ଗାନ୍ଧୀ ଆଶ୍ରମକୁ ଯିବେନି ଟ୍ରମ୍ପ୍, ୨୨ରୁ ୯ କିମିକୁ କମିଲା ରୋଡ୍ ସୋ’
ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଭାରତ ଗସ୍ତ ନେଇ ଅହମ୍ମଦାବାଦ୍ରେ ହେବାକୁ ଥିବା ୨୨ କିଲୋମିଟର୍ର ରୋଡ ସୋ’କୁ କମ୍ କରାଯାଇ ୯ କିଲୋମିଟର କରି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ହେବାକୁ ଥିବା ଏହି ରୋଡ୍ ସୋ’ ଅହମ୍ମଦାବାଦ୍ ବିମାନବନ୍ଦରରୁ ଆରମ୍ଭ ହୋଇ ଗାନ୍ଧୀନଗରର ମୋଟେରାରେ ଶେଷ ହେବ। ଟ୍ରମ୍ପ୍ ପୂର୍ବରୁ ଗାନ୍ଧୀ ଆଶ୍ରମକୁ ଯିବେ ବୋଲି କାର୍ଯ୍ୟକ୍ରମ ହୋଇଥିଲା। ତାଙ୍କର ଗାନ୍ଧୀ ଆଶ୍ରମ ଯିବାର ଯୋଜନା ବଦଳିବା ପରେ କିଛି ବାଟ କମ୍ କରି ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସମୁଦାୟ ୯ କିଲୋମିଟର ରୋଡ୍ ସୋ’ରୁ ୪ କିଲୋମିଟର କେବଳ ଗାନ୍ଧୀନଗରରେ ହେବ। ଏସ୍ଆର୍ପି ଏବଂ ଅନ୍ୟ ସୁରକ୍ଷା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଏହି ରୋଡ୍ ସୋ’ ସମୟରେ ଉପସ୍ଥିତ ରହିବେ। ଗାନ୍ଧୀନଗରରେ ୪ କିଲୋମିଟରରର ରୋଡ୍ ସୋ’ ସମୟରେ ସୁରକ୍ଷାା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଗାନ୍ଧୀନଗରର ଆଇଜି ୨୦୦୦ ପୁଲିସ୍ କର୍ମୀଙ୍କୁ ଦାୟିତ୍ବ ଦେଇଛନ୍ତି।
ରାଷ୍ଟ୍ରପତି ଟ୍ରମ୍ପ୍ ଅହମ୍ମଦାବାଦ୍ରେ ବିଶ୍ବର ସର୍ବବୃହତ୍ ଷ୍ଟାଡିୟମ୍ ଉନ୍ମୋଚନ କରିବେ। ଗୁଜୁରାଟରେ ହେବାକୁ ଥିବା ‘ନମସ୍ତେ ଟ୍ରମ୍ପ୍’ କାର୍ଯ୍ୟକ୍ରମରେ ପାଖାପାଖି ୧ ଲକ୍ଷ ଲୋକ ଯୋଗ ଦେବେ। ଲୋକମାନଙ୍କୁ ଷ୍ଟାଡିୟମ୍କୁ ନେବା ପାଇଁ ଅତି କମ୍ରେ ୨୦୦୦ ଗାଡ଼ି ନିୟୋଜିତ ହେବ। ବୃହତ୍ ମୋଟେରା ଷ୍ଟାଡିୟମ୍ରେ ୧ ଲକ୍ଷ ୧ ହଜାର ଲୋକ ବସିବାର ସୁବିଧା ରହିଛି। ଭିତରକୁ ଯିବା ପାଇଁ ଅନ୍ୟ ଏକ ସ୍ଥାନରେ ଏକ ସ୍ବତନ୍ତ୍ର ପ୍ରବେଶ ଦ୍ବାର ଖୋଲାଯାଇଛି।
ଉଲ୍ଲେଖଯୋଗ୍ୟ, ଫେବ୍ରୁଆରୀ ୨୪ ଓ ୨୫ ତାରିଖରେ ରାଷ୍ଟ୍ରପତି ଟ୍ରମ୍ପ୍ ଓ ଫାଷ୍ଟ୍ ଲେଡି ମେଲାନିଆ ଅହମ୍ମଦାବାଦ୍, ଆଗ୍ରା ଏବଂ ଦିଲ୍ଲୀ ଯିବେ ବୋଲି ସ୍ଥିର ହୋଇଛି।