୀରେ ଥିବା ସରସ୍ୱତୀ ପାଗଳି ଭଳି ଏମିତି ପ୍ରଳାପ କରି ଚାଲିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଜୁନ୍ ମାସରେ କମିସନରେଟ୍ ପୁଲିସ ସରସ୍ୱତୀଙ୍କୁ ଉଦ୍ଧାର କରି ସହରାଞ୍ଚଳ ବାସହୀନ ଆଶ୍ରୟସ୍ଥଳୀରେ ଛାଡ଼ିଥିଲା। ସେବେଠୁ ସରସ୍ୱତୀ ସେଠାରେ ରହୁଛନ୍ତି। ବାସହୀନ ଆଶ୍ରୟସ୍ଥଳୀର ପରିଚାଳିକା ମାତୃମୟୀ ପ୍ରିୟଦର୍ଶିନୀ କହିଛନ୍ତି, ସରସ୍ୱତୀ ମାଉସୀ ଆସିବାର ଅନେକ ଦିନ ଧରି ତାଙ୍କ ପରିବାରକୁ ଆକୁଳ ହୋଇ ଖୋଜୁଥିଲେ। ଅନେକ ସମୟରେ ଆଶ୍ରୟସ୍ଥଳୀରୁ ବାହାରକୁ ଦୌଡ଼ି ପଳାଉଥିଲେ, ଚିତ୍କାର କରୁଥିଲେ ମତେ ଛାଡ଼ ମୋ ପୁଅ ଆସିଲାଣି ମତେ ନେବାକୁ। କିନ୍ତୁ ତାଙ୍କ ଘର କେଉଁଠି, ପୁଅ ନାମ କଣ ଆଦି ଠିକଣା ବତାଇ ପାରୁନଥିବାରୁ ଆମେ ତାଙ୍କୁ ସାହାଯ୍ୟ କରୁପାରୁନୁ।
ଦିନକୁ ଦିନ ଘର ଲୋକଙ୍କୁ ନପାଇ ତାଙ୍କ ମାନସିକ ଅବସ୍ଥା ବିଗିଡ଼ିବାରେ ଲାଗିଛି। ବର୍ତମାନ ସେ ଖାଲି ଝରକା ଫାଙ୍କ ଦେଇ ବାହାରକୁ ଚାହୁଁଛନ୍ତି କାଳେ ନିଜ ଲୋକ କେହି ନଜରରେ ପଡ଼ିଯିବେ। ନିଜ ଘରଲୋକଙ୍କୁ ସେ ଆକୁଳ ହୋଇ ଖୋଜିବାର ଦୃଶ୍ୟ ଦେଖିଲେ ଯେ କେହି ଲୋକ ଆଖିରେ ବି ଲୁହ ଆସିଯିବ। ସରସ୍ୱତୀଙ୍କ ମାନସିକ ଅବସ୍ଥା ଯାହା ହୁଏତ ସେ ତାଙ୍କ ପରିବାର ଲୋକଙ୍କୁ ଦେଖିଲେ ସେ ଭଲ ହୋଇଯିବେ ବୋଲି ବାସହୀନଙ୍କ ଆଶ୍ରୟସ୍ଥଳୀର କର୍ମକର୍ତା କହିଛନ୍ତି।